Onn 3

୩ବର୍ଷ ପରେବି କାର୍ଯ୍ୟରେ ଲାଗୁନି ୩ଲକ୍ଷ

State

ଆଗରପଡ଼ା:୩ବର୍ଷ ବରେବି ୩ଲକ୍ଷ ବ୍ୟୟରେ ନିର୍ମିତ ଗୋଷ୍ଠୀ ପରିମଳ କେନ୍ଦ୍ର କାମରେ ନ ଲାଗିବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟପନ୍ଥା ଉପରେ ଅଙ୍ଗୁଳ ନିର୍ଦ୍ଦେଶ କରୁଛି । ଏହି ପରି ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିଭିନ୍ନ ପଂଚାୟତରେ । ୨୦୨୦-୨୧ ଆର୍ଥିକ ବର୍ଷରେ ସରକାରଙ୍କ ତରଫରୁ ଗରିବ ରୋଜଗାର ଯୋଜନାରେ ଗୋଷ୍ଠୀ ପରିମଳ କେନ୍ଦ୍ରମାନ ନିର୍ମାଣ କରାଯାଇଥିଲା । ନିର୍ମାଣକୁ ୩ବର୍ଷ ପୂରି ଯାଇଥିଲେ ସୁଦ୍ଧା ୩ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧିନ କେନ୍ଦ୍ର ଗୁଡ଼ିକ କାର୍ଯ୍ୟକ୍ଷମ ହୋଇପାରୁନଥିବାରୁ ଉକ୍ତ ଯୋଜନାର ସଫଳ ରୂପାୟନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଉଦାହରଣ ସ୍ୱରୂପ କାଦବରାଙ୍ଗ ପଂଚାୟତର ପଂଚାୟତ କାର୍ଯ୍ୟାଳୟ ନିକଟରେ,ପୁରୁଷଣ୍ଢ ପଂଚାୟତର ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର ନିକଟରେ, ଆଡ଼ିଆ ପଂଚାୟତର ଅଡ଼ାଳପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ, ଓଡ଼ଙ୍ଗ ପଂଚାୟତର ସତିସାବିତ୍ରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଏହିପରି ବିଭିନ୍ନ ସ୍ଥାନରେ ନିର୍ମିତ ଗୋଷ୍ଠୀ ପରିମଳ କେନ୍ଦ୍ରମାନ ଅନ୍ୟତମ । ଉକ୍ତ କେନ୍ଦ୍ରଗୁଡ଼ିକର ନିର୍ମାଣ ସରିଥିଲେ ସୁଦ୍ଧା ଏହା କେଉଁ କାରଣରୁ ବ୍ୟବହାର କରାଯାଉନାହିଁ ,ଉକ୍ତ କେନ୍ଦ୍ରର ଦାଇତ୍ୱ କିଏ ବହନ କରୁଛନ୍ତି ଏହା ଜାଣିବା ପାଇଁ ଆମ ପ୍ରତିନିଧି ବିଭାଗୀୟ କନିଷ୍ପ ଯନ୍ତ୍ରୀଙ୍କୁ ଯୋଗାଯୋଗ କଲେ ଏହାର ସନ୍ତୋଷ ଜନକ ଉତ୍ତର ମିଳିପାରୁନାହିଁ । ତେଣୁ ନିର୍ମାଣ ସରିବାର ବର୍ଷାଧିକ କାଳପରେ ମଧ୍ୟ କେନ୍ଦ୍ରଗୁଡ଼ିକ ବ୍ୟବହାର ନହୋଇ ପଡ଼ିରହିଥିବା ଯୋଗୁଁ ଏହା ବ୍ୟବହାର ହେବା ବେଳକୁ ପୁନଃ ମରାମତି ମାଗିବା ପରିସ୍ଥିତି ସୃଷ୍ଟି ହେବାର ସୂଚନା ମିଳୁଛି ।

ସେହିପରି ବିଭାଗୀୟ ଅଧିକାରୀଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଆଗରପଡ଼ା ବଜାରରେ ବିଟିପୁର ଓ ବଡ଼ମହିଁଷଗୋଠ ପଂଚାୟତ ପକ୍ଷରୁ ନିର୍ମାଣ ହେଉଥବା ଗୋଷ୍ଠୀ ପରିମଳ କେନ୍ଦ୍ରର ସଫଳ ରୂପାୟନ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ବନ୍ଦ ହୋଇପଡ଼ିଥିବା କେନ୍ଦ୍ର ଗୁଡ଼ିକ କିପରି ବ୍ୟବହାର ହୋଇପାରିବ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭିନ୍ନ ପଂଚାୟତ ବାସୀଙ୍କ ପକ୍ଷରୁ ଦାବି ହେଉଛି ।