Onn 3

ଶିକ୍ଷାଗତ ପ୍ରମାଣପତ୍ରରେ ଜାଲିଆତି, ଅଭିଯୋଗ ପରେବି କାର୍ଯ୍ୟାନୁଷ୍ଠାନ ଶୂନ

State

ଆଗରପଡ଼ା: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟରତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବିଭିନ୍ନ ପ୍ରମାଣପତ୍ରର ଯାଂଚ କରାଯାଇଥିଲେ ମଧ୍ୟ ଏବେବି ମାଳମାଳ ନକଲି ଶିକ୍ଷକ ଓ ଶିକ୍ଷୟିତ୍ରୀ ଜାଲ ପ୍ରମାଣପତ୍ର ଦେଇ ଶିକ୍ଷକତା କରୁଥିବା ଅଭିଯୋଗ ହେଉଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଭାଗୀୟ ପଦାଧିକାରଙ୍କ ସହ ବୈଠକ ପରେ ସମସ୍ତ ପ୍ରାଥମିକ ଶିକ୍ଷକଙ୍କ ପ୍ରମାଣପତ୍ର ଯାଂଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରମୁଖ ସଚିବଙ୍କ ନିର୍ଦ୍ଦେଶ ପରେ ନିୟମିତ ଶିକ୍ଷକ,କନିଷ୍ଠ ଶିକ୍ଷକ,କନିଷ୍ଠ ଶିକ୍ଷକ(ଚୁକ୍ତିଭିତ୍ତିକ)ଙ୍କ ମାଟ୍ରିକ,ଯୁକ୍ତ୨,ଯୁକ୍ତ୩,ସିଟି,ବିଇଡ଼ି,ଜାତିଗତ ପ୍ରମାଣପତ୍ର,ଭିନ୍ନକ୍ଷମ ପ୍ରମାଣପତ୍ର,ଓଟିଇଟି,ଓଏସ୍‌ଏସ୍‌ଟିଇଟି,ମାଇଗ୍ରେସନ ପ୍ରମାଣପତ୍ର ଆଦି ଯାଂଚ କରାଯାଇଥିଲା । ତେବେ ଯାଂଚ ପରେ ମଧ୍ୟ ମାଳ ମାଳ ନକଲି ଶିକ୍ଷକ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଆଦେଶ ଅନୁସାରେ ଯାଂଚ ପରେ ନକଲି ପ୍ରମାଣପତ୍ରଧାରୀ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ଧରାନପଡ଼ିଲେ ସେଥିପାଇଁ ଯାଂଚ କରୁଥିବା ଅଧିକାରୀ ଓ କର୍ମଚାରୀ ଦାୟୀ ରହିବେ ବୋଲି ନିର୍ଦ୍ଦେଶ ଥିଲେ ସୁଦ୍ଧା ଅଧିକାରୀ ଏହାକୁ ଠିକ୍ ଭାବେ ପାଳନ କରୁନଥିବା ଜଣାପଡ଼ିଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଠାରେ ।

ସୂଚନା ଅନୁଯାୟୀ; ଗତ ବର୍ଷ ୨୦୨୧ ଡ଼ିସେମ୍ବର ମାସ ୬ ତାରିଖରେ ସୂଚନା ଅଧିକାର କର୍ମୀ ବିକାଶ ଧଳ ବନ୍ତ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଅଧିନରେ କାର୍ଯ୍ୟରତ ଜନୈକ ଶିକ୍ଷୟିତ୍ରୀ ବର୍ଷ ୧୯୯୧ରେ ସିଟି ପରୀକ୍ଷା ଦେଇଥିବା ବେଳେ ବର୍ଷ ୧୯୯୨ରେ +୨କଳା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାର ସୂଚନା ଜନ ସୂଚନା ଆଇନ ବଳରେ ପାଇବା ପରେ ଉକ୍ତ ଶିକ୍ଷୟିତ୍ରୀ କିପରି ଏକା ସମୟରେ ୨ଗୋଟି ବିଭିନ୍ନ ଶିକ୍ଷାରେ ଶିକ୍ଷାଲାଭ କଲେ ଏବଂ ଉକ୍ତ ପ୍ରମାଣ ପତ୍ର ଦେଇ ସେ ବିବିଦାଶ ନୋଡ଼ାଲ ୟୁପିଏସ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ରୂପେ ନିଯୁକ୍ତି ପାଇଲେ ତାହାର ତଦନ୍ତ କରାଯାଇ ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ପ୍ରମାଣ ପତ୍ର ଦେଇ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଠାରେ ଅଭିଯୋଗ ଜରିଥିଲେ । କିନ୍ତୁ ଅଭିଯୋଗକୁ ଇତି ମଧ୍ୟରେ ୨ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନ ଯିବା ପରୋକ୍ଷରେ ଅଧିକାରୀ ଜାଲିଆତିକୁ ପ୍ରଶୟ ଦେଉଥିବା ଜଣାପଡ଼ିଛି । ତେଣୁ ଉକ୍ତ ଅଭିଯୋଗ ଉପରେ ତୁରନ୍ତ ତଦନ୍ତ କରାଯାଇ ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।