Onn 3

ରାତିରେ ଚଡ଼ି, ଗଞ୍ଜି ପିନ୍ଧି ଚୋରି କରୁଥିଲେ; ୧୧ ଆନ୍ତଃରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

Crime State

ଭୁବନେଶ୍ୱର: ଭୁବନେଶ୍ୱରର ଧଉଳି, ବଡ଼ଗଡ଼, ଲକ୍ଷ୍ମୀସାଗର, ଏୟାରପୋର୍ଟ ଓ ଏୟାରଫିଲ୍ଡ ଥାନା ଅଞ୍ଚଳରେ ଚୋରିରେ ସାମିଲ୍ ଏକ ଗ୍ୟାଙ୍ଗକୁ ଧରିଛି କମିଶନରେଟ୍ ପୋଲିସ । ୧୧ ଲୁଟେରାଙ୍କୁ ଗିରଫ କରିବା ସହ ପୋଲିସ୍ ଲୁଟରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ।

ପୋଲିସର ସୂଚନା ଅନୁସାରେ, ଏହି ଲୁଟେରା ଲୁଟ୍ କରିବା ପାଇଁ ଚଡ଼ି, ଗଞ୍ଜି ପିନ୍ଧି ଯାଉଥିଲେ । ଘରର ଝରକା ଭାଙ୍ଗି ରାତି ୨ଟାରୁ ୪ଟା ମଧ୍ୟରେ ଘର ଭିତରେ ପଶୁଥିଲେ । ଲୁଟେରା ମୋବାଇଲ୍ ଓ କୌଣସି ଗାଡ଼ି ବ୍ୟବହାର କରୁ ନଥିଲେ । ଚୋରି ପରେ ସେହି ସାମଗ୍ରୀକୁ ପିନ୍ଧି ବାହାରୁଥିଲେ ।

ଗତ ରାତିରେ ଧଉଳି ଥାନା ପୋଲିସ ପାଟ୍ରୋଲିଂ କରିବା ବେଳେ ଦୟା ନଦୀ ନିକଟସ୍ଥ ତାରେକଶ୍ୱର ମନ୍ଦିର ନିକଟରୁ ପୋଲିସ ସେମାନଙ୍କୁ ଲୁଟ୍ ପୂର୍ବରୁ କାବୁ କରି ନେଇଛି । ଗ୍ରୁପର ସଦସ୍ୟ ହିନ୍ଦୀ କହୁଥିବା ବେଳେ ସେମାନେ କୌଣସି ନିର୍ଦ୍ଦିଷ୍ଟ ଗୋଟିଏ ସ୍ଥାନରେ ରହୁ ନଥିଲେ । ବଞ୍ଜାରା ବା ଯାଯାବର ଜୀବନ ଯାପନ କରୁଥିଲେ ।

ପ୍ରାୟ ବର୍ଷେ ହେଲା ଏମାନେ ରାଜ୍ୟରେ ସକ୍ରିୟ ଥିଲେ । ଭୁବନେଶ୍ୱର ରେଲୱେ ଷ୍ଟେସନ ସହ ଅନେକ ସମୟରେ ପୁରୀ ଓ କଟକ ରେଲୱେ ଷ୍ଟେସନରେ ରହୁଥିଲେ । ଦିନ ବେଳା ଶ୍ରମିକ ବେଶ ଧାରଣ କରି ରାତିରେ ଲୁଟ୍ କରୁଥିଲେ ।

ରାସ୍ତା ନିକଟ କଲୋନୀକୁ ଟାର୍ଗେଟ୍ କରୁଥିଲେ ଲୁଟ୍ ପାଇଁ । ନୂଆ କରି ତିଆରି ହୋଇଥିବା କଲୋନୀ, ଅନ୍ଧାରରେ ଥିବା ଅଞ୍ଚଳରେ ଲୁଟ୍ କରୁଥିଲେ । ଗ୍ରୀଲ୍ ଭାଙ୍ଗି ଘରେ ପଶିବା ପରେ କପବୋର୍ଡ, ଆଲମିରା ଭାଙ୍ଗି ଅଳଙ୍କାର, ଟଙ୍କା ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟ୍ କରୁଥିଲେ । ଲୁଟ୍ ବେଳେ ଘରେ ଥିବା ଲୋକଙ୍କୁ ଲକ୍ କରି ଦେଉଥିଲେ । ଲୁଟ୍ ପରେ ଶ୍ରମିକ ବେଶରେ ଘରୁ ବାହାରି ଆସୁଥିଲେ ।

ଲୁଟ୍ ପରେ ଚୋରି ସାମଗ୍ରୀକୁ ବିଭିନ୍ନ ଦୋକାନ ଓ ବ୍ୟକ୍ତି ବିଶେଷଙ୍କୁ ବିକ୍ରି କରି ଦେଉଥିଲେ । ଗିରଫ ଅଭିଯୁକ୍ତମାନଙ୍କ ଘର ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡରେ ହୋଇଥିବା ବେଳେ ଚୋରି ପାଇଁ ବ୍ୟବହୃତ ସାମଗ୍ରୀ ଓ ଚୋରି ସାମଗ୍ରୀକୁ ଜବତ କରିଛି ପୋଲିସ । ଏମାନଙ୍କ ବିରୋଧରେ କମିଶନରେଟ ପୋଲିସର ବିଭିନ୍ନ ଥାନାରେ ୧୬ଟି ମାମଲା ରହିଛି । ଖୋର୍ଦ୍ଧା, ପୁରୀ ଓ ଭଦ୍ରକର ବିଭିନ୍ନ ଲୁଟରେ ଏମାନେ ସମ୍ପୃକ୍ତ ଥିବା ଜଣାପଡ଼ିଛି ।