Onn 3

କୋଭିଡ଼ ହସ୍ପିଟାଲକୁ ଦୁର୍ଘଟଣାଜନିତ ଚିକିତ୍ସା କେନ୍ଦ୍ର ଭାବେ ଖୋଲିବା ପାଇଁ ଦାବି

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି , ମାହାଙ୍ଗା, ସାଲେପୁର ,କିଶୋରନଗର ଆଦି ଅଞ୍ଚଳର ଲୋକମାନଙ୍କୁ ଉପଯୁକ୍ତ କୋଭିଡ଼ ଚିକିତ୍ସା ସେବା ଯୋଗାଇଦେବା ପାଇଁ କୁଳିଆଠାରେ ଥିବା କେନ୍ଦୁପାଟଣା ନିୟନ୍ତ୍ରିତ ବଜାର କମିଟି ହତା ପରିସରରେ ଏକ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ଼ ଡ଼ାକ୍ତରଖାନା ଖୋଲାଯାଇଥିଲା । ଆମେରିକାନ ଇଣ୍ଡିଆ ଫାଉଣ୍ଡେସନ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଏହି ଡ଼ାକ୍ତରଖାନା ଖୋଲିବା ପାଇଁ ଅନ୍ୟୁନ ୫କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଖର୍ଚ୍ଚ କରାଯାଇଥିଲା । ଗତ ୭.୧.୨୦୨୨ ରିଖ ରେ ତତକାଳୀନ ପଞ୍ଚାୟତିରାଜ ଓ ପାନୀୟଜଳ , ଆଇନ , ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା , କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା, ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା, ପାଟକୁରା ବିଧାୟକ ସାବିତ୍ରୀ ଅଗ୍ରୱାଲ ଏବଂ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚଇନୀ ଏହାକୁ ଉଦଘାଟନ କରିଥିଲେ । ଉଦଘାଟନ ହେବାଦିନ ଠାରୁ ଅଦ୍ୟାବଧି ଏହି ହସ୍ପିଟାଲଟି କାର୍ଯ୍ୟକ୍ଷମ ନହୋଇ ଏକ ଭୂତକୋଠିରେ ପରିଣତ ହୋଇଥିଲା । ହେଲେ ଏଥିରେ ରହିଥିବା ବିଭିନ୍ନ ମେଡ଼ିକାଲ ସରଞ୍ଜାମ , ନାମୀଦାମୀ ବେଡ଼, ଏୟାର କଣ୍ଡିସନର ସମେତ ଅନ୍ୟ ଇଲୋକ୍ଟ୍ରୋନ୍ସି ସାମଗ୍ରୀ ଗୁଡ଼ିକ ସୁରକ୍ଷିତ ପାଇଁ ୪ଜଣ ସୁରକ୍ଷା କର୍ମୀ ମଧ୍ୟ ଜଗାରଖା କରୁଛନ୍ତି । ଏବେ ଏହି କୋଭିଡ଼ ହସ୍ପିଟାଲରୁ ଏସି ସହିତ ଅନ୍ୟାନ୍ୟ ମେଡ଼ିକାଲ ସାମଗ୍ରୀ ଖୋଲାହୋଇ ଅନ୍ୟତ୍ର ନିଆଯାଉଥିବାର ଦେଖାଯାଇଛି ।

ଯଦିଓ ଏହା କୋଭିଡ଼ ହସ୍ପିଟାଲ ଭାବେ ଏଠାରେ ଖୋଲା ଯାଇଥିଲା ତେଣୁ କୋଭିଡ଼ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବାରୁ ଏହାକୁ ଦୁର୍ଘଟଣାଜନିତ ଚିକିତ୍ସା କେନ୍ଦ୍ର (ଟ୍ରୋମା କେୟାର ସେଣ୍ଟର) ଭାବେ ଖୋଲିବା ପାଇଁ ସ୍ଥାନୀୟ ଲୋକମାନେ ଦାବି କରୁଛନ୍ତି । ଅପରପକ୍ଷରେ ଜିଲ୍ଲାସ୍ତରୀୟ ଏକ ଉଚ୍ଚ ଅଧିକାରୀଙ୍କ ବୈଠକରେ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏହି ହସ୍ପିଟାଲରେ ଲାଗିଥିବା ସମସ୍ତ ସାମଗ୍ରୀ ଗୁଡ଼ିକୁ କଟକ ଜିଲ୍ଲାରେ ଥିବା ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଲଗାଇବା ପାଇଁ ମଧ୍ୟ ସ୍ଥିର ହୋଇଛି । ଏହି ହସ୍ପିଟାଲଟି ପରିଚାଳନା ପାଇଁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା ବେଳେ ତାଙ୍କ ଉପସ୍ଥିତିରେ ଆବଶ୍ୟକ ଅନୁଯାୟୀ ଉକ୍ତ ସାମଗ୍ରୀ ଗୁଡ଼ିକୁ ଦିଆଯିବ ବୋଲି ନିର୍ଦ୍ଦେଶାନାମା ମଧ୍ୟ ରହିଛି । ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ପ୍ରଥମେ ୫ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ କିଛି ସାମଗ୍ରୀ ପଠାଯାଇଥିବା ଜଣାଯାଇଛି । ଉକ୍ତ ଘଟଣା ସମ୍ପର୍କରେ ମୁଖ୍ୟ ଚିକିତ୍ସା ଅଧିକାରୀ ଅମିତ କୁମାର ଜେନାଙ୍କୁ ପଚାରିବାରୁ ଉକ୍ତ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି ଅନୁସାରେ ସମସ୍ତ କାର୍ଯ୍ୟ କରାଯାଉଥିବା ପ୍ରକାଶ କରିଛନ୍ତି ।