Onn 3

ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ତ୍ରୁଟି ଯୋଗୁଁ ପ୍ରଧାନଶିକ୍ଷକଙ୍କୁ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ ର ଦାୟିତ୍ୱ

State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଏବେ ଦୁର୍ନୀତିର ଚରମସୀମାରେ ପହଞ୍ଚିଛି । ଏହି କାର୍ଯ୍ୟାଳୟ ଅଧିନରେ ରହିଥିବା ଅନେକ ବିଦ୍ୟାଳୟରେ ବିଭିନ୍ନ ସରକାରୀ ଯୋଜନାରେ ଅନିୟମିତତା କରାଯାଉଥିଲେ ମଧ୍ୟ ଅଧିକାରୀମାନେ ସମ୍ପୃର୍ଣ୍ଣ ଆଖି ବନ୍ଦ କରିଦେଇଥିବା ଦେଖିବାକୁ ମିଳିଛି । କେତେକ ବିଦ୍ୟାଳୟରେ ଶିକ୍ଷକମାନେ ପ୍ରଧାନଶିକ୍ଷକ ପଦବୀକୁ ପଦୋନ୍ନତି ପାଇଥିଲେ ମଧ୍ୟ ସେମାନେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ଦେଖାଯାଇଛି । ଏଭଳି ଘଟଣାରେ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ସମ୍ପୃକ୍ତି ଥିବା ଘଟଣା ଏବେ ପଦ୍ଦାର୍ଫାସ ହୋଇଛି । ଗତ ୩୦.୦୯.୨୦୨୧ ରିଖ ବିଇଓ କାର୍ଯ୍ୟାଳୟ ପତ୍ର ସଂଖ୍ୟା-୧୭୨୪ ରେ ଏକ ପ୍ରଧାନଶିକ୍ଷକ ବଦଳି ତାଲିକା ପ୍ରକାଶ ପାଇଥିଲା । ଏହି ତାଲିକାର ୫୪ନଂ କ୍ରମାଙ୍କ ରେ କାଶିପୁର ମୁକ୍ତେଶ୍ୱର ବିଦ୍ୟାପୀଠର ସହକାରୀ ଶିକ୍ଷୟିତ୍ରୀ ଭାନୁମତୀ ସେଠ୍ ୪ର୍ଥ ଲେବୁଲ କୁ ଯାଇ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପଦବୀକୁ ପଦୋନ୍ନତି ପାଇଥିଲେ । ପଦୋନ୍ନତି ପରେ ତାଙ୍କୁ ଲୋକନାଥପୁର ପ୍ରାଥମିକ ବିଦ୍ୟାଳୟକୁ ବଦଳି କରାଯାଇଥିଲା । ସ୍ୱାସ୍ଥ୍ୟଗତ କାରଣରୁ ଶ୍ରୀମତୀ ସେଠ୍ କୁ ପରବର୍ତ୍ତୀ ସମୟରେ ଲୋକନାଥପୁର ପ୍ରାଥମିକ ରୁ ଫଗୋଳ ପ୍ରାଥମିକ ବିଦ୍ୟାଳୟକୁ ପ୍ରଧାନଶିକ୍ଷକ ପଦବୀରେ ବଦଳି କରାଯାଇଥିଲା । ସେଠାରେ ପୂର୍ବରୁ ଜଣେ ସହକାରୀ ଶିକ୍ଷକ ପ୍ରଧାନଶିକ୍ଷକ ଦାୟିତ୍ୱରେ ରହିଥିଲେ ।

ଶ୍ରୀମତୀ ସେଠ୍ ସେଠାରେ ଯୋଗଦେବା ପରେ ସେ ପ୍ରଧାନଶିକ୍ଷକ ପଦବୀରେ କାର୍ଯ୍ୟ କରିବା କଥା , ହେଲେ ସେଠାରେ ସେ ପ୍ରଧାନଶିକ୍ଷକ ଦାୟିତ୍ୱ ନନେଇ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କଲେ । ଇତି ମଧ୍ୟରେ ଏକ ବର୍ଷ ଦଶ ମାସ ବିତିଯାଇଥିଲେ ମଧ୍ୟ ସେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି । ଗତ ୦୮.୦୬.୨୦୨୩ ରିଖ ବିଇଓ କାର୍ଯ୍ୟାଳୟ ପତ୍ର ସଂଖ୍ୟା-୧୪୦୫ ରେ ଶ୍ରୀମତୀ ସେଠ୍ ଙ୍କୁ ସହକାରୀ ଶିକ୍ଷକ ଭାବେ ପୁର୍ନବାର ନଟରା ପ୍ରାଥମିକ ବିଦ୍ୟାଳୟକୁ କ୍ଲାସଟେକରେ ବଦଳି କରାଯାଇଛି । ଶ୍ରୀମତୀ ସେଠ୍ ମଧ୍ୟ ସହକାରୀ ଶିକ୍ଷକ ଭାବେ ନଟରା ସ୍କୁଲରେ ୧୭.୦୬.୨୦୨୩ ରେ ଯୋଗ ଦେଇଛନ୍ତି । ଜଣେ ପ୍ରଧାନଶିକ୍ଷକ ପଦବୀକୁ ପଦୋନ୍ନତି ପାଇବା ପରେ ତାଙ୍କୁ ସମସ୍ତ ସରକାରୀ ସୁବିଧାସୁଯୋଗ ଯୋଗାଇ ଦିଆଗଲା । ହେଲେ ସେ ପ୍ରଧାନଶିକ୍ଷକ ଦାୟିତ୍ୱ ନନେଇ କ’ଣ ପାଇଁ ସହକାରୀ ଶିକ୍ଷକ ପଦବୀକୁ ପଳେଆସିଲେ ସେ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି । ଜଣେ ପ୍ରଧାନଶିକ୍ଷକ ଙ୍କୁ ବିଇଓ କାର୍ଯ୍ୟାଳୟ ପକ୍ଷରୁ କିଭଳି ସହକାରୀ ଶିକ୍ଷକ ଭାବେ ଅନ୍ୟ ସ୍କୁଲ କୁ ବଦଳି କରାଗଲା ସେ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି ।

କେବଳ ଏହି ଶିକ୍ଷକ ବଦଳି କ୍ଷେତ୍ରରେ ନୁହେଁ ବିଭିନ୍ନ କ୍ଷେତ୍ରରେ ମଧ୍ୟ ଏହି କାର୍ଯ୍ୟାଳୟରେ ଦୁର୍ନୀତି ଓ ପ୍ରିୟାପ୍ରୀତି ଚାଲିଥିବା ଦେଖାଯାଇଛି । ଏହି ଘଟଣା ପଛରେ ପ୍ରକୃତ କି ରହସ୍ୟ ରହିଛି ତାହା ର ତଦନ୍ତ କରିବା ପାଇଁ ଦାବି ହୋଇଛି । ଏଭଳି ଅନିୟମିତତା ସଂକ୍ରାନ୍ତରେ ମଣ୍ଡଳ ଶିକ୍ଷାଧିକାରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରାଙ୍କୁ ପଚାରିବାରୁ ବଦଳି ଆଦେଇ ଡ଼ିଟିପି ହେଲାବେଳେ ପ୍ରଧାନଶିକ୍ଷକ ସ୍ଥାନରେ ସହକାରୀ ଶିକ୍ଷକ ହୋଇଯାଇଥିବା ପ୍ରକାଶ କରିଛନ୍ତି । ଅପରପକ୍ଷରେ ସମ୍ପୃକ୍ତ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସେଠ୍ ଙ୍କୁ ପଚାରିବାରୁ ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟର ବଦଳି ଆଦେଶ ଅନୁଯାୟୀ ମୁଁ ସରକାରୀ ଶିକ୍ଷକ ଭାବେ ନଟରା ପ୍ରାଥମିକ ବିଦ୍ୟାଳୟରେ ଯୋଗ ଦେଇଛି ବୋଲି ପ୍ରକାଶ କରିଥିଲେ ।