Onn 3

କର୍ଣ୍ଣାଟକରେ ଜନତା ଦଳ ସେକ୍ୟୁଲାର (ଜେଡିଏସ୍) ସହ ମେଣ୍ଟ କରିପାରେ ବିଜେପି

National & International

ବେଙ୍ଗାଲୁରୁ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନୂଆ ସହଯୋଗୀ ଦଳ ଯୋଗାଡ଼ରେ ବ୍ୟସ୍ତ ରହିଛି । ଦଳ କର୍ଣ୍ଣାଟକରେ ଜନତା ଦଳ ସେକ୍ୟୁଲାର (ଜେଡିଏସ୍) ସହ ମେଣ୍ଟ କରିବାର ସମ୍ଭାବନା ରହିଛି । ଏ ସମ୍ପର୍କରେ ଖୋଦ (ଜେଡିଏସ୍) ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍ ଡି କୁମାରସ୍ୱାମୀ ସଂକେତ ଦେଇଛନ୍ତି ।
କୁମାରସ୍ୱାମୀ ଶୁକ୍ରବାର କହିଛନ୍ତି ଯେ ତାଙ୍କ ଦଳ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଭାରତୀୟ ଜନତା ପାର୍ଟି (ବିଜେପି) ସହ ବିରୋଧୀ ଭାବେ କାମ କରିବାକୁ ନିଷ୍ପତ୍ତି ନେଇଛି । ସେ କହିଛନ୍ତି ଯେ ଜେଡିଏସ୍ ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ ଡି ଦେବଗୌଡ଼ା ତାଙ୍କୁ ଦଳ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଅଧିକାର ଦେଇଛନ୍ତି । ସଂସଦୀୟ ନିର୍ବାଚନକୁ ନେଇ ଆଲୋଚନା ପାଇଁ ଏବେ ବି ସମୟ ଅଛି। ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପୂର୍ବରୁ ଜେଡିଏସ୍ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ ଡିଏ) ସହ ହାତ ମିଳାଇପାରେ ବୋଲି ଖବର ପ୍ରକାଶ ପାଇବା ପରେ ଗୁରୁବାର ଦଳର ବିଧାୟକ ଦଳ ବୈଠକରେ ଆଲୋଚନା ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ କୁମାରସ୍ୱାମୀ ଏହା କହିଛନ୍ତି ।
ସେ କହିଛନ୍ତି, ମୁଁ ବିଧାନସଭା ଓ ବାହାରେ କହିସାରିଛି ଯେ ଯେହେତୁ ବିଜେପି ଓ ଜେଡିଏସ୍ ବିରୋଧୀ ଦଳ, ତେଣୁ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଏକାଠି କାମ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ସକାଳେ ମଧ୍ୟ ଆମ ଦଳର ବିଧାୟକମାନେ କିପରି ଆଗକୁ ବଢ଼ିବେ ସେ ନେଇ ଆଲୋଚନା କରିଥିଲେ । କର୍ଣ୍ଣାଟକରେ ବିଜେପି-ଜେଡିଏସ ମେଣ୍ଟ ହେଲେ ତାହା ଆସନ୍ତା ଲୋକସଭା ନିର୍ବାଚନରେ କଂଗ୍ରେସକୁ କଡ଼ା ଟକ୍କର ଦେବ ।