Onn 3

ଠିକାଦାରଙ୍କ ମନମାନି ଯୋଗୁଁ ଚାଷୀ ହଟହଟା

State

ଆଗରପଡ଼ା:ରାସ୍ତା ନିର୍ମାଣକୁ ନେଇ ବାରମ୍ବାର ଖବର ପ୍ରକାଶ ପାଇବା ପରେ ବିଭାଗ ତରଫରୁ ନିୟୋଜିତ ଠିକାଦାର ରାସ୍ତା ନିର୍ମାଣକୁ ତ୍ୱରାନ୍ନିତ କରିଥିଲେ କିନ୍ତୁ ରାସ୍ତା ନିର୍ମାଣ ସମୟରେ କଲଭର୍ଟ ନିର୍ମାଣ କରି ଜଳ ନିଷ୍କାସନର ସୁବନ୍ଦୋବସ୍ତ କରିନଥିବାରୁ ଚାଷୀ ନାହିନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅନ୍ତର୍ଗତ ଓଡ଼ଙ୍ଗ ଠାରୁ ଭରସିଂହପୁର ଭାୟା ମହିଁଷଡ଼ିହ, ସାହାଡ଼ାଗଡ଼ିଆ ଓ ସୁଆଁପଦା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଠାରେ । । ସରକାର ଗ୍ରାମାଚଂଳରେ ବସବାସ କରୁଥିବା ଲୋକଙ୍କ ଗମନାଗମନର ସୁବିଧା ପାଇଁ ବିିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ନିୟୋଜିତ ଠିକାଦାରଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ଏଥିରେ କୌଣସି ସଫଳତା ମିଳିପାରୁନଥିବା ଜଣାପଡ଼ିଥିଲା । ଉକ୍ତ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କର ନିର୍ମାଣ ଅବଧି ସରିଗଲା କିନ୍ତୁ ସରିଲାନି ରାସ୍ତା ନିର୍ମାଣ । ପ୍ରାପ୍ତ ସୂଚନା ଅନୁଯାୟୀ;ଉକ୍ତ ୮କିଲୋମିଟର କଂକ୍ରିଟ ଓ ପିଚୁ ରାସ୍ତା ନିର୍ମାଣ ପାଇଁ ୧୫୯.୨୯ଲକ୍ଷ ଟଙ୍କା ମଂଜୁର ହୋଇଛି ।

ବର୍ଷ ୨୦୨୧ ଅକ୍ଟୋବର ମାସ ୫ ତାରିଖରୁ କାର୍ଯ୍ୟ ଆରମ୍ଭ ହୋଇ ବର୍ଷ ୨୦୨୨ ଜୁଲାଇ ମାସ ୪ ତାରିଖରେ ଉକ୍ତ ରାସ୍ତା ନିର୍ମାଣ ଶେଷ ହେବା କଥା । ମାତ୍ର ଠିକାଦାରଙ୍କ ମନୋମୁଖୀ ଭାବ ଯୋଗୁଁ ଏହି କାର୍ଯ୍ୟ ହେବାରେ ଅହେତୁକ ବିଳମ୍ବ ଘଟୁଥିବାର ଗ୍ରାମବାସୀମାନେ ଅଭିଯୋଗ କରିଥିଲେ । ଉକ୍ତ ରାସ୍ତା ଉଭୟ କାଦବରାଙ୍ଗ ଓ ଓଡ଼ଙ୍ଗ ପଂଚାୟତକୁ ସଂଯୋଗ କରୁଥିବାରୁ ଏହାର ମହତ୍ୱ ଅଧିକ ଥିଲେ ସୁଦ୍ଧା ରାସ୍ତା ନିର୍ମାଣ ହୋଇପାରୁନଥିବାରୁ ଓଡ଼ଙ୍ଗ ପଂଚାୟତ ଓ କାଦବରାଙ୍ଗ ପଂଚାୟତ ସମେତ ଅନ୍ୟ ପଂଚାୟତର ଲୋକମାନଙ୍କୁ ମୁଖ୍ୟ ରାସ୍ତାକୁ ଆସିବାକୁ ବହୁବାଟ ବୁଲିବାକୁ ପଡ଼ୁଛି । ତେଣୁ ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଯଥାଶିଗ୍ର ସାରିବାକୁ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟି ଦେବାକୁ ଉଭୟ ପଂଚାୟତବାସୀଙ୍କ ପକ୍ଷରୁ ଦାବି ହୋଇଥିଲା । ଉକ୍ତ ଖବର ପ୍ରକାଶ ପାଇବା ପରେ ବିଭାଗ ତରଫରୁ ନିୟୋଜିତ ଠିକାଦାର ରାସ୍ତା ନିର୍ମାଣକୁ ତ୍ୱରାନ୍ନିତ କରିଥିଲେ ସତ କିନ୍ତୁ ରାସ୍ତା ନିର୍ମାଣ ସମୟରେ ବିଭିନ୍ନ ସ୍ଥାନରେ କଲର୍ଭଟ ନିର୍ମାଣ କରିଥିବା ବେଳେ ଜଳ ନିଷ୍କାସନର ସୁବନ୍ଦୋବସ୍ତ କରିନଥିବାରୁ ଜଳ ନିଷ୍କାସିତ ହୋଇନପାରି ଜମିରେ ଜମା ହୋଇ ରହୁଛି । ଯଦ୍ୱାରା ତଳି ବାରମ୍ବାର ନଷ୍ଟ ହୋଇଯାଉଛି । ଅଭିଯୋଗ କଲେ ପ୍ରଶାସନ କିମ୍ବା ଠିକାଦାର କେହିବି କୌଣସି ପଦକ୍ଷେପ ନେଉନଥିବା ଚାଷୀ ଅଭିଯୋଗ କରୁଛନ୍ତି । ତେଣୁ ଯଦି ଏହାର ସମାଧାନ ପାଇଁ କୌଣସି ବିହିତ ପଦକ୍ଷେପ ନିଆ ନଯାଏ ତେବେ ଆଗାମୀ ଦିନରେ ଚାଷୀ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାର ଚେତାବନୀ ଦେଇଥିବା ଜଣାପଡ଼ିଛି ।