Onn 3

ମାନସିକ ସ୍ବାସ୍ଥ୍ୟ ଓ ‘ଏଆଇ ଟୁଲ୍‌’ ଭାଷିଣୀ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବାରୋପ

National & International

 

pmm-4-750x430

ନୂଆଦିଲ୍ଲୀ: ମାନସିକ ସ୍ବାସ୍ଥ୍ୟ ଓ ‘ଏଆଇ ଟୁଲ୍‌’ ଭାଷିଣୀ ଉପରେ ଆଜି ‘ମନ୍‌ କୀ ବାତ୍‌’ର ୧୦୮ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ବାରୋପ କରିଛନ୍ତି।

ଆଜିର ଏହି କାର୍ଯ୍ୟକ୍ରମରେ ‘ଫିଟ୍‌ ଇଣ୍ଡିଆ ଆନ୍ଦୋଳନ’ ପ୍ରତି ଦେଶବାସୀଙ୍କ ପ୍ରତିକ୍ରିୟାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ ଶାରୀରିକ ସାମର୍ଥ୍ୟ ସହିତ ମାନସିକ ସ୍ବାସ୍ଥ୍ୟର ଗୁରୁତ୍ବ ଉପରେ  ଆଲୋଚନା କରିଛନ୍ତି। ଏଥିରେ ଭାଗ ନେଇ ନିଜ ‘ଫିଟ୍‌ନେସ୍‌ ରୁଟିନ୍‌’ ସେୟାର୍‌ କରିବା ସହିତ ଚେସ୍‌ ଖେଳାଳି ବିଶ୍ବନାଥନ୍‌ ଆନନ୍ଦ ଶାନ୍ତଶିଷ୍ଟ ଓ ମାନସିକ ଭାବେ ଠିକ୍‌ ରହିବାକୁ ଅନ୍ୟୂନ ୭ରୁ ୮ଘଣ୍ଟା ଶୋଇବା ଉପରେ ଗୁରୁତ୍ବ ଦେଇଛନ୍ତି।

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ମଧ୍ୟ କହିଛନ୍ତି, ଶାରୀରିକ ଭାବେ ସୁସ୍ଥ ରହିବାକୁ ଉପଯୁକ୍ତ ଭୋଜନ ଅପରିହାର୍ଯ୍ୟ। ଏହାଛଡ଼ା, ରାସାୟନିକ ପଦାର୍ଥ ଓ କୃତ୍ରିମ ଖାଦ୍ୟ ନ ଖାଇ ସ୍ବାସ୍ଥ୍ୟ ବୃଦ୍ଧି ନ କରି ପ୍ରାକୃତିକ ଉପାୟ ଅବଲମ୍ବନ କରିବା ଲାଗି ଅକ୍ଷୟ ପରାମର୍ଶ ଦେଇଛନ୍ତି।

‘ଏଆଇ ଟୁଲ୍‌ସ୍‌’ ବା ‘ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌’ର ଗୁରୁତ୍ବ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଅଭିନବ ପ୍ରଯୁକ୍ତିବିଦ୍ୟା ସମାଜର ବିଭିନ୍ନ କ୍ଷେତ୍ରରେ ସୁବିଧା କରିଛି। ‘କାଶୀ-ତାମିଲ୍‌ ସଙ୍ଗମମ୍‌’ କାର୍ଯ୍ୟକ୍ରମ କଥା ସ୍ମରଣ କରି ସେ ସ୍ବଦେଶୀ ‘ଏଆଇ’ ଅନୁବାଦକ ‘ଭାଷିଣୀ’ ଆପ୍‌ର ଦୃଷ୍ଟାନ୍ତ ସେ କହିଛନ୍ତି, ଏହି ‘ଆପ୍‌’ ହିନ୍ଦୀ ଭାଷାର ଭାଷଣକୁ ଅନାୟାସରେ ତାମିଲ ଭାଷାରେ ଅନୁବାଦ କରିପାରିଲା। ଅଦାଲତ ଓ ଶିକ୍ଷା ସମେତ ଅନେକ କ୍ଷେତ୍ରରେ ଏହି ପ୍ରଯୁକ୍ତିବିଦ୍ୟା ଖୁବ୍‌ ସହାୟକ ହେବ। ଯୁବବର୍ଗଙ୍କୁ ଅନୁରୋଧ ସେମାନେ ‘ଏଆଇ ଟୁଲ୍‌’ ସମ୍ବନ୍ଧୀୟ ‘ରିଅଲ୍‌-ଟାଇମ୍‌’ ଅନୁବାଦ କରି ଏହାକୁ ଶତପ୍ରତିଶତ ପ୍ରମାଣସିଦ୍ଧ କରନ୍ତୁ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ କହିଲେ, ଆଜି ହେଉଛି ‘ମନ୍‌ କୀ ବାତ୍‌’ର ୧୦୮ତମ ସଂସ୍କରଣ ଏବଂ ଆମ ସମାଜରେ ୧୦୮ ସଂଖ୍ୟାର ବିଶେଷ ମହତ୍ତ୍ବ ରହିଛି।

ସେ କହିଛନ୍ତି, ବିକଶିତ ଭାରତର ଉଚ୍ଛ୍ବାସ, ଆତ୍ମ-ନିର୍ଭରଶୀଳତାର ଉଚ୍ଛ୍ବାସରେ ଉଦ୍‌ବୁଦ୍ଧ ହୋଇ ଭାରତ ଆତ୍ମବିଶ୍ବାସରେ ଉଛୁଳି ଉଠୁଛି। ୨୦୨୪ରେ ମଧ୍ୟ ଆମେ ଏହି ପ୍ରାଣଚ୍ଛ୍ବାସ ଓ ଗତିଶୀଳତା ବଜାୟ ରଖିବା।

‘ଇସ୍ରୋ’ର ଚନ୍ଦ୍ରଯାନର ସଫଳତା କଥା ଉଠାଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଚନ୍ଦ୍ରଯାନ-୩ର ସଫଳତା ଲାଗି ଆଜି ମଧ୍ୟ ଲୋକେ ମୋତେ ଅଭିନନ୍ଦନ ଜଣାଇ ବାର୍ତ୍ତା ପଠାଉଛନ୍ତି। ମୁଁ ନିଶ୍ଚିତ ଯେ, ମୋ ପରି ଆପଣମାନେ ମଧ୍ୟ ଆମ ବୈଜ୍ଞାନିକ, ବିଶେଷକରି ବୈଜ୍ଞାନିକାମାନଙ୍କ ଲାଗି ଗୌରବ ବୋଧ କରୁଥିବେ।

ଚଳିତ ବର୍ଷ ଆମ କ୍ରୀଡ଼ାବିତ୍‌ମାନେ ଅସାଧାରଣ କ୍ରୀଡ଼ା ପ୍ରଦର୍ଶନ କରିଛନ୍ତି। ଆମ ଖେଳାଳିମାନେ ଏସୀୟ କ୍ରୀଡ଼ାରେ ୧୦୭ଟି ପଦକ ଓ ଏସୀୟ ପାରା କ୍ରୀଡ଼ାରେ ୧୧୧ଟି ପଦକ ହାସଲ କରିଛନ୍ତି। କ୍ରିକେଟ୍‌ ବିଶ୍ବକପ୍‌ରେ ଭାତୀୟ ଖେଳାଳିମାନେ ଉତ୍କୃଷ୍ଟ ପାରଦର୍ଶିତା ପ୍ରଦର୍ଶନ କରି ସଭିଙ୍କର ପ୍ରିୟଭାଜନ ହୋଇପାରିଛନ୍ତି। ଏଥର ୨୦୨୪ରେ ପ୍ୟାରିସ୍‌ ଅଲିମ୍ପିକ୍ସ୍‌ ଆୟୋଜନ କରାଯିବ। ସେଥିପାଇଁ ଦେଶବାସୀ ଖେଳାଳିମାନଙ୍କୁ ଉତ୍ସାହ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନ ପୂର୍ବରୁ ‌ଜନସାଧାରଣଙ୍କଠାରୁ ମିଳିଥିବା ମତାମତକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ଜାନୁଆରି ୨୨ରେ ହେବାକୁ ଥିବା ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ମିଳିଥିବା ଅନେକ କବିତା, ଗଦ୍ୟ ଓ ଅନ୍ୟାନ୍ୟ ସର୍ଜନାତ୍ମକ ଉପାଦାନକୁ ସେ ସ୍ବୀକାର କରିଛନ୍ତି। ରାମ ମନ୍ଦିର ଉଦ୍‌ଘାଟନ ସମ୍ବନ୍ଧୀୟ ସମସ୍ତ କଳାକୃତିଦ୍ବାରା #RamBhajan ସାମାଜିକ ଗଣମାଧ୍ୟମ ଡ୍ରାଇଭ୍‌କୁ ସମୃଦ୍ଧ କରିବା ଲାଗି ସେ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି।

ପରିଶେଷରେ ସେ ୨୦୨୪ ପାଇଁ ଦେଶବାସୀଙ୍କ ସଫଳତା ଓ ସୁଖ ଏବଂ ସୁସ୍ବାସ୍ଥ୍ୟ କାମନା କରିଛନ୍ତି।