Onn 3

“ପ୍ରତିଶ୍ରୁତି”ର କବିତା ଲିଖନ ପ୍ରତିଯୋଗିତା

Religion and Cult

ବାରିପଦା ଦୀର୍ଘ ୪୧ ବର୍ଷ ଧରି ମୟୂରଭଞ୍ଜର ବାରିପଦାରୁ ପ୍ରକାଶ ପାଇ ଆସୁଥିବା ସାହିତ୍ୟ ସଂସ୍କୃତି ମୂଳକ ପତ୍ରିକା “ପ୍ରତିଶ୍ରୁତି” ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ମହିଳା ମହାବିଦ୍ୟାଳୟ ସଭାଗୃହରେ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ମଧ୍ୟରେ ଏକ କବିତା ଲିଖନ ପ୍ରତିଯୋଗିତା ପ୍ରତିଷ୍ଠାନର ସଭାପତି ଡା. ପାର୍ଥସାରଥି ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରତିଶ୍ରୁତିର ସମ୍ପାଦକ ଭାଗବତ ପଣ୍ଡା କବିତା ଲିଖନର ଶୈଳୀ ସମ୍ପର୍କରେ ସୂଚନା ପ୍ରଦାନ ପୂର୍ବକ କହିଥିଲେ – କବିତା କବି ହୃଦୟର ଛାନ୍ଦସିକ ଅଭିବ୍ୟକ୍ତି । ସଂସ୍କୃତ ସାହିତ୍ୟର ଆଦିକବି ବାଲ୍ମୀକିଙ୍କ ଠାରୁ ଆରମ୍ଭ କରି ଓଡିଆ ସାହିତ୍ୟର ସାରଳା ଦାସ, ଜଗନ୍ନାଥ ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ରାଧାନାଥ ରାୟ, ଗଙ୍ଗାଧର ମେହେରଙ୍କର ବିଭିନ୍ନ କାବ୍ୟ କବିତାର ଉଦାହରଣ ସହ ଛାତ୍ରୀମାନଙ୍କ ଭିତରେ ଥିବା କବି ପ୍ରତିଭାକୁ ପରିସ୍ଫୁଟନ କରିବା ପାଇଁ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ । ବିଶେଷ କରି ପିଲାମାନଙ୍କ ଭିତରେ ବର୍ତ୍ତମାନ ମାତୃଭାଷା ଓଡିଆ ପ୍ରତି ଆଗ୍ରହ ସୃଷ୍ଟି କରିବା ନିମନ୍ତେ ପ୍ରତିଶ୍ରୁତି ତରଫରୁ ଆରମ୍ଭ କରାଯାଇଥିବା ନବ ପ୍ରତିଭା ସୃଜନୀ ପ୍ରୟାସ ସମ୍ପର୍କରେ ପିଲାମାନଙ୍କୁ କହିଥିଲେ ।

ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା +୩ର ୨ୟ ବର୍ଷ ଛାତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ +୩ ୩ୟ ବର୍ଷର ଛାତ୍ରୀ ଲିପ୍‌ସା ମହାପାତ୍ର ଦ୍ୱିତୀୟ ଓ +୩ ୩ୟ ବର୍ଷର ଛାତ୍ରୀ ଯଶୋଦା ମହାନ୍ତ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଇଂରାଜୀ ବିଭାଗର ପ୍ରାଧ୍ୟାପିକା ସାଗରିକା ସିଂହ ଯୋଗଦେଇଥିବା ବେଳେ ଓଡିଆ ବିଭାଗର ଅଧ୍ୟାପିକା ଶୁଭଶ୍ରୀ ଦାସ ବିଚାରକ ଭାବେ ଯୋଗ ଦେଇ କବିତା ଗୁଡିକର ମୂଲ୍ୟାୟନ କରିଥିଲେ । ମଞ୍ଚାସୀନ ଅତିଥି ମାନଙ୍କ ଦ୍ୱାରା କୃତି ପ୍ରତିଯୋଗୀ ମାନଙ୍କୁ ପ୍ରତିଶ୍ରୁତି ତରଫରୁ ପ୍ରତିଭା ପ୍ରମାଣପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ସଭାପତି ଡା. ଜେନା ତାଙ୍କ ଅଭିଭାଷଣରେ ପିଲାମାନେ ମାଆ ଓ ମାତୃଭାଷାକୁ ସମ୍ମାନ ଦେବା ପାଇଁ ଆହ୍ୱାନ ଦେବା ସହିତ ନବଧା ଭକ୍ତି ସମ୍ପର୍କରେ ବ୍ୟାଖ୍ୟା କରିଥିଲେ । ପରିଶେଷରେ ସମ୍ପାଦକ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।