Onn 3

ଏନସିପି ଦୁଇଭାଗ : ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ

National & International

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଆଜି ମହାନାଟକ ଦେଖିବାକୁ ମିଳିଛି | ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଏକନାଥ ସିନ୍ଦେଙ୍କ ସରକାରରେ ଯୋଗ ଦେଇଛନ୍ତି ଏନସିପିର ବରିଷ୍ଠ ନେତା ଅଜିତ ପାୱାର | ଅଜିତ ପାୱାରଙ୍କ ସହ ଛଗନ ଭୁଜବଳ ଓ ୨୯ରୁ ଅଧିକ ବିଧାୟକ ଯୋଗ ଦେଇଛନ୍ତି | ଆଜି ରାଜଭବନରେ ରାଜ୍ୟପାଳ ରମେଶ ବୈଷ ଅଜିତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି | ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ଛଗନ ଭୁଜବଳ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି |
ଅଜିତଙ୍କ ବ୍ୟତୀତ ଧର୍ମରାଓ ଅନ୍ନମ, ସଞ୍ଜୟ ବାଲସାଦେ, ଅଦିତି ତଟକରେ, ହସନ ମୁସରିଫ, ଧନଞ୍ଜୟ ମୁଣ୍ଡେ, ଅନିଲ ପାଟିଲ, ଦିଲୀପ ବଲସେ ପ୍ରମୁଖ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି | ଉଲ୍ଲେଖ ଥାଉ କି କିଛିଦିନ ତଳେ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ସୁପ୍ରିୟା ସୁଲେ ଏବଂ ପ୍ରଫୁଲ୍ଲ ପଟେଲଙ୍କୁ ଦଳର କାର୍ଯ୍ୟକାରୀ ସଭାପତି ଘୋଷଣା କରିଥିଲେ |
ତେବେ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପାୱାରଙ୍କ ପୁତୁରା ଅଜିତ ପାୱାରଙ୍କୁ ନେଇ କୌଣସି ଘୋଷଣା କରିନଥିଲେ । ସେତେବେଳେ ଶରଦ ପାୱାର କହିଥିଲେ ଯେ, ଅଜିତ ପାୱାରଙ୍କ ପାଖରେ ଦଳର ଅଧିକ ଦାୟିତ୍ବ (ରାଜ୍ୟ ବିରୋଧୀ ଦଳ ନେତା ପଦ) ରହିଥିବାରୁ ତାଙ୍କୁ ଆଉ କୌଣସି ନୂଆ ଦାୟିତ୍ବ ଦିଆଯାଇନାହିଁ। ଆଉ ପାୱାରଙ୍କ ବଡ଼ ନିଷ୍ପତ୍ତି ପରେ ଅଜିତ ପାୱାର କ୍ଷୁବ୍ଧ ହୋଇଥିଲେ । ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଅଜିତ ପାୱାରଙ୍କୁ ୫୩ ଏନସିପି ବିଧାୟକଙ୍କ ମଧ୍ୟରୁ ୨୯ ଜଣଙ୍କ ସମର୍ଥନ ଥିବାର କୁହାଯାଉଥିବାବେଳେ ବିଜେପିର ପଲା ଭାରି ହୋଇଛି |
ତେବେ ଅଜିତ ପାୱାର ଏକନାଥଙ୍କ ସରକାରରେ ଯୋଗଦେବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଡବଲ ଇଞ୍ଜିନ ସରକାର ଚାଲୁଥିଲା, କିନ୍ତୁ ବର୍ତ୍ତମାନ ଅଜିତ ପାୱାର ଆସିବା ପରେ ଟ୍ରିପଲ ଇଞ୍ଜିନର ସରକାର ଗଠନ ହୋଇଛି |
ବାସ୍ତବରେ ଆଜି ସକାଳେ ଅଜିତ ପାୱାର ମୁମ୍ବାଇରେ ଥିବା ତାଙ୍କ ସରକାରୀ ବାସଭବନରେ ଦଳର କିଛି ନେତା ତଥା ବିଧାୟକଙ୍କୁ ନେଇ ବୈଠକ କରିଥିଲେ | ତେବେ କେଉଁ ପ୍ରସଙ୍ଗକୁ ନେଇ ବୈଠକ ହୋଇଛି ସେନେଇ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ପାଖରେ କୌଣସି ସୂଚନା ନଥିଲା | ଶରଦ ପାୱାର ପୁଣେରେ ଥିବାବେଳେ ବୈଠକକୁ ନେଇ ସେ କହିଥିଲେ ଯେ ସେ ଏହି ବୈଠକ ବାବଦରେ ତାଙ୍କ ପାଖରେ ସୂଚନା ନାହିଁ | କିନ୍ତୁ ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳର ନେତା ଭାବରେ ଅଜିତ ପାୱାର ବୈଠକ କରିପାରିବେ ।
ଏହି ବୈଠକରେ କାର୍ଯ୍ୟକାରୀ ଅଧ୍ୟକ୍ଷ ସୁପ୍ରିୟା ସୁଲେଙ୍କ ସହ ପ୍ରଫୁଲ୍ଲ ପଟେଲ ମଧ୍ୟ ଉପସ୍ଥିତ ଥିଲେ | ତେବେ ବୈଠକରେ ଏନସିପି ରାଜ୍ୟ ସଭାପତି ଜୟନ୍ତ ପାଟିଲ ଉପସ୍ଥିତ ନଥିଲେ। ଏହି ବୈଠକ ପରେ ଅଜିତ ପାୱାର ୧୭ ଜଣ ବିଧାୟକଙ୍କ ସହ ସିଧାସଳଖ ରାଜଭବନକୁ ଯାଇଥିଲେ | ସେଠାରେ ବିଧାୟକମାନଙ୍କ ସମ୍ମତି ପତ୍ର ଦେବା ପରେ ତୁରନ୍ତ ଶପଥଗ୍ରହଣ ପାଇଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ଆଉ ଅଜିତ ଘଣ୍ଟାକ ମଧ୍ୟରେ ବିରୋଧୀ ଦଳ ନେତାରୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ |