Onn 3

ଅର୍ଥ ମଂଜୁରର ବର୍ଷେ ପରେ ଆରମ୍ଭ ହେଲା ସ୍ୱାସ୍ଥ୍ୟକେନ୍ଦ୍ରର ବିକାଶ କାର୍ଯ୍ୟ

State

ଆଗରପଡ଼ା : ଗତ ବର୍ଷ ଅଗଷ୍ଟ ମାସ ୧୩ ତାରିଖରେ ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ସମିତି ଅଧ୍ୟକ୍ଷ ତଥା ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଜିଲ୍ଲା ପରିଷଦ ସଭାପତି ପ୍ରଫୁଲ୍ଲ ଜେନା,ବ୍ଲକ ଅଧ୍ୟକ୍ଷ ମନୋରଜଂନ ଘଡ଼େଇ,ସିଡ଼ିଏମଓ ଡ଼ାକ୍ତର ସନ୍ତୋଷ ପାତ୍ର,ବିଡ଼ିଓ ଶୁଭ ଦର୍ଶନ ମିଶ୍ର,ତତ୍କାଳୀନ ସ୍ୱାସ୍ଥ୍ୟ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟ ଡ଼ାକ୍ତର ବିଳାସିନୀ ବେହେରା,ଜାତୀୟ ସ୍ୱାସ୍ଥ୍ୟ ମିଶନ ଆସିଷ୍ଟାଣ୍ଟ ଇଂଜିନିୟର ଜନ୍ମେଜୟ ଜେନା,ପୁରୁଷଣ୍ଢ ସେବା ସମବାୟ ସମିତି ସଭାପତି ପ୍ରଶାନ୍ତ ଦାଶ,ବ୍ଲକ ବିଜେଡ଼ି ଯୁବ ସଭାପତି ସତ୍ୟ ସାଧନ ବେଜ,ଶ୍ରୀନାଥ ମହାନ୍ତି,କାହ୍ନୁଚରଣ ଦାସ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଜିଲ୍ଲାର ଏକ ମାତ୍ର ଏହି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭିତ୍ତି ଭୂମି ଉନ୍ନତି ପାଇଁ ୯କୋଟି ୯୦ଲକ୍ଷ ଟଙ୍କା ମଂଜୁର ହୋଇଛି ବୋଲି ସ୍ୱାସ୍ଥ୍ୟ ମିଶନ ଆସିଷ୍ଟାଣ୍ଟ ଇଂଜିନିୟର ଶ୍ରୀ ଜେନା ସୂଚନା ଦେଇଥିଲେ । ଷ୍ଟାଫ କ୍ୱାଟର୍ସ ନିର୍ମାଣ,ବିଶେଷଜ୍ଞ ଡ଼ାକ୍ତର ନିଯୁକ୍ତି,ରୋଗୀ ଶଯ୍ୟା ୬୦କୁ ବୃଦ୍ଧି,ଆବଶ୍ୟକୀୟ ଉପକରଣ ଯୋଗାଣ ଆଦି ସଂପର୍କରେ ଆଲୋଚନା ହୋଇଥିଲା । ଇତି ମଧ୍ୟରେ ଉକ୍ତ ବୈଠକକୁ ୧ବର୍ଷ ବିତିବାକୁ ବସିଛି ଏବଂ ସ୍ୱାସ୍ଥ୍ୟକେନ୍ଦ୍ରର ବିକାଶ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ;୧୯୯୨ ମସିହାରେ ଆଗରପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ପାଇଥିଲା । ଇତି ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତାକୁ ୩୦ ବର୍ଷ ବିତିଯାଇଥିଲେ ସୁଦ୍ଧା ଏଠାରେ ଲାଗି ରହିଥିବା ସମସ୍ୟାର ସମାଧାନ ପ୍ରତି ଜନ ପ୍ରତିନିଧି କିମ୍ବା ବିଭାଗୀୟ ଅଧିକାରୀ କେହି ଦୃଷ୍ଟି ନଦେବା ବଡ଼ ଦୁଃଖ ଓ ଅନୁତାପର ବିଷୟ । ବ୍ଲକର ଏକମାତ୍ର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବ୍ଲକର ୨୫ଗୋଟି ପଂଚାୟତ ବାସୀଙ୍କ ସମେତ ପଡ଼ୋଶୀ କେନ୍ଦୁଝର ଜିଲ୍ଲା ହାଟଡ଼ିହୀ ଓ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକର ଅଧିକାଂଶ ପଞ୍ଚାୟତବାସୀ ନିର୍ଭର କରିଥାନ୍ତି । ଏହାକୁ ଆଖି ଆଗରେ ରଖି ସରକାର ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟିକୁ ୨୦୧୬ ମସିହାରେ ଏଫଆରୟୁ ମାନ୍ୟତା ପ୍ରଦାନ କରିଥିଲେ । ଜିଲ୍ଲାରେ ୨ଗୋଟି ଏଫଆରୟୁ ମାନ୍ୟତା ପାଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଟିରୁ ଏହା ଅନ୍ୟତମ । ଉକ୍ତ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯେଉଁଠି ବିଶେଷଜ୍ଞ ଡ଼ାକ୍ତରଙ୍କ ସମେତ ୮ରୁ ୧୦ଜଣ ଡ଼ାକ୍ତର ରହିବା ଦରକାର ସେଠାରେ ଜଣିଏ ମାତ୍ର ଡ଼ାକ୍ତର ରୋଗୀ ସେବା କରୁଥିବା ଜଣାପଡ଼ିଛି । ଡ଼ାକ୍ତର ସମସ୍ୟାକୁ ନେଇ ‘ସକାଳ’ରେ ବାରମ୍ବାର ଖବର ପ୍ରକାଶିତ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଶିଶୁ ବିଭାଗ ବିଶେଷଜ୍ଞଙ୍କ ସମେତ ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ନିଯୁକ୍ତି ପାଇଥିଲେ ଓ ଉଭୟ ଗତ ଜୁଲାଇ ମାସ୧ ତାରିଖରୁ କାର୍ଯ୍ୟରେ ଯୋଗ ଦାନ କରିଛନ୍ତି କିନ୍ତୁ ଏମବିବିଏସ ଡ଼ାକ୍ତରଙ୍କ ମଧ୍ୟରୁ ବର୍ତ୍ତମାନ ଏଠାରେ ୨ଜଣ କାର୍ଯ୍ୟରତ ଅଛନ୍ତି । ଜଣଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର ଦାଇତ୍ୱ ଅର୍ପଣ କରାଯାଇଥିବାରୁ ଅନ୍ୟ ଜଣଙ୍କ ସମେତ ଆୟୁଷ ଡ଼ାକ୍ତର ଓ ଫାର୍ମାସିଷ୍ଟ ରୋଗୀ ସେବା କରୁଛନ୍ତି । ଏଠାରେ ଡ଼ାକ୍ତରଙ୍କ ଅଭାବ ଲାଗି ରହିଥିବାରୁ ରୋଗୀମାନେ ଠିକ୍ ଭାବେ ସେବା ପାଉନଥିବାର ଅଭିଯୋଗ ହେଉଛି । ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ସିବିସି ମେସିନ ଉପଲବ୍ଧ ଥିବା ସ୍ଥଳେ ମେସିନ ଖରାପ ହୋଇଥିବାର ଆଳ ଦେଖାଇ ରୋଗୀ ମାନଙ୍କୁ ବାହାରେ ପରୀକ୍ଷା କରିବାକୁ କୁହାଯାଉଥିବା ଅଭିଯୋଗ ହେଉଛି । ଦନ୍ତ ଚିକିତ୍ସା ନିମନ୍ତେ ନିଯୁକ୍ତି ପାଇଥିବା ଡ଼ାକ୍ତର ସମୟାନୁସାରେ ଅନୁପସ୍ଥିତ ରହୁଥିବାରୁ ଦନ୍ତ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀ ଠିକ୍ ଭାବେ ସେବା ପାଇ ପାରୁନଥିବା ଅଭିଯୋଗ ହେଉଛି । ଅଭିଯୋଗ ନେଇ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ବାରମ୍ବାର କରାଯାଉଥିଲେ ସୁଦ୍ଧା ସେ ଏଥିନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ତାଙ୍କୁ ପରୋକ୍ଷରେ ସହଯୋଗ କରୁଥିବା ଅଭିଯୋଗ ହେଉଛି । ଉକ୍ତ ଚିିକିତ୍ସା ସମସ୍ତ ସରଂଜାମ ସ୍ୱାସ୍ଥ୍ୟକେନ୍ଦ୍ରରେ ଉପଲବ୍ଧ ଥିଲେ ସୁ୍‌ଧା ତାଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଏହା କାର୍ଯ୍ୟରେ ଲାଗି ନପାରି ଖତ ଖାଉଥିବାର ଦେଖିବାକୁ ମିଳିଛି । ସେହିପରି ନିରାମୟରୁ େଓା÷ଷଧ ନେବା ପରିବର୍ତ୍ତେ ବାହାରୁ କିଣିବାକୁ ରୋଗୀ ସେବା କରୁଥିବା ଡାକ୍ତର ପରାମର୍ଶ ଦେଉଥିବା ଅଭିଯୋଗ ହେଇଛି ।

ସେହିପରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ରହିଥିଲେ ସୁଦ୍ଧା ଏହାର ସୁରକ୍ଷା ପାଇଁ କୈାଣସି ବ୍ୟବସ୍ଥା ନାହିଁ । ଏହି ସ୍ୱାସ୍ଥ୍ୟକେନ୍ଦ୍ର ରେ ବିଭିନ୍ନ ମୂଲ୍ୟବାନ ସରଞ୍ଜାମମାନ ରହିଛି । ମାତ୍ର ଏହାକୁ ଜଗିବା ପାଇଁ ସୁରକ୍ଷା କର୍ମୀମାନେ ୨୪ ଘଣ୍ଟିଆ ଡ଼୍ୟୁଟି କରୁଥିଲେ ସୁଦ୍ଧା ଗତ ୨୦୧୪ ମସିହା ଠାରୁ ଏହି ବ୍ୟବସ୍ଥା ନାହିଁ ବୋଲି ଜଣାପଡ଼ିଛି । ସୁରକ୍ଷା କର୍ମୀ ନଥିବାରୁ ସ୍ୱାସ୍ଥ୍ୟ କେନ୍ଦ୍ର ସାମ୍ନାରେ ବାଇକ୍ , ସାଇକେଲ ରହିବା ଫଳରେ ଆମ୍ବୁଲାନ୍ସ କିମ୍ବା ଅନ୍ୟାନ୍ୟ ରୋଗୀ ଆସୁଥିବା ବାଇକ ଓ ଯାନବାହାନ ଗୁଡ଼ିକ ଯାଆଆସ କରିବାରେ ସମସ୍ୟା ସୃଷ୍ଟି ହେଉଛି । ତେଣୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଜିଲ୍ଲାର ଏକ ମାତ୍ର ଏହି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭିତ୍ତି ଭୂମି ଉନ୍ନତି ପାଇଁ ମଂଜୁର ହୋଇଥିବା ୯କୋଟି ୯୦ଲକ୍ଷ ଟଙ୍କାର ଉପଯୁକ୍ତ ବିନିଯୋଗ କରିବା ସହିତ ଏଠାରେ ଲାଗି ରହିଥିବା ସମସ୍ୟାରେ ସୁଧାର ଅଣାନଗଲେ ଉକ୍ତ ଅର୍ଥରେ ହେବାକୁ ଥିବା ବିକାଶ ମୂଳକ କାର୍ଯ୍ୟ ମୂଲ୍ୟହୀନ ପାଲଟିବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ତେଣୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଟିକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ପାଇବାର ୩୦ବର୍ଷ ବିତିଯାଇଥିଲେ ସୁଦ୍ଧା ଏଠାରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ହେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।