Onn 3

ଖୁବଶୀଘ୍ର ଓଡ଼ିଶାରୁ ଗଡ଼ିବ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ

State

Odisha-To-Get-Second-Vande-Bharat-Express

ଭୁବନେଶ୍ୱର: ଖୁବଶୀଘ୍ର ଓଡ଼ିଶାରେ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ ଆରମ୍ଭ ହେବାକୁ ଯାଉଛି। ଦ୍ୱିତୀୟ ବନ୍ଦେ ଭାରତ ରାଉରକେଲାରୁ ଭୁବନେଶ୍ୱର ଯାଏଁ ଚାଲିବ ବୋଲି ଭୁବନେଶ୍ୱରରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ତାଳଚେରକୁ ଯୋଡ଼ିବ ଏହି ଟ୍ରେନ। ଏଦିଗରେ କାମ ପ୍ରାୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

ସୂଚନା ଅନୁସାରେ, ଗତ ମେ ମାସରେ ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ପ୍ରଥମଥର ପାଇଁ ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସ ଗଡ଼ିଥିଲା। ପୁରୀ-ହାୱଡା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଯାତ୍ରା ଆରମ୍ଭ କରାଯାଇଥିଲା। ଭର୍ଚ୍ଚୁଆଲ ମୋଡରେ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ଉଦ୍‌ଘାଟନ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ପୁରୀ ବିଧାୟକ ଓ ସାଂସଦ ଉପସ୍ଥିତ ଥିଲେ। ସେହି ସମୟରେ ବନ୍ଦେ ଭାରତ ଲୋକାର୍ପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପାଇଁ ଆଉ ୨ଟି ବନ୍ଦେ ଭାରତ ଦାବି କରିଥିଲେ।

ଅନ୍ୟପଟେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଖୁବଶୀଘ୍ର ବନ୍ଦେ ମେଟ୍ରୋ ଆରମ୍ଭ ହେବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି। ବନ୍ଦେ ମେଟ୍ରୋ ଆରମ୍ଭ ହେଲେ ଓଡ଼ିଶାକୁ ବହୁତ ଫାଇଦା ହେବ ବୋଲି ସେ କହିଛନ୍ତି। ବନ୍ଦେ ମେଟ୍ରୋ ପୁରୀ-ଭୁବନେଶ୍ବର-କଟକ ଚାଲିବା ଯୋଜନା ରହିଛି।