Onn 3

ସାହାରା ଜମାକାରୀଙ୍କ ପାଇଁ ନୂଆ ଆଶା, ମିଳିବ ଜମା ଟଙ୍କା

National & International

ନୂଆଦିଲ୍ଲୀ : ସାହାରା ଇଣ୍ଡିଆରେ ଟଙ୍କା ଜମା କରି ସମସ୍ୟାରେ ପଡ଼ିଥିବା ନିବେଶକଙ୍କ ପାଇଁ ଏକ ଆଶ୍ବସ୍ତିଭରା ଖବର । ଜମାକାରୀଙ୍କୁ ଟଙ୍କା ଫେରସ୍ତ ପାଇଁ କେନ୍ଦ୍ର ସରକାର ଏକ ରିଫଣ୍ଡ ପୋର୍ଟାଲ ଆରମ୍ଭ କରିଛନ୍ତି । ଏହାର ନାଁ ରହିଛି ସିଆରସିଏସ୍-ସାହାରା ରିଫଣ୍ଡ ପୋର୍ଟାଲର । ଏହାର ଶୁଭାରମ୍ଭ କେନ୍ଦ୍ର ଗୃହ ଓ କୋପରେଟିଭ ମନ୍ତ୍ରୀ ଅମିତ ଶାହା କରିଛନ୍ତି । ଏହି ପୋର୍ଟାଲ ମାଧ୍ୟମରେ ନିବେଶକମାନେ ନିଜ ଟଙ୍କା ଫେରସ୍ତ ପାଇଁ ଦାବି ଉପସ୍ଥାପନ କରିପାରିବେ । ପ୍ରଥମେ ନିବେଶକମାନେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା ତତ୍କାଳ ପାଇପାରିବେ ।
ଗତ କାଲି ଅର୍ଥାତ୍ ଜୁଲାଇ ୧୭ରେ କେନ୍ଦ୍ର କୋପରେଟିଭ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ସାହାରା ଜମାକାରୀଙ୍କ ଜମା ଫେରସ୍ତ ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଥିଲା । ଏହା ପରେ ଗତ ମାର୍ଚ୍ଚ ୨୯ ତାରିଖରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ସାହାରା-ସେବି ଫେରସ୍ତ ଖାତାରୁ ୫ ହଜାର କୋଟି ଟଙ୍କା ସେଣ୍ଟ୍ରାଲ ରେଜିଷ୍ଟ୍ରାର ଅଫ କୋପରେଟିଭ ସୋସାଇଟିଜରେ ଜମା କରାଯାଉ । ସାହାରା ଇଣ୍ଡିଆରେ ଜମା ରଖିଥିବା ବୈଧ ଜମାକାରୀଙ୍କୁ ଫେରସ୍ତ ପାଇଁ ଏହି ଅର୍ଥ ବ୍ୟବହାର କରାଯିବ ।
ସାହାରା ରିଫଣ୍ଡ ପୋର୍ଟାଲର ଶୁଭାରମ୍ଭ କରିବା ଅବସରରେ ଅମିତ ଶାହା ଏହାକୁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରଥମ ଥର ପାଇଁ ଜମାକାରୀମାନେ ଏଭଳି ପରିସ୍ଥିତିରେ ସେମାନଙ୍କ ଟଙ୍କା ଫେରସ୍ତ ପାଉଛନ୍ତି ବୋଲି ସେ କହିଛନ୍ତି। ସମବାୟ ମନ୍ତ୍ରୀ ଜମାକାରୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ବର୍ତ୍ତମାନ ସେମାନଙ୍କ ଟଙ୍କା କେହି ଅଟକାଇ ପାରିବେ ନାହିଁ ଏବଂ ପୋର୍ଟାଲରେ ପଞ୍ଜୀକରଣ କରିବାର ୪୫ ଦିନ ମଧ୍ୟରେ ସେମାନେ ସେମାନଙ୍କ ଟଙ୍କା ଫେରସ୍ତ ପାଇବେ ।