Onn 3

ଦୋଷୀଙ୍କୁ କାହିଁକି ଛଡ଼ାଗଲା ? ଗୁଜୁରାଟ ସରକାରଙ୍କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

National & International

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବିଲକିସ୍‌ ବାନୋ ଗଣଦୁଷ୍କର୍ମ ମାମଲାର ୧୧ ଦୋଷୀଙ୍କୁ ମିଳିଥିବା ସ୍ୱତନ୍ତ୍ର କ୍ଷମା ଘଟଣାକୁ ନେଇ ଗୁଜୁରାଟ ସରକାରଙ୍କୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ। ୨୦୦୨ ଗୁଜରାଟ ଦଙ୍ଗା ବେଳେ ବିଲକିସ୍ ବାନୋଙ୍କୁ ଦୁଷ୍କର୍ମ କରାଯିବା ସହ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ଏହି ଭୟଙ୍କର ଘଟଣାରେ ୧୧ ଦାଷୀଙ୍କୁ ଗୁଜରାଟ ସରକାର କ୍ଷମା ନୀତି ବଳରେ ଜେଲରୁ ଖଲାସ କରିବା ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ।

କେବଳ ବିଲକିସ୍ ବାନୋ ମାମଲାର ଦୋଷୀଙ୍କୁ ହିଁ କାହିଁକି କ୍ଷମା ପ୍ରଦାନ କରାଗଲା ? ଅନ୍ୟ କଏଦୀମାନଙ୍କ ଦଣ୍ଡ କାହିଁକି କୋହଳ କରାଗଲାନି ବୋଲି ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ପଚାରିଛନ୍ତି। ଯେତେବେଳେ ଗୋଧ୍ରା କୋର୍ଟ ଏହି ମାମଲାର ଶୁଣାଣି କରିନଥିଲେ, ତେବେ କାହିଁକି ସେହି କୋର୍ଟର ମତାମତ ନିଆଗଲା ? କାହିଁକି ଅନ୍ୟ କଏଦୀମାନଙ୍କୁ ଏପରି ଛାଡ଼ ସୁଯୋଗ ଦିଆଗଲାନି ? ବିଲକିସ୍ ବାନୋଙ୍କ ଦୋଷୀମାନଙ୍କ ପାଇଁ ଜେଲ ପରାମର୍ଶଦାତା କମିଟି କେଉଁ ଆଧାରରେ ଗଠନ କରାଯାଇଥିଲା ? ଗୁଜୁରାଟ ସରକାରଙ୍କୁ ଏପରି ଅନେକ ପ୍ରଶ୍ନବାଣରେ ଘାଇଲା କରିଛନ୍ତି ସର୍ବୋଚ୍ଚ ଅଦାଲତ।

ଜଷ୍ଟିସ ବିଭି ନାଗରତ୍ନା ଓ ଜଷ୍ଟିସ ଉଜ୍ଜଲ ଭୂୟାଁଙ୍କ ଖଣ୍ଡପୀଠ ନିଜର ଅସନ୍ତୋଷ ପ୍ରକାଶ କରି ଗୁଜୁରାଟ ସରକାରଙ୍କୁ ଏପରି ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି। ସୂଚନା ଥାଉକି ଏହି ମାମଲାରେ ସମସ୍ତ ୧୧ ଦୋଷୀଙ୍କୁ ଆଜୀବନ ଜେଲ୍ ହୋଇଥିଲା। କିନ୍ତୁ ଗୁଜୁରାଟ ସରକାର ଗତବର୍ଷ ଅଗଷ୍ଟ ୧୫ରେ ସ୍ୱତନ୍ତ୍ର କ୍ଷମାନୀତି ବଳରେ ଏମାନଙ୍କୁ ଖଲାସ କରିଥିଲେ। ଏହା ବିରୋଧରେ ଏକାଧିକ ସାମାଜିକ ସଂଗଠନ ଓ ବିଲ୍‌କିସ୍ ବାନୋ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।ବିଲକିସ୍‌ ବାନୋ ଗତବର୍ଷ ନଭେମ୍ବର ମାସରେ ସୁପ୍ରିମକୋର୍ଟ ଚ୍ୟାଲେଞ୍ଜ କରିଥିଲେ। ତେବେ ବିଲକିସ୍ ବାନୋଙ୍କ ଆବେଦନ ଉପରେ ପରବର୍ତ୍ତୀ ଶୁଣାଣି ବର୍ତ୍ତମାନ ଅଗଷ୍ଟ ୨୪ରେ ହେବ।