Onn 3

ବନ୍ତ ତହସିଲରେ କର୍ମଚାରୀ ମରୁଡ଼ି, ବର୍ଷାଧିକ କାଳ ପରେବି ମାମଲାର ଫଇସଲା ହୋଇପାରୁନି

State

ଆଗରପଡ଼ା: ବନ୍ତ ବ୍ଲକ ସଦର ମହକୁମାରେ ଥିବା ବନ୍ତ ତହସିଲ ଉପରେ ୬ଗୋଟି ଆରାଇ ସର୍କଲ ,୨୦୬ଟି ରାଜସ୍ୱ ଗ୍ରାମ ରଏକଲକ୍ଷ ଜନ ସଂଖ୍ୟା ନିର୍ଭର କରିଥାନ୍ତି । ବର୍ଷବର୍ଷ ଧରି କର୍ମଚାରୀଙ୍କ ଅଭାବ ପରିପୂରଣ ହୋଇପାରୁନଥିବାରୁ ଏହି କାର୍ଯ୍ୟାଳୟ ଅଧିନରେ ୧୪ରୁ ଊର୍ଦ୍ଧ୍ୱ ବିଭାଗ ଥିବା ବେଳେ ବିଭିନ୍ନ କାର୍ଯ୍ୟ ସୁଚାରୁରୁପେ ସଂପାଦନ ମଧ୍ୟ ହୋଇପାରୁନଥିବା ପରିଲକ୍ଷିତ ହେଉଛି । ଏବେ ଏହି କାର୍ଯ୍ୟାଳୟରେ କିରାଣୀ ଓ ଅମିନଙ୍କ ଅଭାବ ଦୀର୍ଘବର୍ଷ ହେବ ପରିଲକ୍ଷିତ ହେଉଛି । ଫଳରେ ତହସିଲକୁ ବହୁ ଦୂରଦୁରାନ୍ତରରୁ ବିଭିନ୍ନ କାର୍ଯ୍ୟନେଇ ଆସୁଥିବା ଲୋକ ନିରାଶାରେ ଫେରୁଛନ୍ତି । ଆବଶ୍ୟକୀୟ କର୍ମଚାରୀ ଅଭାବରୁ ବର୍ଷବର୍ଷ ଧରି ପଡ଼ିରହିଥିବା ମାମଲାର ବିଚାରରେ ଅହେତୁକ ବିଳମ୍ବ ହେଉଛି । ଉକ୍ତ କାର୍ଯ୍ୟାଳୟରେ ଚାରିଜଣ ଅମିନଙ୍କ ଆବଶ୍ୟକତା ଥିବା ବେଳେ ଦୁଇଜଣ ଅମିନଙ୍କଦ୍ୱାରା ସମସ୍ତ କାର୍ଯ୍ୟ ସଂପାଦନରେ ସମସ୍ୟା ଦେଖାଯାଉଛି । ବର୍ତମାନ ଜମି ମାପଚୁପ ପାଇଁ ପ୍ରକୃଷ୍ଠ ସମୟ ଥିବାରୁ ଓ ବିଭିନ୍ନ ସ୍ଥାନରୁ ଲୋକମାନେ ମାପ ପାଇଁ ଉକ୍ତ କାର୍ଯ୍ୟାଳୟକୁ ଆସି ନିରାଶ ହେବା ସାର ହେଉଛି ।

ପୂର୍ବ ବର୍ଷରୁ ପଡ଼ିରହିଥିବା ଶତାଧିକ ଡ଼ିମାର୍କେସନ ମାମାଲାର ଫଇସଲା ହୋଇପାରୁନି । ଏହାକୁ ନେଇ ମଧ୍ୟ ଲୋକମାନଙ୍କ ମଧ୍ୟରେ ନୂତନ ମାମାଲା ମାନ ସୃଷ୍ଟି ହେଉଛି । ବର୍ତମାନ ଅନଲାଇନରେ ସମସ୍ତ କାର୍ଯ୍ୟ କରାଯାଉଥିବାବେଳେ କମ୍ପ୍ୟୁଟର ଦାୟୀତ୍ୱରେ ଥିବା ତିନିଜଣ ଡ଼ାଟାଏଣ୍ଟ୍ରି ଅପରେଟରଙ୍କ ମଧ୍ୟରୁ ଜଣକୁ କିଛିମାସ ହେବ ଅନ୍ୟ କାର୍ଯ୍ୟରେ ନିୟୋଜିତ କରାଯାଇଥିବାରୁ କମ୍ପ୍ୟୁଟରରେ ହେଉଥିବା ଖତିଆନ,ବିଭନ୍ନ ମାମାଲାର ଆଦେଶ,ରେକଡ଼ପତ୍ର ସଂଶୋଧନ, ସ୍ଥାୟୀ ବାସିନ୍ଧା,ଜାତିଗତ,ଅର୍ଥନୈତିକ,ଉତ୍ତରାଧିକାରୀ ,ଜନ୍ମ ଓ ମୃତ୍ୟୁ ଆଦେଶ ପ୍ରଦାନରେ ନାନା ସମସ୍ୟା ଦେଖାଯାଉଛି । ସେହି ପରି ଉକ୍ତ କାର୍ଯ୍ୟାଳୟରେ ଦୁଇବର୍ଷ ହେବ ପ୍ରସେସର (ନୋଟିସର) ପଦବି ଶୁନ୍ୟ ପଡ଼ି ଥିଲେ ମଧ୍ୟ ତାହା ପୁରଣ ହେଉନି । ଫଳରେ ବିଭିନ୍ନ ମାମଲାରେ ବିଚାର ପାଇଁ ପକ୍ଷମାନଙ୍କ ଉପରେ ନୋଟିସ ଜାରୀରେ ନାନା ସମସ୍ୟା ସୃଷ୍ଟି ହେଉଛି । ଏହା ଏକ ଗୁରୁତ୍ୱ ପୂର୍ଣର୍ ବିଭାଗ ହୋଇଥିବାରୁ ଉକ୍ତ କାର୍ଯ୍ୟାଳୟରେ ଆବଶ୍ୟକୀୟ କର୍ମଚାରୀଙ୍କୁ ନିଯୁକ୍ତି ଦେଇ ବର୍ଷାଧିକ କାଳ ପରେବି ଫଉସଲା ନହୋଇ ପଡ଼ିରହୁଥିବା ମାମଲାର ସମାଧାନ ଦିଗରେ ଜିଲା ପ୍ରଶାସନ ଗୁରୁତ୍ୱ ଦେବାକୁ ଅଂଚଳବାସୀଙ୍କ ପକ୍ଷରୁ ଦୃଢ଼ ଦାବି ହେଉଛି ।