Onn 3

ରାଜଧାନୀରେ ‘ହର ଘର ତ୍ରିରଙ୍ଗା’ ଯାତ୍ରା, ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ, ସାଂସଦ ଅପରାଜିତା

State

BBSR-HAR-GHAR-ABHIJAN

ଭୁବନେଶ୍ୱର: ମଙ୍ଗଳବାର ୭୭ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ସାରା ଦେଶରେ ପ୍ରସ୍ତୁତି ଚାଲିଥିବା ବେଳେ ବିଜେପି ରାଜ୍ୟ ଶାଖା ପକ୍ଷରୁ ସୋମବାର ଭୁବନେଶ୍ୱରରେ ‘ହର ଘର ତ୍ରିରଙ୍ଗା’ ରାଲି ଆୟୋଜନ କରାଯାଇଛି। ଦଳର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ପକ୍ଷରୁ ଆୟୋଜିତ ତ୍ରିରଙ୍ଗା ଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜିଲ୍ଲା ସଭାପତି ବାବୁ ସିଂଙ୍କ ସମେତ ଦଳୀୟ କର୍ମୀମାନେ ସାମିଲ ହୋଇଛନ୍ତି।

ଏକ କିଲୋମିଟରରୁ ଉର୍ଦ୍ଧ୍ୱ ତ୍ରିରଙ୍ଗା ଧରି ଗେରୁଆ ଦଳର କର୍ମୀମାନେ ଲିଙ୍ଗରାଜ ମନ୍ଦିରରୁ ରାଲି ଆରମ୍ଭ କରିଥିଲେ। ଏହି ରାଲି ମାଷ୍ଟରକ୍ୟାଣ୍ଟିନ୍ ଛକରେ ଶେଷ ହୋଇଛି। ଏହି ଅବସରରେ ସାଂସଦ ଷଡ଼ଙ୍ଗୀ କହିଛନ୍ତି, କଂଗ୍ରେସର ସୁଚିନ୍ତିତ ନିର୍ଣ୍ଣୟ ଥିଲା ୧୯୪୭ରେ ଭାରତର ବିଭାଜନ ହେଉ। ଏଥିପାଇଁ ସାରା ଦେଶ କଂଗ୍ରେସକୁ କେବେ ବି କ୍ଷମା କରିପାରିବନି। ଏହାର ଜବାବ ଦେବାକୁ ପଡିବ କଂଗ୍ରେସକୁ। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ଦେଶର ଗାଁ ଗାଁରେ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ୭୭ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଭୁବନେଶ୍ୱର ଠାରେ ଆୟୋଜିତ #HarGharTiranga ପଦଯାତ୍ରାରେ ସାମିଲ ହେଲି । ଆସନ୍ତୁ, ଆମେ ସମସ୍ତେ ଦେଶଭକ୍ତିର ଭାବନାରେ ଏହି ‘ହର୍‌ ଘର୍‌ ତ୍ରିରଙ୍ଗା’ ଯାତ୍ରାରେ ସାମିଲ ହେବା ଓ ନିଜ ଘରେ ରାଷ୍ଟ୍ରୀୟ ଧ୍ୱଜା ଉତ୍ତୋଳନ କରିବା ସହ ଜାତୀୟ ଏକତା, ଶାନ୍ତି ଓ ସାମାଜିକ ସୌହାର୍ଦ୍ଦ୍ୟର ବାର୍ତ୍ତା ବାଣ୍ଟିବା।

ଉଲ୍ଲେଖଯୋଗ୍ୟ, ‘ଆଜାଦୀ କା ଅମୃତ ମହୋତ୍ସବ’ ଅଧୀନରେ ସମସ୍ତ ପ୍ରୟାସର ତଦାରଖ କରୁଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମକୁ ଅନୁମୋଦନ କରିଥିଲେ, ଯାହା ଭାରତୀୟମାନଙ୍କୁ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ପ୍ରେରଣା ଯୋଗାଇବ। ‘ହର ଘର ତିରଙ୍ଗା’ ଅଭିଯାନର ଅଂଶ ସ୍ୱରୂପ ସଂସ୍କୃତି ମନ୍ତ୍ରଣାଳୟ ପାଖାପାଖି ୨.୫ କୋଟି ଜାତୀୟ ପତାକା ବିକ୍ରି ପାଇଁ ଡାକଘରଗୁଡ଼ିକୁ ଯୋଗାଇ ଦେଇଛି।

ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୩ରୁ ୧୫ ମଧ୍ୟରେ ‘ହର ଘର ତ୍ରିରଙ୍ଗା’ ଆନ୍ଦୋଳନରେ ଭାଗ ନେବାକୁ ଲୋକଙ୍କୁ ଅନୁରୋଧ କରି କହିଛନ୍ତି ଯେ ଏହି ତ୍ରିରଙ୍ଗା ସ୍ୱାଧୀନତା ଏବଂ ଜାତୀୟ ଏକତା ଭାବନାର ପ୍ରତୀକ। ରାଜଧାନୀରେ  ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଦଳର ନେତ୍ରୀ ସୁନୀତି ମୁଣ୍ଡ ଏବଂ ଅନ୍ୟ କର୍ମକର୍ତ୍ତା ସମିଲ ହୋଇଥିଲେ।