2 179 1743678008410

ନିଯୁକ୍ତି ରଦ୍ଦ ହେବା ପରେ ମମତାଙ୍କ ବୟାନ ; ଅଦାଲତକୁ ସମ୍ମାନ କରୁଛୁ, କିନ୍ତୁ ଏହି ନିଷ୍ପତ୍ତିକୁ ଅସ୍ୱୀକାର

National & International

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପ୍ରାୟ ୨୬୦୦୦ ଶିକ୍ଷକ ଓ ଷ୍ଟାଫଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ ଅବୈଧ ଘୋଷଣା କରିବା ପରେ ରାଜନୀତି ଜୋର ହୋଇଛି । ଏହି ମାମଲାରେ ବିରୋଧୀ ଦଳ ବିଜେପି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛି । ଅନ୍ୟପଟେ ସିପିଏମ୍ କହିଛି ଯେ ସରକାର ଖାଲି ଥିବା ପଦକୁ ତୁରନ୍ତ ଭର୍ତ୍ତି କରନ୍ତୁ । ଏହାରି ଭିତରେ ମମତା ବାନାର୍ଜୀଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । ସେ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି । ମମତା କହିଛନ୍ତି ଯେ ମୋ ମନରେ ନ୍ୟାୟପାଳିକା ପାଇଁ ଅନେକ ସମ୍ମାନ ଅଛି, କିନ୍ତୁ ଆମେ ଏହି ନିଷ୍ପତ୍ତିକୁ ସ୍ୱୀକାର କରିପାରିବୁ ନାହିଁ । ମମତା ବାନାର୍ଜୀ ବିଜେପିକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ ପଶ୍ଚିମବଙ୍ଗରେ ପୂରା ଶିକ୍ଷା ବ୍ୟବସ୍ଥା ଧ୍ୱସ୍ତ ହୋଇଯାଉ ବୋଲି ବିଜେପି ଚାହୁଁଛି ।

ମମତା କହିଛନ୍ତି ଯେ ବେଙ୍ଗଲର ପୂର୍ବତନ ଶିକ୍ଷା ମନ୍ତ୍ରୀ ଜେଲରେ ଅଛନ୍ତି । ମଧ୍ୟପ୍ରଦେଶ ବ୍ୟାପମ୍ କେସରେ କେତେ ଲୋକଙ୍କୁ ଗିରଫ କରାଯାଇଥିଲା ଓ କେଉଁମାନେ ଜେଲ୍ ଯାଇଥିଲେ ତାର ଉତ୍ତର ଦେଉ ବିଜେପି । ସୁପ୍ରିମକୋର୍ଟ ଗୁରୁବାର କହିଥିଲେ ଯେ ୨୬ ହଜାର ଶିକ୍ଷକ ଓ ଅନ୍ୟ ଷ୍ଟାଫ୍‌ଙ୍କ ନିଯୁକ୍ତିରେ ବଡ଼ ଧରଣର ଅନିୟମିତତା ହୋଇଥିଲା ଓ ଏହା ଦୁର୍ନୀତିଗ୍ରସ୍ତ ପ୍ରକ୍ରିୟା ରହିଥିଲା । ଏଥିପାଇଁ ଏହି ନିଯୁକ୍ତିକୁ ରଦ୍ଦ କରାଯାଉଛି । ଏବେ ଏହି ମାମଲାରେ ବିଜେପି ମମତା ସରକାରଙ୍କୁ ଜୋରଦାର ଟାର୍ଗେଟ୍ କରୁଛି ।

କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଓ ବେଙ୍ଗଲ ବିଜେପି ମୁଖ୍ୟ ସୁକାନ୍ତ ମଜୁମଦାର ସିଏମ୍ ମମତାଙ୍କ ଇସ୍ତଫା ଦାବି କରିଛନ୍ତି । ସେ ଏକ୍ସରେ ଲେଖିଛନ୍ତି, ‘ଏହି ପୂରା ନିଯୁକ୍ତି ପ୍ରକ୍ରିୟା ପାଇଁ ସିଏମ୍ ମମତା ବାନାର୍ଜୀ ଦାୟୀ । ସୁପ୍ରିମକୋର୍ଟଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ଯେ ମମତା ବାନାର୍ଜୀଙ୍କ ଶାସନରେ ଯୋଗ୍ୟ ଯୁବକ-ଯୁବତୀଙ୍କ ସହ ଧୋକା ହୋଇଛି । ଟଙ୍କା ନେଇ ଏପରି କରାଯାଇଛି ।’

ସେ ଆହୁରି ଲେଖିଛନ୍ତି ଯେ ମମତା ବାନାର୍ଜୀ କେବଳ ଯୋଗ୍ୟ ପ୍ରାର୍ଥୀଙ୍କୁ ଧୋକା ଦେଇନାହାନ୍ତି ବରଂ ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ଧୋକା ଦେଇଛନ୍ତି । ଟିଏମସି ସାଂସଦ ଡୋଲା ସେନ୍ କହିଛନ୍ତି ଯେ ପାର୍ଟି କୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ କରୁଛି, କିନ୍ତୁ ଏହା ମଧ୍ୟ ସତ ଯେ ଆମେ ଦୁର୍ନୀତି ବିରୋଧରେ ଲମ୍ୱା ଲଢେଇ ଲଢିଛୁ । ସେ କହିଛନ୍ତି ଯେ ଆମ ସରକାର ଏହି ମାମଲାର ତଦନ୍ତ କରିବେ । ପାର୍ଟି ସବୁବେଳେ ଯୋଗ୍ୟ ପ୍ରାର୍ଥୀଙ୍କ ସହ ରହିଛି ।