Onn 3

ମୟୁରଭଞ୍ଜ ପ୍ରାଥମିକ ଶିକ୍ଷକ ସଂଘର ଜରୁରୀ ବୈଠକ, ଦାବି ପୂରଣ ନହେଲେ ସମୂହ ଛୁଟି

State

ବାରିପଦା : ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘର ଆହ୍ୱାନ କ୍ରମେ ସ୍ଥାନୀୟ ଲାଲବଜାର ସ୍ଥିତ ପ୍ରାଥମିକ ଶିକ୍ଷକ ଭବନରେ ଜିଲ୍ଲା ସଂଘର ସଭାପତି ହରେକୃଷ୍ଣ ବାରିକଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି I ପ୍ରତ୍ୟେକ ବ୍ଲକର ସଭାପତି ଓ ସମ୍ପାଦକଙ୍କ ସହ ଜିଲ୍ଲା ସଙ୍ଘର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ I 2800 ଗ୍ରେଡ଼ ପେ ପ୍ରଦାନ, ଠିକା ନିଯୁକ୍ତିର 6 ବର୍ଷକୁ ମୂଳ ଚାକିରୀରେ ମିଶାଇ 6 ଟି ଇନ୍କ୍ରିମେଣ୍ଟ ପ୍ରଦାନ, କଣ୍ଟ୍ରାକଚୁଆଲ ପଦବୀ ଉଛେଦ ଓ ପୁରୁଣା ପେନସନ ପ୍ରଦାନ ଆଦି ଦାବି ଉପରେ ସଭାପତି ସମସ୍ତଙ୍କୁ ଅବଗତ କରାଇଥିଲେ I ଗତ ବର୍ଷ ନଭେମ୍ବରରୁ ଆନ୍ଦୋଳନ ଜାରି ରହିଥିଲେ ମଧ୍ୟ ଅଦ୍ୟାବଧି ସରକାର କୌଣସି ଦାବି ପ୍ରତି କର୍ଣ୍ଣପାତ କରିନାହାନ୍ତି I

ଯଥାଶୀଘ୍ର ଦାବି ପୂରଣ ନହେଲେ ଚଳିତ ମାସ 24 ତାରିଖଠାରୁ ଜିଲ୍ଲାର ସମସ୍ତ ବର୍ଗର ଶିକ୍ଷକ ସମୂହ ଛୁଟିରେ ଯିବେ ବୋଲି ସର୍ବସମ୍ମତି କ୍ରମେ ନିଷ୍ପତି ନିଆଗଲା I ସମସ୍ତ ବିଦ୍ୟାଳୟକୁ ଅଚଳ କରିବା ସହ ସରକାରଙ୍କ ସହ ସମସ୍ତ କ୍ଷେତ୍ରରେ ଅସହଯୋଗ କରିବେ ବୋଲି ମଧ୍ୟ ସିଦ୍ଧାନ୍ତ ନିଆଗଲା I ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣାନନ୍ଦ ଆଚାର୍ଯ୍ୟ ଓ ଯାମିନୀକାନ୍ତ ପଣ୍ଡା ଏବଂ ଜିଲ୍ଲା ସଙ୍ଘ ସମ୍ପାଦକ ରାଜେନ୍ଦ୍ର ମହାନ୍ତଙ୍କ ସମେତ ଭବେଶ ପାଣିଗ୍ରାହୀ, ରାକେଶ ପ୍ରଧାନ, ଛବିଲତା ବାରିକ, ଗଦାଧର ନାୟକ, ସିଦ୍ଧେଶ୍ୱର ମିଶ୍ର, ପ୍ରଦୀପ କୁମାର ନାଥ, ସୂର୍ଯ୍ୟ ସେଠି, ଶିବ ନାରାୟଣ ମହାନ୍ତ, ଅଜୟ ମହାନ୍ତ, ବୀରେନ୍ଦ୍ର ମଢେଇ, ଶୁଭ୍ରାଂଶୁ ମଙ୍ଗରାଜ, ଦୀପକ ପାତ୍ର, କୃପାସିନ୍ଧୁ ବେରା, ଗୌରଗୋପାଳ ଲେଙ୍କା, ଗୀତିକା ବେହେରା, ଭାଗବତ ଜେନା, କିଶୋର ବେହେରା ତଥା ସମସ୍ତ 26 ବ୍ଲକର ସଭାପତି ଓ ସମ୍ପାଦକ ଯୋଗ ଦେଇ ସୁଚିନ୍ତିତ ମତ ରଖିଥିଲେ I ଚଳିତ ମାସ 8/9 ତାରିଖରେ ପ୍ରତ୍ୟେକ ବ୍ଲକ ସ୍ତରରେ ସଭା କରି ସମସ୍ତ ସାଧାରଣ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଜିଲ୍ଲା ସଂଘର ନିଷ୍ପତ୍ତିକୁ ଅବଗତ କରାଇବା ପାଇଁ ବ୍ଲକ ସଂଘର କର୍ମକର୍ତ୍ତାଙ୍କୁ ଦାୟିତ୍ୱ ଦିଆଗଲା I