ଭୁବନେଶ୍ବର: ପୁଣି ଥରେ ଆନ୍ଦୋଳନ ଡାକରା ଦେଲାଣି କଂଗ୍ରେସ । ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେଇଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ଏନେଇ ରାଜ୍ୟରେ କୋଣଅନୁକୋଣରେ ରହିଥିବା ସମସ୍ତ କଂଗ୍ରେସ କର୍ମୀ ଏବଂ ନେତା, ଆସନ୍ତା ଏପ୍ରିଲ ୧୫ରେ ମଶାଲ ଶୋଭାଯାତ୍ରା କରିବେ । ସମସ୍ତ ବ୍ଲକ ମୁଖ୍ୟାଳୟରେ ଶୋଭାଯାତ୍ରା କରାଯିବ । ଏହାପରେ ପୁଣି ଏପ୍ରିଲ ୨୧ରେ ଜିଲ୍ଲାପାଳ ଅଫିସ୍ ଘେରାଉ କରିବ କଂଗ୍ରେସ । ଏନେଇ ପ୍ରେସମିଟ କରି ସୂଚନା ଦେଇଛି କଂଗ୍ରେସ ।
ତେବେ ବାରମ୍ବାର ନାରୀ ନିର୍ଯ୍ୟାତନା ନେଇ କଂଗ୍ରେସ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ, ଏବେବି ନିରାଶ ରହିଛି । ସରକାରଙ୍କ ପକ୍ଷରୁ କୌଣସି ଆଶାଜନକ ପଦକ୍ଷେପ ନନିଆଯାଇଥିବା ବେଳେ ରାଜ୍ୟରେ ନାରୀ ସୁରକ୍ଷା ପ୍ରସଙ୍ଗକୁ ନେଇ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ । ସାରା ରାଜ୍ୟରେ ଶୋଭାଯାତ୍ରା କରିବ ।
ସେପଟେ ଆଜି ବିଧାନସଭାର ଚଳିତ ବଜେଟ ଅଧିବେଶନ ଶେଷ ହୋଇଥିବା ବେଳେ କାଲି ରାତି ସାରା ବିଧାନସଭା ଚଳେଇ ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଲ୍ ପାରିତ କରିଛନ୍ତି ରାଜ୍ୟ ସରକାର । ଗୃହର ୨୫ତମ କାର୍ଯ୍ୟ ଦିବସରେ ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ-୨୦୨୪ ଏବଂ ରାଜ୍ୟ ରାଜପଥ ପ୍ରାଧିକରଣ ବିଲ-୨୦୨୫ ବିଧାନସଭାରେ ପାରିତ ହୋଇଛି । ସେହିପରି ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ ଗୃହରେ ପାରିତ ହୋଇଛି । ଯାହାକୁ ଶାସକ ଦଳ ସମେତ ବିରୋଧୀ ବିଜେଡିର ଅନେକ ବିଧାୟକ ସମର୍ଥନ ଜଣାଇଥିଲେ । ଏହାପରେ ଗୃହକୁ ଅନିର୍ଦ୍ଦିଷ୍ଟି କାଳ ପାଇଁ ମୁଲତବି ରଖିଥିଲେ ବାଚସ୍ପତି ।
ଯାହାକୁ ନେଇ ଏବେ ଅସନ୍ତୋଷ ପ୍ରକାଶ କରି ଉଭୟ ବିରୋଧୀ ବିଜେଡି ଏବଂ ଶାସକ ବିଜେପି ଉପରେ ବର୍ଷିଛି କଂଗ୍ରେସ । କଂଗ୍ରେସର କହିବା କଥା, ଶାସକ ବିଜେପି ଜାଣି ଶୁଣି, କଂଗ୍ରେସର ସମସ୍ତ ବିଧାୟକଙ୍କୁ ଗୃହରୁ ନିଲମ୍ବନ କରିଛନ୍ତି । ଆଉ ବିଜେଡି ସାଙ୍ଗରେ ମିଶି ବିଲକୁ ପାରିତ କରାଇଛନ୍ତି । ଏନେଇ ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରା ବାହିନୀ ପତି କହିଛନ୍ତି, ଆମକୁ ଯୋଜନାବଦ୍ଧ ଭାବେ ବିଧାନସଭାରୁ ଆଉଟ କଲେ । ଏହାପରେ ବିଜେଡି ସହ ମିଶି ରାତି ସାରା ବିଧାନସଭା ଚଳାଇ ବିଲ୍ ପାସ୍ କରାଇନେଲେ । ବିଜେଡି ଓ ବିଜେପି ଏକ ଦଳ ବୋଲି ଏବେ ପ୍ରମାଣିତ ହୋଇଗଲା ବୋଲି କହିଛନ୍ତି ତାରା ।
ତେବେ କହିରଖୁଛୁ, ବାରମ୍ବାର ହଟ୍ଟଗୋଳ ଓ ଗୃହ ମୁଲତବି ପାଇଁ କଂଗ୍ରେସର ସମସ୍ତ ୧୪ ବିଧାୟକଙ୍କୁ ୭ଟି କାର୍ଯ୍ୟ ଦିବସ ପାଇଁ ନିଲମ୍ବନ କରିତିଲେ ବାଚସ୍ପତି ସୁରମା ପାଢୀ ।