Onn 3

ଶିକ୍ଷକ ଅଭାବରୁ ଛାତ୍ର ଛାତ୍ରୀ ଓ ଅଭିଭାବକ ବିଦ୍ୟାଳୟରେ ପକାଇଲେ ତାଲା

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନ ଖଣ୍ଡାୟତ ପଟକିରା କ୍ଲଷ୍ଟର ଅନ୍ତର୍ଗତ ଓରତି ଠାରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମଙ୍ଗଳବାର ପୂର୍ବାହ୍ନରେ ତାଲା ପକାଇଥିଲେ । ଦୀର୍ଘ ଦିନ ହେବ ଏହି ବିଦ୍ୟାଳୟକୁ ସଠିକ୍ ଭାବେ ଶିକ୍ଷକ ଯୋଗାଇଦେବା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଶିକ୍ଷାବିଭାଗ କର୍ଣ୍ଣପାତ କରୁନଥିବାରୁ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଥିଲା । ଶିକ୍ଷକ ଅଭାବରୁ ଗତ ସୋମବାର ଦିନ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବିଶୃଙ୍ଖଳିତ ପରିସ୍ଥିତି ଉପୁଜି ଜଣେ ଛାତ୍ରଙ୍କ ମୁଣ୍ଡ ଫାଟିଯାଇଥିବାରୁ ଏଥିରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ କ୍ରୋଧାନ୍ୱିତ ହୋଇ ମଙ୍ଗଳବାର ପୂର୍ବାହ୍ନ ୯.୩୦ ରୁ ସ୍କୁଲ ଫାଟକରେ ତାଲା ପକାଇଥିଲେ । ଖବର ପାଇ ଘଟଣାସ୍ଥଳରେ ୨୭ନଂ ଜୋନ୍ ଜିଲ୍ଳାପରିଷଦ ସଭ୍ୟ ଭୂପତିଭୂଷଣ ଷଣ୍ଢ ପହଞ୍ଚି ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଲା ପରେ ସ୍ୱଭାବିକ ଭାବେ ବିଦ୍ୟାଳୟ ଚାଲିଥିଲା । ଏହି ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ୭ଟି ଶ୍ରେଣୀରେ ୬୪ଜଣ ଛାତ୍ର ଛାତ୍ରୀ ରହିଥିଲା ବେଳେ ଜଣେ ମାତ୍ର ଦିବ୍ୟାଙ୍ଗ ଶିକ୍ଷକ ପାଠ ପଢାଉଛନ୍ତି ।

ଏହି ଶିକ୍ଷକ ଜଣଙ୍କୁ ମଧ୍ୟ ଖଣ୍ଡାୟତ ପଟକିରା ବିଦ୍ୟାଳୟରୁ କ୍ଲାସଟେକ ଭାବେ ଅଣାଯାଇଛି । ପୂର୍ବରୁ ଏଠାରେ କାର୍ଯ୍ୟରତ ଶିକ୍ଷକ ଜଣକ ଅବସର ନେବା ପରେ ତାଙ୍କ ସ୍ଥାନରେ ସିଆରସିସି ପ୍ରଭାତ କୁମାର ବେହେରାଙ୍କୁ ପ୍ରଧାନଶିକ୍ଷକ ଦାୟିତ୍ୱ ଦିଆଯାଇଥିଲା । ସେ ଏଠାରେ ପ୍ରଧାନଶିକ୍ଷକ ରହିଥିଲେ ମଧ୍ୟ ସିଆରସି କାର୍ଯ୍ୟରେ ବ୍ୟସ୍ତ ରହୁଥିବାରୁ ସଠିକ୍ ଭାବେ ଶିକ୍ଷାଦାନ କରିପାରୁନାହାଁନ୍ତି । ଜଣେ ଶିକ୍ଷକଙ୍କୁ ନେଇ ୭ଟି ଶ୍ରେଣୀରେ ଶିକ୍ଷାଦାନ କରିବା କଷ୍ଟକର ହେଉଥିଲା ବେଳେ ଅନେକ ସମୟରେ ଛାତ୍ର ଛାତ୍ରୀମାନେ ବିଦ୍ୟାଳୟରେ ବସିବସି ଘରକୁ ଆସୁଥିବା ପ୍ରକାଶ କରିଛନ୍ତି । ଏହାଛଡ଼ା ଶ୍ରେଣୀରେ ଛାତ୍ରଛାତ୍ରୀମାନେ ସବୁବେଳେ ହୋହାଲ୍ଲା ହେବା ଓ ପରସ୍ପର ମଧ୍ୟରେ କଳି ଝଗଡ଼ା ଲଗାଉଥିବାରୁ ପ୍ରତ୍ୟେକ ଦିନ ବିଦ୍ୟାଳୟରେ ବିଶୃଙ୍ଖଳିତ ପରିସ୍ଥିତି ଉପୁଜିଥାଏ । ଏହି ବିଦ୍ୟାଳୟଟି ଓରତି ପଞ୍ଚାୟତରେ ଅବସ୍ଥିତ ହେଉଥିବାରୁ ସ୍ଥାନୀୟ ରାଜନେତା ଓ ଜନପ୍ରତିନିଧି ମାନଙ୍କର ମଧ୍ୟ ଏହା ଉପରେ ଦୃଷ୍ଟି ନାହିଁ । ବର୍ତ୍ତମାନ ଏହି ପଞ୍ଚାୟତର ସମିତିସଭ୍ୟ ବ୍ଲକ ଅଧ୍ୟକ୍ଷା ଭାବେ କାର୍ଯ୍ୟ କରୁଥିଲାବେଳେ ଶାସକ ଦଳର ସମର୍ଥନ ରେ ସରପଞ୍ଚ ଓ ଜିଲ୍ଲାପରିଷଦ ମଧ୍ୟ କାର୍ଯ୍ୟ କରୁଛନ୍ତି । ଏହାଛଡ଼ା ବହୁ ବରିଷ୍ଟ ବିଜେଡ଼ି ନେତୃବୃନ୍ଦଙ୍କ ଘର ମଧ୍ୟ ଏହି ପଞ୍ଚାୟତରେ ଅବସ୍ଥିତ , ହେଲେ ଶିକ୍ଷକ ଅଭାବରୁ ବିଦ୍ୟାଳୟରେ ତାଲା ପଡ଼ିବା ଘଟଣା ବୁଦ୍ଧିଜୀବୀ ମହଲରେ ବେଶ ଚର୍ଚ୍ଚା ଧରିଛି । ଅପରପକ୍ଷରେ ତୁରନ୍ତ ଏହି ବିଦ୍ୟାଳୟକୁ ଦୁଇ ଜଣ ଶିକ୍ଷକ ଯୋଗାଇ ଦେବା ପାଇଁ ଅଭିଭାବକ ମହଲରେ ମଣ୍ଡଳ ଶିକ୍ଷାଧିକାରୀଙ୍କ ନିକଟରେ ଦାବି ହୋଇଛି ।