Onn 3

ଆଗରପଡ଼ା ବସଷ୍ଟାଣ୍ଡରେ ନାହିଁ ବିଶ୍ରାମାଗାର

State

ଆଗରପଡ଼ା: ବହୁ ବାଦବିବାଦପରେ ଆଗରପଡ଼ା ବସଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେଲା କିନ୍ତୁ ଯାତ୍ରୀମାନେ ସେମାନଙ୍କ ମୌଳିକ ସୁବିଧାରୁ ଆଜିବି ବଂଚିତ ହେଉଥିବା ଜଣାପଡ଼ିଛି । ଏଠାରେ ଯାତ୍ରୀଙ୍କ ନିମନ୍ତେ ବିଶ୍ରାମାଗାରଟିଏ ନାହିଁ । ଯଦ୍ୱାରା ଯାତ୍ରୀମାନେ ଖରାବର୍ଷା ରେ ଠିଆହୋଇ ବସକୁ ଅପେକ୍ଷା କରୁଛନ୍ତି । ପରିମଳ ବ୍ୟବସ୍ଥା ପାଇଁ ଗୃହ ନିର୍ମାଣ ହୋଇଥିଲେ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହୋଇପାରୁନାହିଁ ।

ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଆଗରପଡ଼ା ୩ଟି ଜିଲ୍ଲା ଭଦ୍ରକ, ବାଲେଶ୍ୱର, କେନ୍ଦ୍‌ୁଝରର ସୀମାନ୍ତବର୍ତ୍ତୀ ସ୍ଥାନରେ ଅବସ୍ଥିତ । ଏଥିପାଇଁ ଏହି ସ୍ଥାନ ଦେଇ ବିଭିନ୍ନ ଅଂଚଳକୁ ଗାଡ଼ିମଟର ଚଳାଚଳ ପ୍ରତିଦିନ କରିଥାଏ । ଏହାକୁ ଦୃଷ୍ଟି ରେ ରଖି ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ପ୍ରଚେଷ୍ଟାରେ ସ୍ଥାନୀୟ ଡ଼ାଏଟ ଛକ ଠାରେ ୨୦୧୯ ମସିହାରେ ବସ୍‌ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ମୁହୁର୍ତ୍ତରେ ସାଂସଦ ଅନୁଦାନ ପାଣ୍ଠିରେ ଏହା ପୂର୍ଣ୍ଣାଙ୍ଗ ହୋଇଥିଲା । ମାତ୍ର ବର୍ଷ ୨୦୨୩ ଜୁନ ମାସ ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ହୋଇପାରିନଥିଲା । ଗତ ଜୁଲାଇ ମାସରେ ସ୍ଥାନୀୟ ଲୋକେ ଏଠାକୁ ବସ ଆସିବା ପାଇଁ ଦାବି କରିବାରୁ ବସ ମାଲିକ ମାନେ ୬ଦିନ ଧରି ବସ ଚଳାଚଳ ବନ୍ଦ ରଖିଥିଲେ । ପରେ ଯାତ୍ରୀଙ୍କ ସମସ୍ୟାକୁ ବିଚାରକୁ ନେଇ ଜିଲ୍ଲାପାଳ,ବସ ମାଲିକ,ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ପ୍ରତିନିଧିଙ୍କ ହସ୍ତକ୍ଷେପ ପରେ ଏହାର ସମାଧାନ ହୋଇଥିଲା । ସେହିପରି ଆଗରପଡ଼ା ଠାରୁ ବରପଦା ପର୍ଯ୍ୟନ୍ତ ଲମ୍ବିଥବା ରାସ୍ତାର ବିଭିନ୍ନ ଛକ ଜାଗାରେ ସ୍ଥାୟୀ ବିଶ୍ରାମାଗାର ନଥିବାରୁ ଯାତ୍ରୀମାନେ ଏଣେତେଣେ ବିଶ୍ରାମ ନେଉଥିବାର ଦେଖିବାକୁ ମିଳୁଛି । ଆଗରପଡ଼ା ଠାରୁ ଭଦ୍ରକ ପର୍ଯ୍ୟନ୍ତ ଲମ୍ବିଥବା ଏହି ବ୍ୟସ୍ତ ବହୁଳ ରାସ୍ତା ପାଶ୍ୱର୍ରେ ବିଭିନ୍ନ ସ୍ଥାନରେ ବିଶ୍ରାମାଗାର ମାନ ନିର୍ମାଣ ହୋଇଛି । ମାତ୍ର ଏହି ବିଶ୍ରାମାଗାର ଗୁଡ଼ିକ ଅବସ୍ଥା ଠିକ୍ ନଥିବାରୁ ଯାତ୍ରୀମାନେ ଏହା ମଧ୍ୟରେ ବସିବା ତ ଦୂରରକଥା,ଏହା ଭିତରକୁ ପଶିବାକୁ ଇଚ୍ଛା ପ୍ରକାଶ କରୁ ନାହାଁନ୍ତି । ଖରାରେ ଓ ବର୍ଷାରେ ଘଣ୍ଟା ଘଣ୍ଟା ଧରି ଖୋଲା ଆକାଶ ତଳେ ରହି ବସକୁ ଅପେକ୍ଷା କରୁଛନ୍ତି । ସ୍ଥାନୀୟ କଲେଜ ଛକ ଠାରେ ଆଜିଯାଏ ବିଶ୍ରାମାଗାର ନିର୍ମାଣ ହୋଇପାରି ନାହିଁ । ମହତାବ ଛକ ଠାରେ ଥିବା ବିଶ୍ରାମାଗାରଟି ରାସ୍ତା ପ୍ରଶସ୍ତିକରଣ ସମୟରେ ଭାଙ୍ଗି ଦିଆଯାଇଛି । ସିନେମା ହଲ ଛକ ବିଶ୍ରାମାଗାର ବ୍ୟବହାର ଯୋଗ୍ୟ ହୋଇପାରୁ ନାହିଁ । ଏଠାରୁ ୨ କିମି ଦୂରବର୍ତ୍ତୀ ବିଶଲକଣା, ଶେଉଳଗଡ଼ିଆ, ଜାମବଣୀ ଛକ ରେ ଥିବା ବିଶ୍ରାମାଗାର ଅବ୍ୟବହୃତ ଅବସ୍ଥାରେ ରହିଛି ।

ସେହିପରି ରାସ୍ତା ପ୍ରଶସ୍ତିକରଣ ବେଳେ କାଦବରାଙ୍ଗ ବଜାରରେ ଥିବା ବିଶ୍ରାମାଗାର କୁ ଭଙ୍ଗା ଯାଇଥିବା ବେଳେ ସେଠାରେ କିଛି ଉଦ୍ୟମି ଯୁବକଙ୍କ ପ୍ରଚେଷ୍ଟାରେ ଏକ ଅସ୍ଥାୟୀ ବିଶ୍ରମାଗାର ନିର୍ମାଣ କରାଯାଇଛି । ବୋଡ଼କମହାଜୀବ ଛକରେ ଥିବା ବିଶ୍ରାମାଗାର ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଛି । ବିଧାୟକଙ୍କ ଅନୁଦାନ ପାଣ୍ଠିରୁ ଏହା ନିର୍ମାଣ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇପାରି ନାହିଁ । ଅର୍ଥଶ୍ରାଦ୍ଧ କେବଳ ସାର ହୋଇଛି । ଯାହାଫଳରେ ବିଶ୍ରାମାଗାର ଗୁଡ଼ିକ ଯାତ୍ରୀଙ୍କ କୈାଣସି କାର୍ଯ୍ୟରେ ଲାଗିପାରୁ ନାହିଁ । ଯାତ୍ରୀମାନଙ୍କ ସୁବିଧା ପାଇଁ ବିଶ୍ରାମାଗାର ଗୁଡିକୁ ସୁବ୍ୟବହାର କରାଯିବା ସହ ସ୍ଥାୟୀ ବିଶ୍ରାମାଗାର ନିର୍ମାଣ କରିବାକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ହେଉଛି ।