Onn 3

କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା ସ୍ବତନ୍ତ୍ର ଡେଙ୍ଗୁ ପରୀକ୍ଷା କେନ୍ଦ୍ର

Health and Science State

ଭୁବନେଶ୍ୱର: ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ଡେଙ୍ଗୁ ଟେଷ୍ଟିଂ କାଉଣ୍ଟର ଖୋଲାଯାଇଛି। ସେହିପରି ସୋମବାରଠାରୁ ପଟିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ଆଇଆରସି ଭିଲେଜ ସହରାଞ୍ଚଳ ହସ୍ପିଟାଲରେ ଆଉ ଦୁଇଟି ଟେଷ୍ଟିଂ ସେଣ୍ଟର ଆରମ୍ଭ ହେବ।

ଏ ସମ୍ପର୍କରେ ସୂଚନା ଦେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ଆଜିଠାରୁ କ୍ୟାପିଟାଲ ହସ୍ପିଟାଲରୁ ଡେଙ୍ଗୁ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଟେଷ୍ଟିଂ କାଉଣ୍ଟର ଆରମ୍ଭ ହୋଇଛି। ମୁଁ ଏଠାରେ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ପ୍ଲେଟଲେଟ୍ କାଉଣ୍ଟକୁ ନେଇ ଲୋକଙ୍କ ମନରେ ଭୁଲ ଧାରଣା ରହିଛି। ସେମାନେ ଭାବନ୍ତି ପ୍ଲେଟଲେଟ୍ କାଉଣ୍ଟ କମିଗଲେ ହସ୍ପିଟାଲରେ ଭର୍ତ୍ତି ହେବା ଆବଶ୍ୟକ। କିନ୍ତୁ ତାହା ଭୁଲ୍। ଯଦି ତାଙ୍କର ପ୍ଲେଟଲେଟ ସଂଖ୍ଯା ୨୦ ହଜାରକୁ ହ୍ରାସ ପାଏ ତେବେ ମଧ୍ୟ ଜଣେ ପ୍ଲେଟଲେଟ ଟ୍ରାନ୍ସଫ୍ୟୁଜନର ଆବଶ୍ୟକତା ନାହିଁ। ସେମାବରା ଆଉ ଦୁଇଟି ପରୀକ୍ଷା କେନ୍ଦ୍ର ପଟିଆ ଓ ଆଇଆରସି ଭିଲେଜରେ ଖୋଲାଯିବ।

କ୍ୟାପିଟାଲ ହସ୍ପିଟାଲରେ ଭିଡ଼ କମାଇବା ପାଇଁ ବିଏମସି ହସ୍ପିଟାଲ, ୟୁନିଟ୍-୪ ହସ୍ପିଟାଲ, ପଟିଆ ସହରାଞ୍ଚଳ ସିଏଚସି ଓ ଡୁମୁଡୁମା ସହରାଞ୍ଚଳ ସିଏଚସିରେ ଡେଙ୍ଗୁ ରୋଗୀଙ୍କ ପାଇଁ ଅତିରିକ୍ତ ୧୦ଟି ବେଡର ବ୍ୟବସ୍ଥା କରାଯାଇଛି। ଆଖପାଖ ଲୋକେ ଏହି ଡାକ୍ତରଖାନାକୁ ଯିବା ଦରକାର। ସବୁଠାରୁ ଖରାପ ପରିସ୍ଥିତିରେ ସେମାନେ କ୍ୟାପିଟାଲ ହସ୍ପିଟାଲକୁ ଆସିପାରିବେ ବୋଲି ସେ କହିଛନ୍ତି।

ରାଜ୍ୟରେ ପ୍ରତିଦିନ ୧୨୦ରୁ ୧୩୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ସେହିପରି ଭୁବନେଶ୍ୱରରେ ଦୈନିକ ୬୦ରୁ ୭୦ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ବୋଲି କହିଛନ୍ତି।

ଅଗଷ୍ଟ ୨୫ ସୁଦ୍ଧା ୨ ହଜାର ୯୪୩ ଜଣ ରୋଗୀ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୩୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପୁରୀରେ ୩୦୮, ବାଲେଶ୍ୱରରେ ୨୭୬, କଟକରେ ୨୦୮, ଜଗତସିଂହପୁରରେ ୧୬୯ ଓ ନୟାଗଡ଼ରେ ୧୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।