Onn 3

ଏସଟି-ଏସସିଙ୍କୁ ଶିକ୍ଷାରେ ୪୦% ଓ ଓବିସିଙ୍କୁ ଶିକ୍ଷା-ଚାକିରୀରେ ୨୭% ଆରକ୍ଷଣ ପାଇଁ ଆନ୍ଦୋଳନ ନିଷ୍ପତ୍ତି

State

ବାରିପଦା: ସ୍ଥାନୀୟ ରୋଟାରୀ କ୍ଲବର ସମ୍ମିଳନୀ କକ୍ଷରେ ସାମାଜିକ ନ୍ୟାୟ ଓ ଅଧିକାର ଅଭିଯାନ, ମୟୂରଭଞ୍ଜର ଆନୁକୂଲ୍ୟରେ ଏସଟି, ଏସସି ଓ ଓବିସି ଗୋଷ୍ଠୀର ବିଭିନ୍ନ ସାମାଜିକ ସଂଗଠନ, ଅଗ୍ରଣୀ ସଂଗଠକ ଓ ରାଜନୀତିଜ୍ଞମାନଙ୍କୁ ନେଇ ସାମ୍ବିଧାନିକ ଅଧିକାର ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଡଭୋକେଟ୍ ଅବନୀ କୁମାର ମହାନ୍ତଙ୍କ ଅଧ୍ୟକ୍ଷତାରେ ଓ ଯୁବନେତା ଶ୍ରୀ ରାକେଶ ସିଂଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ସମ୍ବିଧାନର ୩୪୦, ୩୪୧ ଓ ୩୪୨ ଧାରା ଅନୁସାରେ ଯେଉଁ ସାମ୍ବିଧାନିକ ଅଧିକାର ଦିଆଯାଇଛି ତାହାର କିପରି ଉଲଂଘନ ହେଉଛି ଓ ବିଭିନ୍ନ କ୍ଷେତ୍ରରେ ଏହି ଧାରା ସ୍ଵୀକୃତ ଯଥାକ୍ରମେ ଓବିସି, ଏସସି ଓ ଏସଟିଙ୍କୁ ତାଙ୍କ ସଂଖ୍ଯାନୁପାତିକ ଅଧିକାରରୁ କିପରି ବଞ୍ଚିତ କରାଯାଉଛି ସେ ବିଷୟରେ ବ୍ୟାପକ ଆଲୋଚନା ହୋଇଛି।

ଚଳିତବର୍ଷ ଠାରୁ ଓଡ଼ିଶାରେ ବସବାସ କରୁଥିବା ୫୪% ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ମଣ୍ଡଳ କମିଶନଙ୍କ ସୁପାରୀଶ ମୁତାବକ ଚାକିରୀ ଓ ଶିକ୍ଷାରେ ୨୭% ସଂରକ୍ଷଣ ପ୍ରଦାନ ପାଇଁ ତଥା ଅନୁସୂଚୀତ ଜାତି ଓ ଜନଜାତିମାନଙ୍କୁ ଶିକ୍ଷା କ୍ଷେତ୍ରରେ ସଂଖ୍ୟାନୁପାତରେ ୪୦% ସଂରକ୍ଷଣ ସୁବିଧା ଦେବା ପାଇଁ ଦାବୀ କରାଯାଇଛି। ଏହି ହାରରେ ସଂରକ୍ଷଣ ଲାଗୁ ନହେବା ଯୋଗୁଁ ବିଗତ ୧୫ ବର୍ଷରେ ଏମାନେ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ଯେତିକି ଆସନ ହରାଇଛନ୍ତି ତାହାକୁ ସ୍ଵତନ୍ତ୍ର ନିଯୁକ୍ତି ଓ ନାମଲେଖା ଜରିଆରେ ପୂରଣ କରିବାକୁ ଦାବୀ କରାଯାଇଛି। ଏହା ଛଡା ବିଗତ ୨୦ ବର୍ଷଧରି ଏମାନଙ୍କ ପାଇଁ ଥିବା ଫାଇନାନ୍ସ କର୍ପୋରେସନ ନାମକୁ ମାତ୍ର ରହିଛି, ଗୋଟିଏ ଟଙ୍କାବି ରୁଣ କାହାକୁ ପ୍ରଦାନ କରାଯାଇ ନାହିଁ। ତେଣୁ ପର୍ଯ୍ୟାପ୍ତ ଅର୍ଥର ବ୍ୟବସ୍ଥା କରି ଏହାକୁ କାର୍ଯ୍ୟକ୍ଷମ କରିବାକୁ ଦାବୀ କରାଯାଇଛି। ଆଗାମୀ ଦିନରେ ଏ ଦାବୀକୁ ନେଇ ଆନ୍ଦୋଳନ ତୀବ୍ରତର ହେବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସୁଛି ଏକ ମାସ ମଧ୍ୟରେ ଜିଲ୍ଲାର ପ୍ରତି ବ୍ଲକ ସମ୍ମୁଖରେ ଏ ଦାବୀକୁ ନେଇ ଧାରଣା ଦିଆଯିବ ଓ ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବାର ସିଦ୍ଧାନ୍ତ ହୋଇଛି।

ପ୍ରାରମ୍ଭରେ ଶ୍ରୀ ଗୋପବନ୍ଧୁ ସ୍ଵାଗତ ଅଭିଭାଷଣ ପ୍ରଦାନ କରି ବୈଠକର ଆଭିମୁଖ୍ୟ ସ୍ପୋଷ୍ଟ କରିଥିଲେ। ଅନ୍ୟ ଯେଉଁମାନେ ମତବ୍ୟକ୍ତ କରିଥିଲେ ସେମାନେ ହେଲେ ପୂର୍ବତନ ସାଂସଦ ଶ୍ରୀ ରାମଚନ୍ଦ୍ର ହାଁସଦା, ପୂର୍ବତନ ପ୍ରଶାସନିକ ଅଧିକାରୀ ଶ୍ରୀ ଦୟାନିଧି ମାର୍ଣ୍ଡି, ବାଲେଶ୍ଵର ଆମ୍ବେଦକର ବିକାଶ ପରିଷଦର ସଭାପତି ଶ୍ରୀ ସୁଦର୍ଶନ ଜେନା, ପଟ୍ଟାବିହୀନ ବାସିନ୍ଦା ସଂଘର ସଭାପତି ନନ୍ଦ କୁମାର ମହାପାତ୍ର, କୁଡୁମି-ମହାନ୍ତ ମହାସଭାର ମହାସଚିବ ବସନ୍ତ କୁମାର ମହାନ୍ତ, ଆଜସୁ ଜିଲ୍ଲା ସଭାପତି ଆଲୋକ ବାସ୍କେ, ଶିକ୍ଷାବିତ୍ ଶ୍ରୀ ଦୂର୍ଗା ଚରଣ ପାତ୍ର, କଂଗ୍ରେସର ରାଜ୍ୟ ମିଡିଆ ସଂଯୋଜକ ଓବିସି ସେଲର ସୁକୁମାର ରଞ୍ଜନ ପ୍ରଧାନ, ପୂର୍ବତନ କୁଳିଅଣା ବ୍ଲକ ଚେୟାରମ୍ଯାନ କୃଷ୍ଣଚନ୍ଦ୍ର ନାଏକ୍, ବିଭିନ୍ନ ସମାଜ ଓ ବର୍ଗରୁ ବ୍ରଜ କିଶୋର ଟୁଡୁ, କରମଚାନ୍ଦ କାଳନ୍ଦି, ପଦ୍ମଲୋଚନ ମହାନ୍ତ, ଧର୍ମପଦ ମାଝୀ, ରବୀନ୍ଦ୍ର ଗିରି, ଜାଗେରା ସିଂ, କ୍ଷେତ୍ରମୋହନ, ଭବନୀ ଶଙ୍କର ସାହୁ, ରାଜ କୁମାର ସିଂ, ନରେନ୍ଦ୍ର ନାଥ ବେହେରା, ଚନ୍ଦନ ସିଂ, କାଶୀନାଥ ମହାନା, ପ୍ରିୟଜିତ୍ ମଦିନା, ମହେଶ୍ଵର ସେଠୀ, ଲିଙ୍ଗରାଜ ବେହେରା, ରବିନ୍ କୁମାର ଦଣ୍ଡପାଟ, ଧର୍ମପଦ ମାଝୀ, ବିରାମ ମୁର୍ମୁ, ଯୋଗେନ୍ଦ୍ର ଗୋଚ୍ଛାୟତ, ରବୀନ୍ଦ୍ରନାଥ ସେଠୀ, ମହେନ୍ଦ୍ରନାଥ ବେହେରା, ମହେଶ୍ଵର ବେହେରା, ଦୀପୁ ସିଂ, ଲୋକନାଥ ହାଁସଦା, ଗଦାଧର ବେହେରା, ଝାଡେଶ୍ୱର ସିଂ, ପ୍ରଣବ କୁମାର ମହାନ୍ତ, ଶାଂଖ ମୁର୍ମୁ ପ୍ରମୁଖ।