Onn 3

ଉଦଯାପିତ ହେଲା ଭଂଜପୁର ଜଗଦ୍ଧାତ୍ରୀ ମେଳା

State

ଶେଷ ସନ୍ଧ୍ୟାରେ ସ୍ନେହା ଓ ଦୀପାୟନଙ୍କ ଗୀତରେ ଝୁମିଲେ ଦର୍ଶକ

ବାରିପଦା : ଭଂଜପୁର ଠାରେ ମା’ ଜଗଦ୍ଧାତ୍ରୀଙ୍କ ୭୧ତମ ପୂଜା ଅବସରରେ ଆୟୋଜିତ ୨୯ତମ ମେଳା ମହାସମାରୋହରେ ଉଦଯାପିତ ହୋଇଯାଇଛି I ପ୍ରଥମେ କାର୍ଯ୍ୟକାରୀ ସଭାପତି ନଗରପାଳ କୃଷ୍ଣIନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାରାଣ୍ଡି, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡଃ ଦେବାଶିଷ ମାରାଣ୍ଡି ପ୍ରମୁଖ ଉପସ୍ଥିତ ରହି କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ଦର୍ପ ନାରାୟଣ ପାଲ, ପୂଜା ଉପାଧ୍ୟକ୍ଷ ଜ୍ଞାନେନ୍ଦ୍ର ପ୍ରସାଦ ଦାଶ, ସାଂସ୍କୃତିକ ସମ୍ପାଦକ ମାନସ ମହାନ୍ତି ଓ ପ୍ରିତମ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ I ସୋମନାଥ ସିଂହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I ଏହି ଅବସରରେ ମେଳା କୁ ସଫଳ କରିବା ପାଇଁ ସହାୟତା ପ୍ରଦାନ କରିଥିବା ବାରିପଦା ମ୍ୟୁନିସିପାଲିଟି, ଭଂଜପୁର ଥାନା ଅଧିକାରୀ, ଟ୍ରାଫିକ ଅଧିକାରୀ, ବିଜୁଳି ବିଭାଗ ସମେତ ସିଧା ପ୍ରସାରଣ ପାଇଁ ବ୍ଲୁ ସ୍କାଇ, ସଫେଇ ପାଇଁ ୨ ନଂ ୱାର୍ଡ ଜମାଦାର ହରିପଦ ବୈଠା, ନିସ୍ଵାର୍ଥପର ସେବା ପାଇଁ ଜଗଦିଶ ପାଣି ଓ ଓଡିଶୀ ନୃତ୍ୟ ଶିଳ୍ପୀ ଅନୁରାଧା ମହାନ୍ତି ଏବଂ ବିଚାରକ ସୌମ୍ୟ ଦାଶ ଙ୍କୁ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା I

ଶ୍ରେଷ୍ଠ ଷ୍ଟଲ ଭାବେ ଡି ଆଇ ସି, ମୟୁରଭଞ୍ଜ, ଦ୍ଵିତୀୟ ଶ୍ରେଷ୍ଠ ସହ ନିର୍ଦ୍ଦେଶକ, ହସ୍ତତନ୍ତ ଓ ତୃତୀୟ ଶ୍ରେଷ୍ଠ ଷ୍ଟଲ ଭାବେ ବାରିପଦା ମ୍ୟୁନିସିପାଲିଟି କୁ ପୁରସ୍କୃତ କରାଯାଇଥିବା ବେଳେ ଶାନ୍ତି ଡ୍ୟାନ୍ସ ଗ୍ରୁପ କୁ ଶ୍ରେଷ୍ଠ ସାଂସ୍କୃତିକ ଦଳ ଓ ସ୍ୱାମୀ ବିବେକାନନ୍ଦ ଯୋଗ ରିସର୍ଚ୍ଚ ସେଣ୍ଟର କୁ ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବେ ପୁରସ୍କୃତ କରାଯାଇଥିଲା I ନଭେମ୍ବର ୨୬ ରୁ ଆରମ୍ଭ ହୋଇଥିବା ଏହି ମେଳାରେ ୩୫୦ ଷ୍ଟଲ ପ୍ରଦର୍ଶିତ ହୋଇଥିବା ବେଳେ ପ୍ରତ୍ୟେକ ଦିନ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ହଜାର ହଜାର ଦର୍ଶକଙ୍କ ମନକୁ ଜିଣି ପାରିଥିଲା I ଦୁବାଇ ସ୍ଥିତ ବୁର୍ଜ ଖଲିଫା ସଦୃଶ ତୋରଣ ମଧ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା I ଶେଷ ସନ୍ଧ୍ୟାରେ ସା ରେ ଗା ମା ପା ର ଦୁଇ ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ସ୍ନେହା ଭଟ୍ଟାଚାର୍ଜ ଓ ଦୀପାୟନ ବାନାର୍ଜୀଙ୍କ ଗୀତରେ ଝୁମିଲେ ଦର୍ଶକ I ମେଳାର ସଫଳତା ପାଇଁ ମାନ୍ୟବର ମନ୍ତ୍ରୀ ସୁଦାମ ମାରାଣ୍ଡି ସମସ୍ତ କମିଟି ମେମ୍ବର ସମେତ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ I