Onn 3

ମଧ୍ୟାହ୍ନରେ ମିଶନ କାଫେର ଉଦ୍‌ଘାଟନ କଲେ ବିଧାୟିକା, ସନ୍ଧ୍ୟାରେ ତାଲା ପକାଇଦେଲେ ସରପଞ୍ଚ

State

JSG-MISSION-2

ଝାରସୁଗୁଡା: ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସଙ୍କ ଦ୍ୱାରା ଉଦଘାଟିତ ଏକ ମିଶନ ଶକ୍ତି କାଫେକୁ ମାତ୍ର କିଛି ଘଣ୍ଟା ପରେ ସ୍ଥାନୀୟ ସରପଞ୍ଚ ତାଲା ପକାଇ ଦେଲେ। ଲଇକେରା ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରିୟମ୍ବଦା ବେହେରା କହିଛନ୍ତି ଯେ ଉଦଘାଟନ ଉତ୍ସବରେ ସେ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି।

ରବିବାର ଦୀପାଳି ଦାସ ବହୁ ଧୁମଧାମରେ ମିଶନ ଶକ୍ତି କାଫେକୁ ଉଦଘାଟନ କରିଥିଲେ। ନିଜ ଟ୍ବିଟରର ହ୍ୟାଣ୍ଡେଲରେ ସେ ଲେଖିଛନ୍ତି, ଆଜି ଝାରସୁଗୁଡ଼ାର ଲଇକେରା ପଞ୍ଚାୟତରେ ଆଉ ଏକ ମିଶନ ଶକ୍ତି କାଫେ ଉଦଘାଟିତ ହୋଇଛି। ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀୟୁକ୍ତ ନବୀନ ପଟ୍ଟନାୟକଙ୍କୁ ହୃଦୟର ସହିତ ଧନ୍ୟବାଦ ଜଣାଉଛି, ଯିଏକି ରାଜ୍ୟର ବିକାଶ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବରେ ମହିଳା ସଶକ୍ତିକରଣ ପ୍ରତି ନିରନ୍ତର ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି।

ତେବେ ଉଦଘାଟନର ମାତ୍ର କିଛି ଘଣ୍ଟା ପରେ ଏହି କାଫେରେ ତାଲା ଝୁଲିବା ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ପାଇଛି। କାଫେ ଚଳାଇବା ପାଇଁ ଦୁଇଟି ରୁମ୍ ଯୋଗାଇ ଦେଇଥିବା ସରପଞ୍ଚ ପ୍ରିୟମ୍ବଦା ଦାବି କରିଛନ୍ତି। ହେଲେ ଉଦଘାଟନୀ କାର୍ଯ୍ୟକ୍ରମରେ ଲଗାଯାଇଥିବା ଫଳକରେ ତାଙ୍କ ନାମ ନରହିବା ଏବଂ ବସିବାକୁ ସିଟ୍ ବି ଦିଆଯାଇନଥିବା ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ସେ କହିଛନ୍ତି,ବିଡିଓଙ୍କ ଅନୁରୋଧ ପରେ ମୁଁ ମୋ ରୁମ୍ ଦୁଇଟି କାଫେ ପାଇଁ ମିଶନ ଶକ୍ତିକୁ ଦେଇଥିଲି। ହେଲେ ଉଦଘାଟନ  ବେଳେ ସେମାନେ ମୋ ସାହାଯ୍ଯକୁ ସ୍ବୀକାର ମଧ୍ୟ କରିନଥିଲେ। ଏପରିକି ଉଦଘାଟନ କାର୍ଯ୍ୟକ୍ରମରେ ମୋତେ ବସିବା ପାଇଁ ସିଟ୍ ମଧ୍ୟ ଦିଆଯାଇନଥିଲା। ତେଣୁ ମୁଁ ମୋ ରୁମ୍ଗୁଡ଼ିକୁ କାଫେକୁ ହସ୍ତାନ୍ତର କରିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିନେଇଛି ଏବଂ ଏହାକୁ ବନ୍ଦ କରିଦେଇଛି। ମାମଲାର ଆପୋଷ ସମାଧାନ ନହେବା ଯାଏଁ ତାଲା ପକାଇ ରଖାଯିବ ବୋଲି ସରପଞ୍ଚ କହିଛନ୍ତି।