Onn 3

ଅକାଳରେ ଚାଲିଗଲେ ଓଡ଼ିଆ ନୌସେନା ଯବାନ୍‌ ଜନ୍‌ସନ୍‌

State

ଆଠଗଡ଼  : ବୋଧହୁଏ ଦୁଃଖ ଏମିତି ଅଚାନକ ଆସେ । ଗାଁ ସରା ଲୋକ ରୁଣ୍ଡ ହୋଇଛନ୍ତି କାହାକୁ ଅପେକ୍ଷା କରି । କିଛି ସମୟ ପୂର୍ବରୁ ଅଶୁଭ ଖବରଟିଏ ଆସିଥିଲା । ନୌବାହିନୀରେ ଥିବା ଗାଁର ପୁଅ ଜନ୍‌ସନ୍‌ ଆଉ ଏ ଦୁନିଆଁରେ ନାହିଁ । ପରିବାର ଲୋକଙ୍କ ଆଖିରେ ଲୁହର ବନ୍ୟା । ଦୁଃଖରେ ଛତି ଫାଟି ଯାଉଥାଏ । ଗାଁ ସାରା ନଖାଇ ନପିଇ ଅପେକ୍ଷା କରିଥାନ୍ତି । ଶେଷରେ ନୌସେନା ଯବାନ୍‌ଙ୍କ କାନ୍ଧରେ ବୁହା ହୋଇ ପହଞ୍ଚିଲା ଜନସନ୍‌ ବେହେରାଙ୍କ ମରଶରୀର । ଆଠଗଡ଼ ତିଗିରିଆ ବ୍ଲକ୍ ଅଚଳକୋଟ ଗାଁର ଶ୍ରୀନିବାସ ବେହେରାଙ୍କ ପୁଅ ଜନସନ୍ । ଗତ ତିନି ତାରିଖ ଦିନ କାର୍ଯ୍ୟସ୍ଥଳ ପୋର୍ଟ ବ୍ଲେୟାରରେ ତାଙ୍କର ପରଲୋକ ହୋଇ ଥିଲା । ତେବେ ମୃତ୍ୟୁ କେମିତି ହେଲା ତାହା ଜଣାପଡ଼ି ନାହିଁ । ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ନୌବାହିନୀ ଅଧିକାରୀ ।

ଜନ୍ମ ମାଟି ଅଚଳକୋଟ ଗାଁରେ ମରଶରୀର ପହଞ୍ଚିବା ପରେ ତାଙ୍କୁ ଗାର୍ଡ଼ ଅଫ୍‌ ଅନର ଦିଆଯାଇ ସସମ୍ମାନେ ଶେଷକୃତ୍ୟ କରାଯାଇଥିଲା । ନିଜେ ସ୍ଥାନୀୟ ବିଧାୟକ ତଥା କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ପହଞ୍ଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଜନସନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ଦୁଇ ପୁଅରେ ଘରର ବଡ଼ ପୁଅ ହେଉଛନ୍ତି ଜନ୍‌ସନ୍‌ । ବୟସ ମାତ୍ର ୨୩ ବର୍ଷ । ୨୦୧୯ରେ ନୌସେନାରେ ଯୋଗ ଦେଇଥିଲେ । ବାପା ଜଣେ ଡ୍ରାଇଭର ଭାବେ ଭୁବନେଶ୍ୱରରେ କାର୍ଯ୍ୟରତ । ଜନ୍‌ସନ୍‌ ଭୁବନେଶ୍ୱରେ ରହି ପାଠ ପଢ଼ିବା ପରେ ଖୁବ୍‌ କମ୍‌ ବୟସରୁ ନୌସେନାରେ ଚାକିରି କରିଥିଲେ । ତାଙ୍କୁ ନେଇ ପରିବାର ଲୋକେ ଗର୍ବ କରୁଥିଲେ ଆଉ ଖୁସି ଥିଲେ, ପୁଅ ଆମର ସେନାରେ ଅଛି ବୋଲି । ହେଲେ ଏବେ ସବୁ ଖୁସି ମିଳେଇ ଯାଇଛି ଜୁଇ ନିଆଁରେ । ଜନ୍‌ସନ୍‌ଙ୍କ ମୃତ୍ୟୁ ପଛରେ ଯାହା କାରଣ ଥାଉ ନା କାହିଁକି, ଏହା ସତ୍ୟ ଯେ ଆଉ ସେ ଫେରି ଆସିବେ ନାହିଁ ।