Onn 3

ସଂସଦରେ ସୁରକ୍ଷା ତ୍ରୁଟିର ତଦନ୍ତ ପାଇଁ ଗଠିତ କମିଟି ଓ ମନ୍ତ୍ରୀଙ୍କ ସହ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ

National & International

pm modi

ନୂଆଦିଲ୍ଲୀ: ସଂସଦରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଉଲ୍ଲଂଘନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ବରିଷ୍ଠ ମନ୍ତ୍ରୀମାନଙ୍କ ସହ ଏକ ବୈଠକ କରି ପରିସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି। ସେପଟେ ଘଟିଥିବା ତ୍ରୁଟିର ତଦନ୍ତ ପାଇଁ ସରକାର ଏକ କମିଟି ଗଠନ କରିଛନ୍ତି, ଯେଉଁଥିରେ ଦୁଇ ଜଣ ବ୍ୟକ୍ତି ଲୋକସଭାରେ ଅନୁପ୍ରବେଶ କରି କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ।
ଆଜି ସଂସଦର ଉଭୟ ଗୃହ ଆରମ୍ଭ ହେବା ପରେ ବିରୋଧୀ ଦଳ ନେତାମାନେ ଏହି ଘଟଣାକୁ ନେଇ ଜୋରସୋରରେ ବିରୋଧ କରିବା ସହ ସୁରକ୍ଷା ତ୍ରୁଟି ନେଇ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଦାବି କରିବାରୁ ଗୃହରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ଅଶାଳୀନ ଆଚରଣ ପାଇଁ ୫ ଜଣ କଂଗ୍ରେସ ସାଂସଦଙ୍କୁ ଲୋକସଭାରୁ ନିଲମ୍ବିତ କରାଯାଇଥିବା ବେଳେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ସହ ଯୁକ୍ତିତର୍କ ପରେ ତୃଣମୂଳ କଂଗ୍ରେସର ଡେରେକ୍‌ ଓ’ବ୍ରାଏନ୍‌ଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରା ଯାଇଥିଲା।
ସମୀକ୍ଷା କାଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସୂଚନା ଦିଆଯାଇଥିଲା ଯେ ସଂସଦ ସୁରକ୍ଷା ଉଲ୍ଲଂଘନ ମାମଲାରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ ପଞ୍ଚମ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୦୧ ସଂସଦ ଆକ୍ରମଣର ୨୨ ବର୍ଷ ପୂର୍ତ୍ତି ଅବସରରେ ଘଟିଥିବା ଏହି ଘଟଣାରେ ୬ ଜଣ ବ୍ୟକ୍ତି ଯୋଜନାବଦ୍ଧ ଭାବେ ସଂସଦ ଭିତରକୁ ଅନୁପ୍ରବେଶ କରିଥିଲେ।
୬ ଜଣ ଅଭିଯୁକ୍ତ ୪ ବର୍ଷ ଧରି ଯୋଗାଯୋଗରେ ଥିଲେ ଏବଂ ଘଟଣାର କିଛି ଦିନ ପୂର୍ବରୁ ଏହି ଘଟଣାର ଯୋଜନା କରିଥିଲେ ବୋଲି ପଚରାଉଚରା ବେଳେ ଜଣାପଡ଼ିଥିଲା। ସେମାନେ ସୋସିଆଲ ମିଡିଆ ଜରିଆରେ ସମନ୍ଵୟ ରକ୍ଷା କରିବା ସହ ଅନୁପ୍ରବେଶ ପୂର୍ବରୁ ସଂସଦ ଭବନର ଯାଞ୍ଚ କରିଥିଲେ।
ଡିସେମ୍ବର ୧୩ ତାରିଖ, ବୁଧବାର ଶୂନ୍ୟକାଳରେ ସାଗର ଶର୍ମା ଓ ମନୋରଞ୍ଜନ ଡି ପବ୍ଲିକ ଗ୍ୟାଲେରିରୁ ଲୋକସଭା ଚେମ୍ବର ଭିତରକୁ ଡେଇଁ ଯାଇ କାନିଷ୍ଟରରୁ ହଳଦିଆ ଗ୍ୟାସ ଛାଡି ନାରାବାଜି କରିବା ପରେ ସାଂସଦମାନେ ତାଙ୍କୁ ଦମନ କରିଥିଲେ। ହଳଦିଆ ଧୂଆଁ ବାହାରୁଥିବା କ୍ୟାନ୍‌ ଧରି ସଂସଦ ଭବନ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଥିବାରୁ ଉଭୟଙ୍କୁ ପୁଲିସ ହେପାଜତରେ ନିଆଯାଇଥିଲା ଏବଂ କିଛି ସମୟ ପରେ ଅମୋଲ ସିନ୍ଦେ ଓ ନୀଲମ ନାମକ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଏହି ଘଟଣାରେ ଅଟକ ରଖାଯାଇଥିଲା। ଏବେ ବି ଘଟଣାର ତଦନ୍ତ ଚାଲିଛି।