Onn 3

ଚାଷ ଜମିରେ ଚରୁଛନ୍ତି ଗୋରୁ : ଚିନ୍ତାରେ ଚାଷୀ

State

ଆଗରପଡ଼ା: ଆଜି ସୁଦ୍ଧା ବର୍ଷାର ଅନିୟମିତତା ଯୋଗୁଁ ଚାଷୀ ଚାଷ କାମ ଆରମ୍ଭ କରିପାରିନାର୍ହି । ଏଥିନେଇ ଚାଷୀମାନଙ୍କ ମନରେ ହତାଶଭାବ ସୃଷ୍ଟି ହୋଇଥିବାର ପରିଲିକ୍ଷିତ ହୋଇଛି । ମୌସୁମୀର ଲୁଚକାଳି ଖେଳ,କାଳ ସାଜିବାକୁ ବସିଛି ଚାଷୀଙ୍କ ପାଇଁ । ପ୍ରତି ବର୍ଷ ପରି ଚଳିତ ବର୍ଷ ଚାଷୀଙ୍କ ମୁହଁରେ ସେପରି ଆନନ୍ଦ ନାହିଁ । ପାଣିପାଗ ବିଭାଗ ଏଥର ମୌସୁମୀ ବିଳମ୍ବରେ ଆସିବ ବୋଲି ସୂଚନା ଦେଇଥିଲା ତାହା ପରିଲକ୍ଷିତ ହେଉଛି ମଧ୍ୟ । କିନ୍ତୁ ରଜ ପରେ ପାଗ ପରିବର୍ତ୍ତନର ସୂଚନା ଥିବା ବେଳେ ଲୁଚକାଳି ଖେଳପରି କେଉଁଆଡେ ଲୁଚି ଗଲାଣି ମୌସୁମୀ । ଅକ୍ଷୟ ତୃତୀୟା ଠାରୁ ଧାନବୁଣା କାର୍ଯ୍ୟ ଆରମ୍ଭ କରାଯାଇ ରଜ ସଂକ୍ରାନ୍ତି ସୁଦ୍ଧା ଏହା ସରିଯିବା କଥା । ଏହି କାର୍ଯ୍ୟ ସରିବ କଣ ଆଜିଯାଏ ଆରମ୍ଭ ହୋଇପାରି ନାହିଁ । ବିଳମ୍ବରେ ଚାଷକାର୍ଯ୍ୟ ଆରମ୍ଭ ହୋଇ ବିଳମ୍ବରେ ସରିବ ଯଦ୍ୱାରା ଗରୀବ ଚାଷୀମାନଙ୍କୁ ଋଣ ଚିନ୍ତାଗ୍ରସ୍ତ କରିଛି । ସାଧାରଣତଃ ଏ ଅଞ୍ଚଳର ଚାଷୀମାନେ ବ୍ୟାଙ୍କ କିମ୍ବା ଗାଁ ମହାଜନୀଙ୍କ ଠାରୁ ସୁଧରେ ୠଣ ଆଣି ଚାଷ କାର୍ଯ୍ୟରେ ବିନିଯୋଗ କରିଥାନ୍ତି । ଧାନ ଅମଳ ହେବା ପରେ ଏହାକୁ ବିକ୍ରୀ କରି ଋଣ ପରିଶୋଧ କରିଥାନ୍ତି । ଏ ବର୍ଷ ରଜ ସରିଲା, ରଜ ଆଗରୁ ମୈାସୁମୀ ନ ଆସିବାରୁ ଏବଂ ପାଗ ନ ଥିବାରୁ ୯୫ ଭାଗ ଜମିରେ ଧାନ ତଳି କିମ୍ବା ଧାନ ବୁଣା କାର୍ଯ୍ୟ ନ ହେବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ବର୍ତ୍ତମାନ ଜମିରେ ଗୋରୁ ଗାଈମାନେ ଚରୁ ଥିବାର ଦେଖାଯାଉଛି ।

ବିବରଣୀରୁ ପ୍ରକାଶ ଯେ ବନ୍ତ ବ୍ଲକ ଆଗରପଡ଼ା ତଥା ଏହାର ଆଖପାଖ ଅଂଚଳରେ ରେ ପ୍ରାୟ ୮୦ ଭାଗ ଚାଷୀ ଥିବା ବେଳେ ୨୦ ଭାଗ ସରକାରୀ ଚାକିରୀଆ ଅଛନ୍ତି । ରଜ ପୂର୍ବରୁ ଜମିରେ ହଳ ଗାର ବାଜି ପାରିଲା ନାହିଁ । ପ୍ରବଳ ଗରମ ଓ ଗ୍ରୀଷ୍ମ ଋତୁ ଫଳରେ ଜମି ଟାଣ ହୋଇଯାଇଥିଲା । ରଜ ପର୍ବ ପଡ଼ିବାର ଏକ ମାସ ପୂର୍ବରୁ ପାଗ ନ ହେବାରୁ ହଳ ହୋଇପାରିଲା ନାହିଁ । ତା ପରେ ପରେ ୨/୩ ଦିନରେ ଥରେ ବର୍ଷା ହୋଇ ଜମି ଓଦା ହୋଇଯାଏ । ଜମି ଶୁଖିବା ପୂର୍ବରୁ ପୁଣି ବର୍ଷା ହୋଇ ଛାଡ଼ିଯାଏ । ଜମିର ପାଗକୁ ଚାହିଁ ଚାହିଁ ହଳ ହୋଇପାରିଲା ନାହିଁ । ଅଧିକ ପରିମାଣରେ ବର୍ଷା ହୋଇଥିଲେ ଜମିକୁ କାଦୁଅ କରି ଧାନ ତଳି ପକା ଯାଇପାରିଥାନ୍ତା । ତାହା ମଧ୍ୟ ହୋଇପାରିଲା ନାହିଁ । ଜମି ଶୁଖିଲା ଥିଲେ ଚାଷୀ ବଳଦ ଯୋଗେ କିମ୍ବା ଟ୍ରାକ୍ଟର, ପାୱାର ଟିଲର ଯୋଗେ ହଳ କରି ଧାନ ବୁଣା ବୁଣି କାର୍ଯ୍ୟ ସାରି ଦେଇଥାନ୍ତା । ଧାନ ତଳି ପଡ଼ି ପାରିଲା ନାହିଁ କି ଧାନ ବୁଣା କାର୍ଯ୍ୟ ହେଲା ନାହିଁ । ରଜ ଆସି ସରିଗଲା କିନ୍ତୁ ଚାଷୀଙ୍କ ମନରେ ପୂର୍ବହସ ରହିଲା ନାହିଁ । ଏକ ଭିନ୍ନ ବାତାବରଣ ସାଙ୍ଗକୁ ଧାନ ତଳି ନ ପକାଇପାରିବାର ଦୁଃଖ ଦୁଇ ଗୁଣା ହୋଇଗଲା ।

ପାଗର ଅନିୟମିତତା ଯୋଗୁଁ ବିଲରେ ଘାସ ମଧ୍ୟ ହୋଇଗଲାଣି ଏବଂ ଗୋରୁ ଗାଈମାନେ ମନ ଆନନ୍ଦରେ ଘାସ ଖାଉଥିବାର ଦେଖିବାକୁ ମିଳୁଛି । ପାଗ ଠିକ୍ ନଥିବାରୁ ଅଧିକାଂଶ ଚାଷୀ ଗୋବରଖତ ମଧ୍ୟ ଜମିରେ ପକାଇ ପାରିଲେ ନାହିଁ । ଜୋରରେ ବର୍ଷା ହୋଇଗଲେ ବିଚରା ଚାଷୀ ଧାନ ତଳି ପକାଇବା ସହିତ ଜମିକୁୁ କାଦୁଅ କରିବାରେ ସକ୍ଷମ ହେବା ସହ ଧାନ ଚାଷ କାର୍ଯ୍ୟରେ ଲାଗିଯାନ୍ତା । ଏସବୁ ଦୁଃଖରେ ଭାଙ୍ଗି ପଡ଼ିଛି ଚାଷୀ । ଚାଷ କେମିତି ହେବ, ପରିବାର କେମିତି ଚଳାଇବେ ସେହି ଦୁଃଖରେ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଆଗରପଡ଼ା ତଥା ଏହାର ଆଖପାଖ ଅଞ୍ଚଳର ଅଗ୍ରଣୀ ଚାଷୀ ଠିକ୍ ସମୟରେ ଚାଷକାର୍ଯ୍ୟ ଆରମ୍ଭ ହୋଇପାରିନଥିବାରୁ ଚିନ୍ତିତ ହେବା ସହ ପ୍ରକୃତି ଦାଉ ସାଧୁଛି ଏହାର କିଏ ପ୍ରତିକାର କରିପାରିବ ବୋଲି କହୁଛନ୍ତି ।