Onn 3

ଡିଏନ୍ ଗ୍ରୁପ ଉପରେ ଚଢ଼ଉ ଜାରି: ଜବତ ଟଙ୍କା ଗଲା ଆରବିଆଇ

Crime State

ଭୁବନେଶ୍ବର: ଟିକସ ଫାଙ୍କିବା ଅଭିଯୋଗରେ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଉପରେ ଆୟକର ବିଭାଗର ଚଢ଼ଉ ସମୟରେ ମିଳିଥିବା ଟଙ୍କା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)କୁ ଯାଇଛି। ସେଠାକୁ ଯାଇଥିବା ଜବତ ଟଙ୍କା ଆଉ ଥରେ ଗଣାଯିବ। ଆୟକର ବିଭାଗ ଟଙ୍କା ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ମଧ୍ୟ ନେଇଛି। ପାଖାପାଖି ୧୦୦ କୋଟି ଟଙ୍କାର ମନି ରିସିପ୍‌ ମଧ୍ୟ ଇନକମ୍ ଟ୍ୟାକ୍ସ ଅଧିକାରୀ ସାଙ୍ଗରେ ନେଇ ଯାଇଛନ୍ତି।

ସୂଚନାଯୋଗ୍ୟ ସଂସ୍ଥାର ଭୁବନେଶ୍ବର ନୂଆପଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମେତ ୨୩ଟି ସ୍ଥାନରେ ଚଢ଼ଉ କରାଯାଇଛି। ୟୁନିଟ୍-୪ ପୋଷ୍ଟାଲ କଲୋନିରେ ରହୁଥିବା ସଂସ୍ଥାର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ମିଳିଛି। ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରେ ଥିବା ଟଙ୍କା ଜବତ କରାଯାଇଛି। ଗତକାଲି ଚଢ଼ଉ ସମୟରେ ନଗଦ ୩୦ କୋଟି ଟଙ୍କା ଜବତ ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ଆଜି ଦ୍ୱିତୀୟ ଦିନରେ ମଧ୍ୟ ଜାରି ରହିଛି ଚନ୍ଦ୍ରଶେଖର ପଣ୍ଡାଙ୍କ ଘରେ ଇନକମ୍ ଟ୍ୟାକ୍ସ ରେଡ଼।  ବିଳମ୍ବିତ ରାତି ପର୍ଯ୍ୟନ୍ତ ରେଡ଼ ଚାଲିଥିବା ବେଳେ ଆଜି ସକାଳୁ ଆଉ ଏକ ଟିମ ଆସି ପହଞ୍ଚିଛି। ଟିମ୍‌ ଭିନ୍ନ ଭିନ୍ନ ସ୍ଥାନରେ ରେଡ଼ କରୁଛି। ଆୟକର ବିଭାଗ ମିଳିଥିବା ଟଙ୍କାର ସୋର୍ସ ଖୋଜୁଛି। ଆଜି ସନ୍ଧ୍ୟା ସୁଦ୍ଧା ରେଡ ସରିବା ନେଇ ସୂଚନା।

ଡିଏନ୍ ଗ୍ରୁପ ବିରୋଧରେ ଆୟକର ଫାଙ୍କି ନେଇ ଅଭିଯୋଗ ଆସିଥିଲା। ବୁଧବାର ସକାଳୁ ୭ଟି ଟିମ୍ ଭୁବନେଶ୍ବର ନୂଆପଲ୍ଲୀସ୍ଥିତ ଅଫିସ, ଘର, କଟକ ସମେତ ୨୩ଟି ସ୍ଥାନରେ ଚଢ଼ଉ କରିଥିଲା। ୟୁନିଟ୍-୪ରେ ଥିବା ପୋଷ୍ଟାଲ କଲୋନିରେ ରହୁଥିବା ଡିଏନ୍ ଗ୍ରୁପ୍ କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କର ଘର ଖଟ ତଳେ ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରେ ଥିବା ଟଙ୍କା ଜବତ କରାଯାଇଥିଲା। ସେଥିରୁ କେବ​ଳ ୫ ଶହ ଟଙ୍କିଆ ବିଡ଼ା ମିଳିଥିଲା। ଏହା ପରେ କର୍ମଚାରୀ ଚନ୍ଦ୍ରଶେଖର ଓ ଡିଏନ୍ ଗ୍ରୁପ୍ ମାଲିକ ଜଗଦୀଶ ପ୍ରସାଦ ନାୟକଙ୍କୁ ଆୟକର ଅଧିକାରୀମାନେ ନଗଦ ଟଙ୍କା ସମ୍ପର୍କରେ ପଚରାଉଚରା କରିଛନ୍ତି। ଏତେ ଟଙ୍କା କେଉଁଠୁ ଆସିଲା? କେତେ ଟଙ୍କାର ଟିକସ ଫାଙ୍କିଛନ୍ତି? ସେ ନେଇ ଖୋଳତାଡ଼ ଚଳାଇଛି ତଦନ୍ତକାରୀ ଟିମ୍।

୨୦୦୩ ମସିହାରେ ଡିଏନ୍ ଗ୍ରୁପ୍ ଅଫ୍ କମ୍ପାନି ଆରମ୍ଭ ହୋଇଥିଲା। ବିଲ୍ଡର୍ସ ଓ କନଷ୍ଟ୍ରକସନ୍ ସଂସ୍ଥାରୁ ଆରମ୍ଭ ହୋଇଥିବା କମ୍ପାନିର ଏକାଧିକ ସଂସ୍ଥା ରହିଛି। ଏପରିକି ଏକ ଶିକ୍ଷାନୁଷ୍ଠାନ ମଧ୍ୟ ରହିଛି। ସେହିପରି ତଦନ୍ତକାରୀ ଟିମ୍ ହାତରେ ୨୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଓ ଲକର୍ ଲାଗିଛି। ବ୍ୟାଙ୍କ ଆକାଉଣ୍ଟରେ କାରବାର ଓ ଲକର୍‌କୁ ଯାଞ୍ଚ କରାଯିବ। ଅନ୍ୟପକ୍ଷରେ ନଗଦ ପ୍ରାୟ ୩୦ କୋଟି ଟଙ୍କା ମିଳିଥିବାରୁ ଏ ସଂକ୍ରାନ୍ତରେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)କୁ ଖୁବଶୀଘ୍ର ଚିଠି ଲେଖାଯିବ ବୋଲି ଜଣାପଡ଼ିଛି। ଆୟକର ବିଭାଗ ଠାରୁ ଇଡି ବିଧିବଦ୍ଧ ଭାବେ ସୂଚନା ପାଇବା ପରେ ତଦନ୍ତ କରିବ ବୋଲି ଜଣାପଡ଼ିଛି। ଆଜିର ଚଢ଼ଉ ସଂକ୍ରାନ୍ତରେ ଆୟକର ବିଭାଗ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ।