Onn 3

ଡୋପ୍ ଟେଷ୍ଟରେ ବିଫଳ ହୋଇ ୪ ବର୍ଷ ପାଇଁ ବାସନ୍ଦ ହେଲେ ଦୂତି ଚାନ୍ଦ

State

ଭୁବନେଶ୍ଵର: ଅଲିମ୍ପିଆନ ଦୂତି ଚାନ୍ଦଙ୍କୁ ଲାଗିଛି ଶକ୍ତ ଧକ୍କା । ଡୋପ ଟେଷ୍ଟ ମାମଲାରେ ବିଫଳ ହୋଇ ଶେଷରେ ସେ ୪ ବର୍ଷ ବାସନ୍ଦ ହୋଇଛନ୍ତି । ଦଣ୍ଡାଦେଶ ଚଳିତ ବର୍ଷ ଜାନୁଆରୀ ୩ତାରିଖରୁ ଲାଗୁ ହୋଇଛି । ତେଣୁ ସେ ୨୦୨୭ ଜାନୁଆରୀ ମାସ ପର୍ଯ୍ୟନ୍ତ କୌଣସି ରାଜ୍ୟ, ଜାତୀୟ କିମ୍ବା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଦୌଡି ପାରିବେ ନାହିଁ ।

ସୂଚନା ଅନୁସାରେ ସିଲେକଟିଭ୍ ଆଣ୍ଡ୍ରୋଜେନ୍ ରିସେପଟିଭ୍ ମୋଡ୍ୟୁଲେଟର୍ସ SRMS ଟେଷ୍ଟରେ ଫେଲ୍‌ ମାରିଛନ୍ତି ଦୂତି ଚାନ୍ଦ। ନାସନାଲ ଆଣ୍ଟି ଡୋପିଂ ଏଜେନ୍ସି(NADA) ଦ୍ୱାରା ନିଷିଦ୍ଧ ଘୋଷିତ SRMS ତାଙ୍କ ନମୂନାରେ ମିଳିଛି । ଡିସେମ୍ବର ୫ ୨୦୨୨ରେ ଦୂତୀଙ୍କ ନମୂନା ସଂଗ୍ରହ କରାଯାଇଥିବାରୁ ଏହା ପରେ ଦୂତି କ୍ରୀଡ଼ାରେ ହାସଲ କରିଥିବା ସମସ୍ତ ରେକର୍ଡ, ମେଡାଲ, ପୁରସ୍କାର ଏବଂ ପଏଣ୍ଟସକୁ ଖାରଜ କରିଛି ନାଡା । ଆଣ୍ଟି ଡୋପିଂ ଅପିଲ୍‌ ପ୍ୟାନେଲ୍‌ (ଏଡିଏପି) ଆଗରେ ଏହି ମାମଲାରେ ନିଜର ପକ୍ଷ ରଖିବାକୁ ଦୂତିଙ୍କୁ ୨୧ ଦିନ ସମୟ ଦିଆଯାଇଛି । ଏଡିଡିପି ଆଗରେ ଶୁଣାଣି ସମୟରେ ଯଦିଓ ଦୂତି ନିଷିଧ ଔଷଧ ସେବନକୁ ଅସ୍ବୀକାର କରିଥିଲେ ତଥାପି ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରି ପାରିନଥିଲେ  । ଦୂତି ଜାତୀୟ ଆଣ୍ଟି ଡୋପିଂ ଏଜେନ୍ସିର ଧାରା ୨.୧, ୨.୨କୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ତାଙ୍କୁ ୪ ବର୍ଷ ବାସନ୍ଦ କରାଯାଇଛି  ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଡିସେମ୍ବର ୫ ଓ ୨୬ ତାରିଖରେ ନାଡାର ଡୋପ୍‌ ନିୟନ୍ତ୍ରକ ଅଧିକାରୀଙ୍କ ଦ୍ୱାରା ଭୁବନେଶ୍ବରରେ ଦୁଇଥର ଦୂତିଙ୍କର ପରୀକ୍ଷା କରାଯାଇଛି। ପ୍ରଥମ ନମୁନାରେ ନିଷିଦ୍ଧ ଔଷଧ ଆଣ୍ଡାରିନ୍‌, ଓଷ୍ଟାରିନ୍‌ ଓ ଲିଗାଣ୍ଡ୍ରୋଲ୍‌ ଆସିଥିଲା ବେଳେ ଦ୍ୱିତୀୟ ନମୁନାରେ ଆଣ୍ଡାରିନ୍‌ ଓ ଓଷ୍ଟାରିନ୍‌ ଥିବା ସ୍ପଷ୍ଟ ହୋଇଥିଲା।