Onn 3

ବିକାଶରେ ବାଧକ ସାଜିଛି ଜବରଦଖଲ

State

ଆଗରପଡ଼ା: ସରକାର ପଂଚାୟତର ଉନ୍ନତି ପାଇଁ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପଂଚାୟତ ଅଧିନରେ ଥିବା ସରକାରୀ ଜମି ଜବରଦଖଲରେ ଥିବାରୁ ପଂଚାୟତର ବିକାଶରେ ଏହା ବାଧକ ସାଜିଥିବାର ଜଣାପଡ଼ିଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବନ୍ତ ବ୍ଲକ ବିଟିପୁର ପଂଚାୟତରେ । ୨୦୧୬ ମସିହାରେ ବନ୍ତ ବ୍ଲକରେ ୩ଟି ନୂତନ ପଂଚାୟତ ଗଠନ ଘୋଷଣା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ପୁରୁଷଣ୍ଢ ପଂଚାୟତକୁ ଭାଗ କରାଯାଇ ବଡ଼ହାଟ ତ୍ରିଲୋଚନ ପୁର(ବିଟିପୁର)ପଂଚାୟତ ଗଠନ ହୋଇଥିଲା । ପଂଚାୟତ ଗଠନକୁ ଇତି ମଧ୍ୟରେ ୭ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଏହା ଅଧିନ ବହୁ ସରକାରୀ ଜମି ଜବରଦଖଲରେ ଥିବାରୁ ପଂଚାୟତର ବିକାଶ ହୋଇପାରୁନଥିବା ଜଣାପଡ଼ିଛି । ଇତି ମଧ୍ୟରେ ପଂଚାୟତ ଗଠନର ୨ୟ ନିର୍ବାଚନରେ ନିର୍ବାଚିତ ସରପଂଚ ସୁଭଦ୍ରା ସିଂହ ପଂଚାୟତର ଉନ୍ନତି ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମକୁ ହାତକୁ ନେଇଥିବା ବେଳେ ଜବରଦଖଲରେ ଥିବା ଜମିକୁ ଉଚ୍ଛେଦ ପାଇଁ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କିଛି ସୁଫଳ ପାଇପାରୁନଥିବାରୁ କାର୍ଯ୍ୟକ୍ରମରେ ଅଗ୍ରଗତି କରିପାରୁନଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ ପଂଚାୟତ ଅର୍ନ୍ତଗତ ଆଗରପଡ଼ା ମୁଖ୍ୟ ବଜାର ସଂଲଗ୍ନ ଖାତା ନଂ ୨୭୦ ଓ ପ୍ଲଟ ନଂ ୭୧୩ ଯାହାକି ୨୫ ଡ଼ିସିମିଲ ପରିମିତ ସର୍ବସାଧାରଣ କିସମ ରାସ୍ତା ଯେଉଁ ରାସ୍ତା ସ୍ଥାନୀୟ କଲେଜ ଛକ ଠାରୁ ଗଡ଼ସାହି ତାରିଣୀ ମନ୍ଦିର ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ଉକ୍ତ ରାସ୍ତାର ଉଭୟ ପାଶ୍ୱର୍ ଜବରଦଖଲକାରୀଙ୍କ କବଜାରେ ଥିବାରୁ ଲୋକେ ଯିବା ଆସିବା କରିପାରୁନଥିବା ଅଭିଯୋଗ ହେଉଛି । ସେହିପରି ୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୌଚାଳୟ କାର୍ଯ୍ୟକ୍ଷମ ନହୋଇ ପଡ଼ିରହିଛି । ଯାତ୍ରୀ ବିଶ୍ରାମାଗାର ନିମନ୍ତେ ଯୋଜନା ପ୍ରସ୍ତୁତ ହୋଇଥିଲେ ସୁଦ୍ଧା ତାହା କାଗଜ କଲମରେ ସିମୀତ ରହିଛି । ଭଦ୍ରକ,ବାଲେଶ୍ୱର ଓ କେନ୍ଦୁଝର ଜିଲ୍ଲାର ସୀମାବର୍ତ୍ତୀ ଅଂଚଳରେ ଅବସ୍ଥିତ ଆଗରପଡ଼ା ବ୍ୟବସାୟୀକ ଦୃଷ୍ଟି କୋଣରୁ ତିନି ଜିଲ୍ଲାର ପ୍ରମୁଖ ଭୂମିକା ନିର୍ବାହ କରୁଥିବା ସ୍ଥଳେ ବଜାର ଅଂଚଳରେ ଶୌଚାଳୟ କିମ୍ବା ବିଶ୍ରାମାଗାର ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ବିଭାଗୀୟ ଅଧିକାରୀ ପଂଚାୟତର ବିକାଶ ପାଇଁ ଜବରଦଖଲ ଉଚ୍ଛେଦକୁ କଡ଼ାକଡ଼ି କରିବା ପାଇଁ ବିହିତ ପଦକ୍ଷେପ ନେବାକୁ ପଂଚାୟତବାସୀଙ୍କ ପକ୍ଷରୁ ଦାବି ହେଉଛି ।