Onn 3

ଅସାଧାରଣ ସାହସିକତା ପ୍ରଦର୍ଶନ ପାଇଁ ପୁରସ୍କୃତ ହେବେ ତିନି ବନ ଅଧିକାରୀ, ଦୁଇଜଣଙ୍କୁ ମରଣୋତ୍ତର ସମ୍ମାନ

State

ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ କର୍ତ୍ତବ୍ଯରତ ତିନି ଜଣ ବନ ଅଧିକାରୀଙ୍କୁ ସେମାନଙ୍କର ଉତ୍ସର୍ଗିକୃତ ସେବା ପାଇଁ ଭାରତ ସରକାର ସମ୍ମାନିତ କରିବେ | ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଭାରତ ସରକାର ଏହି ପୁରସ୍କାର ଘୋଷଣା କରିଛନ୍ତି | ଆସନ୍ତା 29 ଜୁଲାଇ, 2023 ରେ ଉତ୍ତରାଖଣ୍ଡ ରାଜ୍ୟର କର୍ବେଟ ଟାଇଗର ରିଜର୍ଭରେ “ବିଶ୍ବ ବ୍ୟାଘ୍ର ଦିବସ” ପାଳନ ଅବସରରେ ଭାରତ ସରକାର ଙ୍କ ମାନ୍ୟବର ମନ୍ତ୍ରୀ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯିବ | ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ କାର୍ଯ୍ଯରତ ଥିବା ସ୍ବର୍ଗତଃ ଶ୍ରୀ ମାଥି ହାଁସଦା ଓ ସ୍ବର୍ଗତଃ ଶ୍ରୀ ବିମଳ କୁମାର ଜେନା ଙ୍କୁ ସେମାନଙ୍କର ଉତ୍ସର୍ଗିକୃତ ସେବା, ତ୍ୟାଗ ଓ ବଳିଦାନ ପାଇଁ ମରଣୋତ୍ତର ସମ୍ନାନ ମିଳିବାକୁ ଥିବାବେଳେ ଶ୍ରୀ ହିମାଂଶୁ ଶେଖର ସେଠୀଙ୍କୁ ତାଙ୍କର ଅସାଧାରଣ ସାହସିକତା ଓ ବୀରତ୍ବ ପାଇଁ ଏହି ପୁରସ୍କାର ମିଳିବାକୁ ଯାଉଛି | ସ୍ବର୍ଗତଃ ହାଂସଦା ଜଣେ ଅତି ଉତ୍ସର୍ଗୀକୃତ ଅଧିକାରୀ ଯିଏକି ତାଙ୍କ ପରିସରରେ ଶିକାରୀଙ୍କ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ | ଯାହାଫଳରେ ଶିମିଳିପାଳ ଟାଇଗର ରିଜର୍ଭର ତାଙ୍କ କ୍ଷେତ୍ର ସମ୍ପୂର୍ଣ୍ଣ ସୁରକ୍ଷିତ ଥିଲା |

ତା 16.06.2023 ରାତ୍ରିରେ ଶ୍ରୀ ହାଂସଦା ଓ ସହକର୍ମୀ ଶ୍ରୀ ସେଠୀ ରାତ୍ର ପାଟ୍ରୋଲିଂ କରୁଥିବା ସମୟରେ ଗୁଳି ଶଦ୍ଦ ଶୁଣି ୬ ଜଣ ଶିକାରୀଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ | ଶ୍ରୀ ସେଠୀ ସେମାନଙ୍କ ଠାରୁ ବନ୍ଧୁକ ଛଡାଉ ଥିବା ବେଳେ ଅଚାନକ ଜଣେ ଶିକାରୀ ଶ୍ରୀ ହାଂସଦାଙ୍କୁ ଗୁଳି କରିଥିଲା | ଶ୍ରୀ ସେଠୀ ହାଂସଦାଙ୍କ ଜୀବନ ବଞ୍ଚାଇବାକୁ ତତକ୍ଷଣାତ ତାଙ୍କୁ ସେହି ରାତିରେ ଦୀର୍ଘ ପଥ ଅତିକ୍ରମ କରି କରଞ୍ଜିଆ ହସପିଟାଲରେ ପହଞ୍ଚାଇ ଥିଲେ | ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ତାଙ୍କର ବୀରତ୍ୱର ଉଦ୍ୟମ ହେତୁ ଜଣେ ଶିକାରୀ ଚିହ୍ନଟ ହୋଇ ଧରା ପଡିବା ସହିତ ଅନ୍ୟ ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିବା ପୋଲିସକୁ ସୂଚନା ଦିଆଯାଇଥିଲା। ସେହିପରି ସ୍ବର୍ଗତ ବିମଲ କୁମାର ଜେନା ତା ୨୨.୦୫.୨୦୨୩ ସନ୍ଧ୍ୟାରେ କଳସିଡୁବା ଅଞ୍ଚଳରେ ଦୁଇ ଜଣ ସୁରକ୍ଷା ସହାୟକଙ୍କ ସହ ପାଟ୍ରୋଲିଂ ପାଇଁ ଯାଇଥିଲେ | ସେ 8 ରୁ 10 ଜଣ ଶିକାରୀ ମୃତ ହରିଣ ବୋହି ନେଉଥିବାର ଦେଖି ସେମାନଙ୍କୁ ଅଟକାଇଥିଲେ। ଜଙ୍ଗଲ କର୍ମଚାରୀଙ୍କୁ ଦେଖି ଶିକାରୀମାନେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରୁ ପଳାୟନ କଲେ |

ସେମାନେ ସଂଖ୍ୟାରେ ଅଧିକ ଅଛନ୍ତି ଜାଣି ସଙ୍ଗେ ସଙ୍ଗେ ଅଧିକ ଫୋର୍ସ ମଗାଇବା ପାଇଁ ଶ୍ରୀ ଜେନା ବାର୍ତ୍ତା ପଠାଇଲେ | ବନ କର୍ମଚାରୀମାନେ ପହଞ୍ଚିବା ପୂର୍ବରୁ ଶିକାରୀମାନେ ଧରା ପଡିଯିବା ଜାଣି ପୁନଶ୍ଚ ଫେରି ଆସି ବନପାଳ ଙ୍କୁ ଗୁଳି କରି ହତ୍ୟା କରିଥିଲେ ଏବଂ ଶିକାର କରିଥିବା ମୃତ ବନ୍ୟଜନ୍ତୁଙ୍କ ସହିତ ସେହି ସ୍ଥାନରୁ ପଳାଇଥିଲେ। ନିଜ ଜୀବନକୁ ବାଜି ଲଗାଇ ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ଦିଗରେ ଏମାନଙ୍କର ଅବଦାନ ଭୁଲିହେବ ନାହିଁ | ଭାରତ ସରକାରଙ୍କ ଜଙ୍ଗଲ ମନ୍ତ୍ରଣାଳୟ ସେମାନଙ୍କ ତ୍ୟାଗ ଓ ବଳିଦାନ ପାଇଁ ସେମାନଙ୍କୁ ଉତ୍ସର୍ଗିକୃତ ସେବା ପାଇଁ ଉଦିଷ୍ଟ ପୁରସ୍କାର ପାଇଁ ମନୋନୀତ କରି ଦେଶ,ରାଜ୍ୟ ତଥା ମୟୁରଭଞ୍ଜ ମାଟିକୁ ଗର୍ବିତ କରିବା ସହିତ ସେମାନଙ୍କ ବୀରତ୍ୱ ଓ ସାହାସିକତା ଦେଶର ଅନ୍ୟ ବନ କର୍ମଚାରୀ ମାନଙ୍କ ପାଇଁ ନୂତନ ପ୍ରେରଣା ର ଉତ୍ସ ସୃଷ୍ଟି କରିଛନ୍ତି |