Onn 3

କାମରେ ଲାଗୁନି ଆବର୍ଜନା ପୃଥକୀକରଣ କେନ୍ଦ୍ର ଓ ଅଳିଆ କୁଣ୍ଡ

State

ଆଗରପଡ଼ା:ସରକାର ପରିବେଶକୁ ସରସ ଓ ସୁନ୍ଦର କରିବା ସହ ଆବର୍ଜନା ମୁକ୍ତ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଏହାର ସଫଳ ରୂପାୟନ ହୋଇ ପାରୁନଥିବା ଜଣାପଡ଼ିଛି । ଏହିପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ । ସୂଚନା ଅନୁଯାୟୀ; ୨୦୨୨-୨୩ ଆର୍ଥିକ ବର୍ଷରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଆନୁକୁଲ୍ୟରେ ସ୍ୱଚ୍ଛ ଭାରତ ମିଶନ ପକ୍ଷରୁ ଏକଲକ୍ଷ ଟଙ୍କା ବ୍ୟୟରେ ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ ଗୋଟିଏ ଗୋଟିଏ ଆବର୍ଜନା ପୃଥକୀ କରଣ କେନ୍ଦ୍ରର ନିର୍ମାଣ କରାଯାଇଥିଲା । କେନ୍ଦ୍ର ନିର୍ମାଣକୁ ଉତି ମଧ୍ୟରେ ଏକ ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ଏହା କାମରେ ଲାଗି ନପାରି କେବଳ ଶୋଭା ବର୍ଦ୍ଧନ କରୁଛି । ସୂନ୍ଦର ରଙ୍ଗ କାମକୁ ତିନି ଗୋଟି ଅଲଗା ଅଲଗା କୋଠରୀ ନିର୍ମାଣ କରାଯାଇଥିବା ବେଳେ ନିର୍ମିତ କେନ୍ଦ୍ରର କାନ୍ଥ ଚାରିପଟେ ଏହାର ଉପଯୋଗିତା ଉପରେ ବ୍ୟଙ୍ଗ ଚିତ୍ର ମଧ୍ୟ ଅଙ୍କା ଯାଇଛି ।

କିନ୍ତୁ ନିର୍ମାଣକୁ ବହୁଦିନ ବିତିଯାଇଥିଲେ ସୁଦ୍ଧା ଏହା କାମରେ ଲାଗି ପାରୁନଥିବାରୁ ଉକ୍ତ ଯୋଜନାର ସଫଳ ରୂପାୟନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉଦାହରଣ ସ୍ୱରୂପ କାଦବରାଙ୍ଗ ପଂଚାୟତରେ ନିର୍ମିତ କେନ୍ଦ୍ରଟି କାଦବରାଙ୍ଗ ବଜାର ଅଂଚଳରେ ହୋଇଥିବାରୁ ବଜାର ଅଂଚଳ ସ୍ୱଚ୍ଚ ରହିବାରେ ଏହାର ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଥିବା ବେଳେ କୁଣ୍ଡ ପଡ଼ିଛି ଫାଙ୍କା କିନ୍ତୁ ବାହାରେ ଗଦା ଗଦା ଅଳିଆ ପଡ଼ି ପରିବେଶକୁ ପ୍ରଦୂଷଣ କରୁଥିବା ଦେଖିବାକୁ ମିଳୁଛି । ପ୍ରକଳ୍ପ ନିର୍ମାଣ ହେଉଛି କିନ୍ତୁ ଏହାର ବ୍ୟବହାର ଓ କାର୍ଯ୍ୟକାରିତା ଉପରେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ପ୍ରକଳ୍ପର ସଫଳ ରୂପାୟନ ହୋଇପାରୁନଥିବା ଉକ୍ତ ପ୍ରକଳ୍ପକୁ ଦେଖିଲେ ସ୍ପଷ୍ଟ ବାରି ହୋଇ ପଡ଼ୁଛି । ସେହିପରି ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ ବର୍ତ୍ତମାନ ପଂଚାୟତ ସମିତି ପକ୍ଷରୁ ଅଳିଆ କୁଣ୍ଡ ପ୍ରଦାନ କରାଯାଉଛି । ଯେଉଁସବୁ ପଂଚାୟତରେ ଅଳିଆ କୁଣ୍ଡ ପ୍ରଦାନ କରାଯାଇଛି ଉକ୍ତ ଅଳିଆ କୁଣ୍ଡକୁ ଦେଖିଲେ କୁଣ୍ଡରୁ ଅଳିଆ ଗନ୍ଧ ବାହାରିବା ପରିବର୍ତ୍ତେ ଦୁର୍ନୀତିର ଗନ୍ଧ ବାହାରୁଥିବା ପରିଲକ୍ଷିତ ହେଉଛି । ସରକାରଙ୍କ ଅର୍ଥକୁ ବିଭାଗୀୟ ଅଧିକାରୀ ମାନେ କିପରି ଅପବ୍ୟବହାର କରୁଛନ୍ତି ଉକ୍ତ ଯୋଜନାରୁ ସ୍ପଷ୍ଟ ବାରି ହୋଇପଡ଼ୁଛି । ବିଭିନ୍ନ ପଂଚାୟତର ବିଭିନ୍ନ ୱାର୍ଡ଼ରେ ବସବାସ କରୁଥିବା ବାସିନ୍ଦାଙ୍କ ଘରକୁ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ଅଳିଆ କୁଣ୍ଡରେ ଅଳିଆ ରହିବା ପରିବର୍ତ୍ତେ ଅନ୍ୟ ସାମଗ୍ରୀମାନ ରହୁଥିବା ଦେଖିବାକୁ ମିଳୁଛି । ବହୁଯାଗାରେ ସୂଚନା ବିହିନ କୁଣ୍ଡ ଥୁଆ ହୋଇଛି ।

ଏହିପରି ଭାବରେ ପ୍ରକୃତ ଲକ୍ଷ ଠାରୁ ଏହା ବହୁ ଦୂରରେ ଥିବାର ଜଣାପଡ଼ିଛି । ଏବଂ ଆରମ୍ଭରୁ ଉକ୍ତ ଯୋଜନା ଝୁଣ୍ଟିବା ଆରମ୍ଭ କରିଥିବାରୁ ଏହାର ସଫଳ ରୂପାୟନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କୁଣ୍ଡ ନିର୍ମାଣରେ ୩ଗୋଟି ନନ୍ଦ ବ୍ୟବହାର ହୋଇଥିବା ବେଳେ ଉକ୍ତ କୁଣ୍ଡକୁ ଯୋଡ଼ି ତା ଉପରେ ରଙ୍ଗ ମାରି ସୂଚନା ଲେଖା ଯାଇଛି । ଯେଉଁ ଅର୍ଥ ଏଥି ନିମନ୍ତେ ବ୍ୟବହାର ହୋଇଛି ତାହାର ବ୍ୟବହାର ପ୍ରକୃତ ପକ୍ଷେ ହେଉଛିକି ନାହିଁ ସେଥିପ୍ରତି କେହି ଦୃଷ୍ଟି ନଦେବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରିବା ସହ ଦୁର୍ନୀତିର ଗନ୍ଧ ବାରି ହୋଇ ପଡୁଛି । ତେଣୁ ପରିବେଶକୁ ସରସ ଓ ସୁନ୍ଦର କରିବା ସହ ଆବର୍ଜନା ମୁକ୍ତ କରିବା ପାଇଁ ଆବର୍ଜନା ପୃଥକୀ କରଣ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ସହ ଅଳିଆ କୁଣ୍ଡ ତାର ପ୍ରକୃତ ଲକ୍ଷ କିପରି ସାଧିତ କରି ପାରିବ ବିଭାଗୀୟ ଅଧିକାରୀ ସେଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।

rr