Onn 3

ବିପଦକୁ ଡ଼ାକୁଛି ଆଗରପଡ଼ା-ବରପଦା ରାସ୍ତା, ମରାମତିକୁ ମାସେ ପୂରିନି ପୁଣି ମରାମତି ମାଗିଲାଣି

State

ଆଗରପଡ଼ା: ସରକାରୀ ନିୟମର ଖୋଲା ଉଲଘଂନ କରି କୌଣସି ଟେଣ୍ଡର ନ କରି ବିଭାଗ ପକ୍ଷରୁ କାର୍ଯ୍ୟାଦେଶ ଦେବା ଓ ଏକାଧିକ ଠିକାଦାର ଗୋଟିଏ ରାସ୍ତା ମରାମତିରେ ନିୟୋଜିତ ହେବା ଦ୍ୱାରା ମରାମତିକୁ ମାସେ ନ ପୁରୁଣୁ ପୁଣି ମରାମତି ମାଗିଲାଣି ରାସ୍ତା । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ପୂର୍ତ୍ତବିଭାଗ ଅଧିନସ୍ଥ ଆରଗପଡ଼ା ଠାରୁ ବରପଦା ପର୍ଯ୍ୟନ୍ତ ଲମ୍ବିଥିବା ୧୪ କି.ମି ରାସ୍ତା ରେ । ସୂଚନା ଅନୁଯାୟୀ ;ବିଭାଗୀୟ ଯନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଗତ ମାସ ୧୯ ତାରିଖ ଠାରୁ ଆଗରପଡ଼ା-ବରପଦା ରାସ୍ତାର ଉଭୟ ପଟୁ ଫାଟିଥିବା ରାସ୍ତାର ମରାମତି କାମ ଚାଲିଛି । ଇତି ମଧ୍ୟରେ ରାସ୍ତାରେ ତାଳିପକା କାମ ଚାଲିଛି ମାସେବି ପୂରିନି । ଉକ୍ତ ତାଳିପକା କାମକୁ ଏକାଧିକ ଠିକାଦାର କରୁଥିବାରୁ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର କାମ ଦେଖିବାକୁ ମିଳୁଛି ଏବଂ ବିଛା ହେଉଥିବା ମେଣ୍ଟାଲ ରେ ତାରତମ୍ୟ ରହୁନଥିବା ପରିଲକ୍ଷିତ ହେଉଥିବାର ଖବର ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଉଛି । ଖବର ପ୍ରକାଶିତ ହେବା ପରେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆ ନଯିବା ବିଭାଗର କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରିବା ସହ ବିଭାଗ କାହିଁକି ନୀରବଦ୍ରଷ୍ଟା ସାଜିଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବଂ ଏହା କେବଳ ଠିକାଦାର ତ୍ରୁଷ୍ଟିକରଣ ପାଇଁ ବ୍ୟବସ୍ଥା ବୋଲି ଆଲୋଚନା ହେଉଛି ।

ଅପରପକ୍ଷରେ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ଜାମ୍ବବଣୀ ଛକ ଠାରୁ ବରପଦା ପର୍ଯ୍ୟନ୍ତ ମରଣକୁ ଡ଼ାକୁଥିବା ପରିସ୍ଥିତିରେ ପହଂଚିଥିବା ରାସ୍ତାକୁ ମରାମତି କରୁଥିବା ଠିକାଦାର ମରାମତି ଆଳରେ ଠକେଇ କରୁଥିବା ଅଭିଯୋଗ ମଧ୍ୟ ହୋଇଛି । ଅଭିଯୋଗ ଅନୁଯାୟୀ, ମରାମତି ପୂର୍ବରୁ ଉକ୍ତ ରାସ୍ତାର ଉଭୟ ପାଶ୍ୱର୍ ଦବି ଯିବା ସହ ରାସ୍ତା ପୁରା ଫାଟି ମରଣକୁ ଡ଼ାକୁଥିବା ପରିସ୍ଥିତିରେ ପହଂଚିଥିବା ଦେଖିବାକୁ ମିଳିଥିଲା । ଏବେ ଉକ୍ତ ରାସ୍ତାକୁ ମରାମତି କରୁଥିବା ଠିକାଦାର ଫାଟିଥିବା ଓ ଦବିଥିବା ସ୍ଥାନକୁ ଖୋଳି ନୂଆ ମେଣ୍ଟାଲ ବିଛେଇ କାମ କରିବା ପରିବର୍ତ୍ତେ ସେହି ପୁରୁଣା ମେଣ୍ଟାଲ ଓ ପିଚୁକୁ ପୂର୍ନବାର ତା ଉପରେ ଖେଳେଇ ତାକୁ ରୋଲିଙ୍ଗ କରିଥିବାର ଦେଖିବାକୁ ମିଳିଥିଲା । ଏବେ ମେଣ୍ଟାଲ ବିଛା ଯାଇଥିବା ସ୍ଥାନ ଗୁଡ଼ିକରେ ମେଣ୍ଟାଲ ସବୁ ଉଠି ରାସ୍ତା ସାରା ଖେଳେଇ ହୋଇ ଗମନାଗମନରେ ବିପଦ ସୃଷ୍ଟି କରିବା ଆରମ୍ଭ କରିଛି । ଅନ୍ୟ ସ୍ଥାନ ମାନଙ୍କରେ ଉକ୍ତ ବ୍ୟସ୍ତ ବହୁଳ ରାସ୍ତା ଉପରେ ମେଣ୍ଟାଲ ସବୁ ଢାଳି ରାସ୍ତାର ଉଭୟ ପାଶ୍ୱର୍କୁ ସଙ୍କୁଚିତ କରାଯାଇ କାମ କରାଯାଉଥିବାରୁ ରାତ୍ରୀ ସମୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ସୃଷ୍ଟି ହୋଇଛି । ତେଣୁ ମରାମତିକୁ ମାସେ ନ ପୁରୁଣୁ ପୁଣି ମରାମତି ମାଗିବା ରାସ୍ତାର ସ୍ଥାୟିତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖର୍ଚ୍ଚ ହେଉଥିବା ଲକ୍ଷଲକ୍ଷ ଟଙ୍କାକୁ ଆଖି ଆଗରେ ରଖି ବିଭାଗ ତରଫରୁ ମରାମତି କାର୍ଯ୍ୟର ତଦାରଖ ଠିକ୍ ଭାବେ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି ।