Onn 3

ଜାତୀୟ ବାଳିକା ହକି: କ୍ବାର୍ଟରଫାଇନାଲରେ ଓଡ଼ିଶା

sports

ରାଉରକେଲା: ଏଠାରେ ଚାଲିଥିବା ଜାତୀୟ କନିଷ୍ଠ ବାଳିକା ହକି ପ୍ରତିଯୋଗିତାର କ୍ବାର୍ଟରଫାଇନାଲ ସୂଚୀ ଚୂଡ଼ାନ୍ତ ହୋଇଛି। ପୂର୍ବରୁ ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ ଓ ପଞ୍ଜାବ କ୍ବାର୍ଟର ଫାଇନାଲ ପ୍ରବେଶ କରିଥିଲେ। ସୋମବାର ନିଜର ଶେଷ ଲିଗ୍‌ ମ୍ୟାଚ୍‌ ଜିତି ଓଡ଼ିଶା, ହରିୟାଣା, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର କ୍ବାର୍ଟର ଫାଇନାଲ ସ୍ଥାନ ସୁରକ୍ଷିତ କରିଛନ୍ତି। ମଙ୍ଗଳବାର ସମସ୍ତ ଚାରୋଟି ଯାକ କ୍ବାର୍ଟରଫାଇନାଲ ମ୍ୟାଚ୍‌ ଖେଳାଯିବ। ଓଡ଼ିଶା କ୍ବାର୍ଟରଫାଇନାଲରେ ଛତିଶଗଡ଼କୁ ଭେଟିବ। ସେହିଭଳି ଅନ୍ୟ କ୍ବାର୍ଟରଫାଇନାଲଗୁଡ଼ିକରେ ମହାରାଷ୍ଟ୍ର-ମଧ୍ୟପ୍ରଦେଶ, ହରିୟାଣା-ପଞ୍ଜାବ ଏବଂ ଝାଡ଼ଖଣ୍ଡ-ମିଜୋରାମ ମୁହାଁମୁହିଁ ହେବେ।
ପୁଲ୍‌ ସି’ର ଶେଷ ମ୍ୟାଚ୍‌ରେ ଓଡ଼ିଶା ୪-୦ ଗୋଲ୍‌ରେ ତାମିଲନାଡୁକୁ ହରାଇଥିଲା। ମ୍ୟାଚ୍‌ସାରା ଓଡ଼ିଶାର ଦବ୍‌ଦବା ସ୍ପଷ୍ଟ ପରିଲକ୍ଷିତ ହୋଇଥିଲା। ନବମ ମିନିଟ୍‌ରେ ପ୍ରତିଭା ଏକ୍କା ଫିଲ୍‌ଡ ଗୋଲ ଦେଇ ଦଳକୁ ଆଗୁଆ କରିଥିଲେ। ଏହାପରେ ରମ୍ଭା କୁଜୁର(୧୬), ଅସୀମା ରାଉତ(୨୯) ଓ ପୂଜା ସାହୁ(୫୮) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ତାମିଲନାଡ଼ୁ ଖେଳାଳି ଏକାଧିକ ପ୍ରୟାସ କରିଥିଲେ ମଧ୍ୟ ଗୋଲ୍‌ ଦେବାରେ ସକ୍ଷମ ହୋଇନଥିଲେ। ସୋମବାର ଶେଷ ହୋଇଥିବା ଅନ୍ୟ ମ୍ୟାଚ୍‌ଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ୬-୨ ଗୋଲରେ ଦିଲ୍ଲୀକୁ, ହରିୟାଣା ୧୦-୪ ଗୋଲରେ ପଶ୍ଚିମବଙ୍ଗକୁ ଓ ଝାଡ଼ଖଣ୍ଡ ୯-୦ ଗୋଲରେ ରାଜସ୍ଥାନକୁ ପରାସ୍ତ କରିଛି।