Onn 3

ବିଶ୍ବ ତୀରନ୍ଦାଜି: ଇତିହାସ ରଚିଲା ଭାରତ, ସ୍ବର୍ଣ୍ଣ ଜିତିବାରେ ଅଦିତି ସର୍ବକନିଷ୍ଠ, ଜ୍ୟୋତିଙ୍କୁ କାଂସ୍ୟ, ଓଜାସଙ୍କୁ ପୁରୁଷ ମୁକୁଟ

sports

ବର୍ଲିନ: ଏଠାରେ ଚାଲିଥିବା ବିଶ୍ବ ତୀରନ୍ଦାଜି ପ୍ରତିଯୋଗିତାରେ ଶନିବାର ଭାରତ ଇତିହାସ ରଚିଛି। ଉଭୟ ପୁରୁଷ ଓ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତରୁ ଭାରତକୁ ୨ ସ୍ବର୍ଣ୍ଣ ସହ ଗୋଟିଏ କାଂସ୍ୟ ଆସିଛି। ଭାରତର ଅଦିତି ଗୋପୀଚାନ୍ଦ ସ୍ବାମୀ ଓ ଜ୍ୟୋତି ସୁରେଖା ଭେନ୍ନମ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ ଯଥାକ୍ରମେ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ଜିତିଛନ୍ତି। ସେହିପରି ପୁରୁଷରେ ଓଜାସ ପ୍ରବୀଣ ‌‌ଦେଓତାଲେ ବିଜେତା ହୋଇଛନ୍ତି। ଗତ ମାସରେ କନିଷ୍ଠ ବିଶ୍ବ ମୁକୁଟ ଜିତିଥିବା ଅଦିତି ଶନିବାର ସ୍ବର୍ଣ୍ଣ ମୁକାବିଲାରେ ମେକ୍ସିକୋର ଆନ୍ଦ୍ରିଆ ବେସେରାଙ୍କୁ ୧୪୯-୧୪୭ରେ ପରାସ୍ତ କରିଥିଲେ। ଏଥିସହ ଅଦିତି ପ୍ରଥମ ଭାରତୀୟ ଭାବେ ବରିଷ୍ଠ ବିଶ୍ବ ପ୍ରତିଯୋଗିତାର ବ୍ୟକ୍ତଗତ ବର୍ଗରେ ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି। ସେ ମଧ୍ୟ ବିଶ୍ବ ପ୍ରତିଯୋଗିତାରେ ବିଜେତା ହେବାରେ ସର୍ବକନିଷ୍ଠ ହୋଇଛନ୍ତି। ପୂର୍ବରୁ ଦୁଇ ଭାରତୀୟଙ୍କ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ୍‌ରେ ୧୭ ବର୍ଷୀୟା ଅଦିତି ୧୪୯-୧୪୫ରେ ଜ୍ୟୋତିଙ୍କୁ ହରାଇ ଫାଇନାଲ୍‌ରେ ପହଞ୍ଚିଥିଲେ।
କ୍ବାର୍ଟର ଫାଇନାଲ୍‌ରେ ଅଦିତି ନେଦରଲାଣ୍ଡ୍ସର ସାନ ଡି’ଲାଟ୍‌ଙ୍କୁ ସୁଟ୍‌ ଅଫ୍‌ରେ ମାତ୍‌ ଦେଇଥିଲେ। ସେମିଫାଇନାଲ୍‌ରେ ନିଜ ଦେଶର ପ୍ରତିନ୍ଦ୍ବନ୍ଦ୍ବୀଠୁ ହାରିଥିବା ଜ୍ୟୋତି କାଂସ୍ୟ ମୁକାବିଲାରେ ତୁର୍କିର ଇପକ ତୋମରୁକ୍‌ଙ୍କୁ ୧୫୦-୧୪୬ରେ ପରାସ୍ତ କରିଥିଲେ। ‘ବିଶ୍ବ ପ୍ରତିଯୋଗିତାରେ ୫୨ ସେକେଣ୍ଡର ଭାରତର ଜାତୀୟ ସଂଗୀତ ବାଜିବା ଲାଗି ମୁଁ ଚାହୁଥିଲି। ତାହା ଶୁଣି ମୁଁ ଗର୍ବିତ। ‌ମୋ ରିଦିମ, ସଟ୍‌ ଉପରେ ଧ୍ୟାନ ଦେଇଥିବାରୁ ଭଲ ପ୍ରଦର୍ଶନ କରିପାରିଥିଲି। ଏହା ଆରମ୍ଭ ମାତ୍ର। ଆଗକୁ ଏସୀୟ କ୍ରୀଡ଼ା ରହିଛି, ମୁଁ ସେଠାରେ ବ୍ୟକ୍ତିଗତ ଏବଂ ଦଳଗତରେ ଦେଶ ପାଇଁ ସ୍ବର୍ଣ୍ଣ ଜିତିବାକୁ ଲକ୍ଷ୍ୟ ରଖିଛି। ଭଲ କଥା ଯେ ମୁଁ ୧୭ ବର୍ଷ ବୟସରେ ବିଶ୍ବ ବିଜେତା ହୋଇପାରିଛି। ମୋ ପ୍ରଶଂସକ ଏବଂ ଭାରତର ସମସ୍ତ ନାଗରିକଙ୍କ ସହଯୋଗ ଲାଗି ଏହି ସଫଳତା ପାଇଛି। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ’ ବୋଲି ବିଜୟ ପରେ ଅଦିତି କହିଛନ୍ତି। ପୁରୁଷ ଫାଇନାଲ୍‌ରେ ଓଜାସ ୧୫୦-୧୪୯ରେ ପୋଲାଣ୍ଡର ଲୁକାସ ପ୍ରଜିବିଲସ୍କିଙ୍କୁ ହରାଇ ଦେଇଥିଲେ। ଏଥିସହ ଅଦିତିଙ୍କ ପରେ ପ୍ରବୀଣ ଭାରତର ଦ୍ବିତୀୟ ଏବଂ ପୁରୁଷ ବର୍ଗରେ ଦେଶର ପ୍ରଥମ ବିଶ୍ବ ବିଜେତା ହେବାର ‌ଗୗରବ ପାଇଛନ୍ତି।