Onn 3

ଖରାପ ପାଗ ଯୋଗୁଁ ଅଟକିଲା ଅମରନାଥ ଯାତ୍ରା

National & International

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରରେ ଭୀଷଣ ବର୍ଷା ଏବଂ ପାଗ ଖରାପ ଯୋଗୁଁ ଶୁକ୍ରବାର ଅମରନାଥ ଯାତ୍ରାକୁ ରୋକିଦିଆଯାଇଛି । ପହଲଗାମ ଏବଂ ବାଲଟାଲ ଦୁଇ ରୁଟ୍‌ରେ ଯାତ୍ରାକୁ ବନ୍ଦ ରଖାଯାଇଥିବା ବେଳେ ପାଗ ଠିକ୍‌ହେଲେ ଏହା ପୁଣିଥରେ ଆରମ୍ଭ ହେବ ବୋଲି ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ୮୦ ହଜାରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ପବିତ୍ର ଅମରନାଥ ଗୁମ୍ଫା ଦର୍ଶନ କରିସାରିଲେଣି । ସେହିପରି ଉତ୍ତରାଖଣ୍ଡର ଚମୋଲିରେ ପାହାଡ଼ରୁ ପଥର ଖସିବା ଫଳରେ ବଦ୍ରୀନାଥ ହାଇୱେ ମଧ୍ୟ ବନ୍ଦ ହୋଇଯାଇଛି । ଗତ ୧୦ ଦିନ ମଧ୍ୟରେ ଏହି ହାଇୱେ ଚତୁର୍ଥ ଥର ବନ୍ଦ ହୋଇଛି ।

ଅନ୍ୟପକ୍ଷରେ ପିଥୋରାଗଡ଼ ଜିଲ୍ଲାର ଧାରଚୁଲାରେ ଶୁକ୍ରବାର ବାଦଲ ଫଟା ବର୍ଷା କାରଣରୁ ଗୋଟିଏ ପୋଲ ଭାସିଯାଇଛି । ଫଳରେ ସ୍ଥାନୀୟ ଚଳ ଗାଁର ୨୦୦ ଲୋକ ଫସିରହିଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ଯାଇଥିବା ଏସ୍‌ଡିଆର୍‌ଏଫ୍ ଟିମ୍ ମଧ୍ୟ ସେଠାରେ ଫସିଯାଇଛି । ସେହିପରି ହିମାଚଳ ପ୍ରଦେଶର କାଲ୍‌କା-ସୋଲନ୍ ହାଇୱେରେ ଅଚାନକ ପାହାଡ଼ରୁ ପଥର ଖସିବା ଆରମ୍ଭ ହୋଇଛି । ହାଇୱେରେ ଯାଉଥିବା ଏକ କାର୍ ଖସୁଥିବା ପଥର କବଳରୁ ଅଳ୍ପକେ ବର୍ତ୍ତିଯାଇଛି । ଗୁରୁବାର ସାରା ଦେଶରେ ଖରାପ ପାଗ ଯୋଗୁଁ ବିଭିନ୍ନ ଘଟଣାରେ ୨୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି । ଉତ୍ତର ପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ବଜ୍ରପାତରେ କେବଳ ୧୩ ଜଣ ପ୍ରାଣ ହରାଇଛନ୍ତି।

ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଆଗାମୀ ୨୪ ଘଣ୍ଟାରେ ବିହାର ଓ ତେଲେଙ୍ଗାନାକୁ ଛାଡ଼ି ଦେଶର ବାକି ସବୁ ରାଜ୍ୟରେ ଭୀଷଣ ବର୍ଷାର ଆଲର୍ଟ ଜାରି କରିଛି । କେରଳର କେତେକ ଜିଲ୍ଲାରେ ଶୁକ୍ରବାର ଭୀଷଣ ବର୍ଷା ଲାଗିରହିଛି । କନ୍ନୁର୍ ଓ କାସରଗୋଡ଼ାରେ ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ଆଲପୁଝାର ତଳିଆ ଅଞ୍ଚଳରେ ବନ୍ୟାଜଳ ମାଡ଼ିଆସିଛି । ଫଳରେ ଏକ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ରିଲିଫ୍ କ୍ୟାମ୍ପ୍‌କୁ ସ୍ଥାନାନ୍ତର କରାଯାଇଛି ।