Madhu

ଆସିଲା ମଧୁମିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ, ମୃତ୍ୟୁ ପୂର୍ବରୁ ଦେହରେ ଥିଲା ଏକାଧିକ କ୍ଷତ ଚିହ୍ନ

Crime State

ଭୁବନେଶ୍ୱର : ବହୁଚର୍ଚ୍ଚିତ ସାମ୍ବାଦିକା ମଧୁମିତା ପରିଡ଼ା ମୃତ୍ୟୁ ମାମଲା । ଆସିଲା ମଧୁମିତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ । ମୃତ୍ୟୁ ପୂର୍ବରୁ ମଧୁମିତାଙ୍କ ଦେହରେ ଥିଲା ଏକାଧିକ କ୍ଷତ ଚିହ୍ନ । ମଲ୍ଟିପୁଲ ଇଞ୍ଜୁରୀରୁ ମୃତ୍ୟୁ ହୋଇଥିବା ସ୍ପଷ୍ଟ । ଆବଶ୍ୟକସ୍ଥଳେ ଭିସେରା ରିପୋର୍ଟ ଦିଆଯିବ ।  ଗତ ୨୪ ତାରିଖ ଦିନ ବାପୁଜୀନଗର ରେଳ ଧାରଣାରୁ ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଥିଲା । ୫ବର୍ଷ ଧରି ପ୍ରେମ ସଂପର୍କ ପରେ ୪ ମାସ ତଳେ ଶ୍ରୀଧରଙ୍କୁ ବିବାହ କରିଥିଲେ ମଧୁମିତା । ସେପଟେ ମୃତ୍ୟୁ ପୂର୍ବରୁ ସାମ୍ବାଦିକା ମଧୁମିତା ନିଜ ଇନଷ୍ଟାରେ ଏକ ଭିଡିଓ ବାର୍ତ୍ତା ଅପଲୋଡ କରିଥିଲେ । ଶେଷ ବାର୍ତ୍ତାରେ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିବା ସହ ଚରମ ନିଷ୍ପତ୍ତି ପାଇଁ ମାଆଙ୍କୁ ନିକଟରୁ କ୍ଷମା ମାଗିଥିଲେ ।

ପ୍ରେମ… ବିବାହ ପରେ ପ୍ରତାରଣା। ସ୍ବାମୀର ପରକୀୟା ପ୍ରୀତିରୁ ଜୀବନ ହାରିଦେଲା ପତ୍ନୀ। ଭୁବନେଶ୍ବରରେ ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ମୃତ୍ୟୁ ଘଟଣାରେ ଖୋଲୁଛି ରହସ୍ୟ। ମାନସିକ ଚାପରୁ ଆତ୍ମହତ୍ୟା କରିଛନ୍ତି ମଧୁମିତା । ସ୍ବାମୀ ଶ୍ରୀଧର ଜେନା ଛାଡ଼ପତ୍ର ଦେବାକୁ ଧମକ ଦେଉଥିଲେ । ଏଥିରେ ବିବ୍ରତ ହୋଇ ମଧୁମିତା ଏଭଳି ଚରମ ପଦକ୍ଷେପ ଉଠାଇଛନ୍ତି ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ । ୨୩ ଜୁଲାଇରେ ରାତି ୧୨ଟାରେ ସ୍ବାମୀ ସ୍ତ୍ରୀ ଦୁହେଁ ଥାନାକୁ ଆସି ଅଭିଯୋଗ କରିଥିଲେ ।

ବାୟୁସେନାରେ କାର୍ଯ୍ୟରତ ସ୍ବାମୀ ଶ୍ରୀଧର ଜେନାଙ୍କ ପରକୀୟା ପ୍ରୀତି ନେଇ ଅଭିଯୋଗ କରିଥିଲେ ମଧୁମିତା । ଅନ୍ୟ ଝିଅଙ୍କ ସହ ସମ୍ପର୍କ ଥିବା ସ୍ବାମୀଙ୍କ ମୋବାଇଲରୁ ସେ କିଛି ତଥ୍ୟ ପାଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିଲା । ମଧୁମିତାଙ୍କ ମୃତ୍ୟୁ ଘଟଣାରେ ସ୍ବାମୀ ଶ୍ରୀଧର ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଧଉଳି ଥାନା ପୋଲିସ। ମଧୁମିତା ଓ ଶ୍ରୀଧରଙ୍କ ଫୋନ ଜବତ କରାଯାଇଛି ।ଏହାକୁ ଯାଞ୍ଚ କରାଯିବ  । ମାମଲାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ପଚରାଉଚରା କରାଯିବ। ବିଭିନ୍ନ ଦିଗକୁ ନଜର ରଖି ତଦନ୍ତ କରାଯିବ। ସିସିଟିଭି ଫୁଟେଜ୍ ରୁ ମଧୁମିତାଙ୍କ ମୁଭମେଣ୍ଟ ତଦନ୍ତ କରାଯାଉଛି।