Nimnamanara Pichu Rasta

ରାସ୍ତା ଉନ୍ନତିକରଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା କଟକ ଚାନ୍ଦବାଲି ରାସ୍ତା ପଟ୍ଟନାୟକ ଛକ ଠାରୁ କୂଳ ବଡ଼କ୍ଷୀର ଭାୟା ମାଳିଆଛକ ରୁ କଟରପଡ଼ା ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଦୀର୍ଘଦିନ ହେବ ଆରମ୍ଭ ହୋଇଥିଲେ ମଧ୍ୟ ଅଦ୍ୟାବଧି ଶେଷ ହୋଇନାହିଁ । ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ଙ୍କ ଖାମଖିଆଲି ନୀତି ଯୋଗୁଁ ଯେତିକି ରାସ୍ତା କାର୍ଯ୍ୟ କରାଯାଇଛି ତାହା ଅତ୍ୟନ୍ତ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ପୂର୍ବରୁ ହୋଇଥିବା ଢଳେଇ ରାସ୍ତାରେ ଗୋଡ଼ି ଉଠି ଦେଖାଯାଉଥିବା ବେଳେ ବର୍ତ୍ତମାନ କରାଯାଉଥିବା ପିଚୁ ରାସ୍ତା କାର୍ଯ୍ୟ କୁ ମଧ୍ୟ ସମ୍ପୂର୍ଣ୍ଣ ସରକାରୀ ନୀତିନିୟମ ଉଲ୍ଲଙ୍ଘନ କରାଯାଇ ନିର୍ମାଣ କାର୍ଯ୍ୟ ହେଉଥିବା ଦେଖାଯାଇଛି । ଏଭଳି ନିମ୍ନମାନର କାମ ହେଊଥିବା ଦେଖି କେତେକ ଗାମବାସୀ ରାସ୍ତା କାର୍ଯ୍ୟ ବନ୍ଦ କରିଦେଇଥିବା ଜଣାଯାଇଛି । ରାଜ୍ୟ ଶ୍ରମ ମନ୍ତ୍ରୀ ଖୋଦ୍ ଶାରଦା ନାୟକଙ୍କ ପୈତୃକ ଗ୍ରାମରେ ଥିବା ଘର ଆଗରେ ଉକ୍ତ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଏଭଳି ନିମ୍ନମାନର କରାଯାଉଥିବା ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ଉକ୍ତ ଗ୍ରାମ୍ୟ ଉନ୍ନୟନ ରାସ୍ତା ୮.୨୦୦ କି.ମି ଦୈର୍ଘ୍ୟକୁ ଉନ୍ନତିକରଣ କାର୍ଯ୍ୟ ନିମନ୍ତେ ୭କୋଟି ୨୦ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି । ପୂର୍ବରୁ ଥିବା ପିଚୁକୁ ସମ୍ପୂର୍ଣ୍ଣ ଉଠାଯାଇ ତା’ ଉପରେ ପୁର୍ନବାର ମେଣ୍ଟାଲ, ପଡ଼ି ପିଚୁ ହେବା ପାଇଁ ସରକାରୀ ଭାବେ ବିଭାଗୀୟ ପକ୍ଷରୁ ଆକଳନ କରାଯାଇଥିଲା ବେଳେ ଠିକାଦାର ଜଣକ ଏହି ନିୟମରେ କାର୍ଯ୍ୟ କରୁନାହାଁନ୍ତି । ରାସ୍ତାରେ ଥିବା ପୁରୁଣା ପିଚୁକୁ ଉଠାଇ ଦେଇ ତାହାକୁ ଜେସିବି ସାହାଯ୍ୟରେ ଭାଙ୍ଗି ପୁର୍ନବାର ଉକ୍ତ ରାସ୍ତାରେ ପକାଇ ରୋଲିଂ କରୁଥିବାରୁ କେତେକ ଗ୍ରାମବାସୀ ଏହାକୁ ବିରୋଧ କରୁଛନ୍ତି । କାର୍ଯ୍ୟ ଚାଲୁଥିବାବେଳେ ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁନଥିବାବେଳେ ଅଜୟ କୁମାର ନାୟକ , ୱାର୍ଡ଼ସଭ୍ୟ କାହ୍ନୁଚରଣ ନାୟକ, ମଥୁରା ସେଠୀ, ରବୀନ୍ଦ୍ର ନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି । ସରକାରୀ ନୀତି ନିୟମ ଅନୁଯାୟୀ ରାସ୍ତା କାର୍ଯ୍ୟ କରାନଗଲେ ଏହାର ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଆବଶ୍ୟକ ହେଲେ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ଚିରାଚରିତ ଢଙ୍ଗରେ ରାସ୍ତା କାର୍ଯ୍ୟର ତଦନ୍ତ କରାଯିବ ସତ୍ୟାସତ୍ୟ ଜଣାପଡ଼ିଲେ ଠିକାଦାରଙ୍କ ବିଲ କାଟ କରାଯିବ ବୋଲି ପ୍ରକାଶ କରିଥିଲେ ।