Onn 3

ମୁଁହ ଖୋଲିଲେ ପୁଟିନ୍‌, କହିଲେ- ସବୁ ପଶ୍ଚିମ ଦେଶଙ୍କ ଚାଲ୍‌

National & International

ମସ୍କୋ : ରୁଷର ମିଲିଟାରୀ ଶାସନ ଓ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ଦେଖାଦେଇଥିବା ବିଦ୍ରୋହ ଥମିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ରାଷ୍ଟ୍ରପତି ପୁଟିନ । ଏହା ବିରୋଧୀଙ୍କ ଚାଲ୍‌ ବୋଲି ପୁଟିନ୍‌ କହିବା ସହ ଏଥିରେ କିନ୍ତୁ ସେମାନେ ସଫଳ ହୋଇ ପାରି ନ ଥିବା ବି କହିଛନ୍ତି। ଏଥିପାଇଁ ରାଷ୍ଟ୍ରର ଜନସାଧାରଣଙ୍କ ମଧ୍ୟରେ ଥିବା ଏକତାକୁ ସେ ଧନ୍ୟବାଦ ଜଣାଇଛନ୍ତି । ଅପରପକ୍ଷେ, ୱାଗନର ବସ୍‌ ୟେଭ୍‌ଗେନି ପ୍ରିଗୋଝିନ ନିଜ ସଫେଇରେ କ୍ଷମତା ପରିବର୍ତ୍ତନ ଉଦ୍ଦେଶ୍ୟରେ ଏହି ବିଦ୍ରୋହ କରି ନ ଥିବା କହିଛନ୍ତି।
ଦେଶର ଏକ ଟେଲିଭିଜନ ସମ୍ବୋଧନ କାର୍ଯ୍ୟକ୍ରମରେ ପୁଟିନ କହିଛନ୍ତି, ଦେଶରେ ମୁଣ୍ଡ ଟେକିଥିବା ବିଦ୍ରୋହ ଯୋଗୁ ରକ୍ତପାତ ହେବା ଆଶଙ୍କା ସୃଷ୍ଟି ହୋଇଥିଲା। ହେଲେ ଯେକୌଣସି ପରିସ୍ଥିତିରେ ଏହାକୁ ଟାଳିବାକୁ ଓ ସାଧାରଣ ନାଗରିକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲି। କିନ୍ତୁ ପଶ୍ଚିମ ଦେଶ ଓ ୟୁକ୍ରେନ ଏହାର ବିପରୀତ ଚାହୁଁଥିଲେ। ରୁଷ ନାଗରିକ ପରସ୍ପରକୁ ମାରି ଦିଅନ୍ତୁ ବୋଲି ସେମାନଙ୍କ ଇଚ୍ଛା ଥିଲା। ହେଲେ ସେମାନଙ୍କ ମନସ୍କାମନା ପୂର୍ଣ୍ଣ ହୋଇ ପାରିଲାନି।
ପୁଟିନ କହିଛନ୍ତି, ଆମେ ବିଦ୍ରୋହକୁ ୨୪ ଘଣ୍ଟାରୁ କମ୍‌ ସମୟରେ ସମାପ୍ତ କରିପାରିଛୁ। ଏଥିପାଇଁ ରାଷ୍ଟ୍ରର ଏକତାକୁ ଧନ୍ୟବାଦ । ରକ୍ତପାତରେ ପରିବର୍ତ୍ତନ ହେବା ପୂର୍ବରୁ ବିଦ୍ରୋହ ସମାପ୍ତ କରିଥିବାରୁ ୱାଗନର ଗ୍ରୁପ୍‌କୁ ବି ଧନ୍ୟବାଦ ଦେଇଛନ୍ତି ପୁଟିନ । ଦେଶବାସୀଙ୍କୁ ବିଦ୍ରୋହ ନିଆଁରୁ ବଞ୍ଚାଇବା ନିମନ୍ତେ ଉଚିତ ସମୟରେ ଉଚିତ ପଦକ୍ଷେପ ଗ୍ରହଣ କରାଯାଇଥିବା ସେ କହିଛନ୍ତି ।
ଏପରିକି ଯେଉଁ ୱାଗନର ଗ୍ରୁପ୍ ତାଙ୍କ ବିରୋଧରେ ୨ ଦିନ ପୂର୍ବେ ଯୁଦ୍ଧ ଡାକରା ଦେଇଥିଲା, ପୁଟିନି ଉକ୍ତ ଗ୍ରୁପ୍‌ ପ୍ରତି କୋହଳ ମନୋଭାବ ପୋଷଣ କରୁଥିବା ସ୍ପଷ୍ଟ ହୋଇଛି। ୱାଗନର ଗ୍ରୁପ୍ ଯୋଦ୍ଧୋ ଚାହିଁଲେ ଦେଶର ସେନାରେ ସାମିଲ ହୋଇପାରିବେ ନଚେତ ବେଲାରୁଷ ଯାଇପାରିବେ କିମ୍ବା ନିଜ ଘରକୁ ବି ଫେରିପାରିବେ ବୋଲଇ କହିଛନ୍ତି ପୁଟିନ ।
ରୁଷୀ ସେନା ବିରୋଧରେ ଖୋଲା ଚ୍ୟାଲେଞ୍ଜ ଦେଇ ରାସ୍ତାକୁ ଓହ୍ଲାଇଥିବା ୟେବଗେନୀ ଆଖି ପିଛୁଳାକେ ନିଜ ମତ ପରିବର୍ତ୍ତନ କରିଛନ୍ତି। ନିଜ ସଫେଇରେ ୟେବଗେନୀ କହିଛନ୍ତି, ସେ କ୍ଷମତାର ପରିବର୍ତ୍ତନ ଚାହୁଁନାହାନ୍ତି। ମାତ୍ର ନିଜ ଗ୍ରୁପ୍‌କୁ ବିଲୀନ ହେବାରୁ ରୋକିବାକୁ ଚେଷ୍ଟା ଚଳାଇଛନ୍ତି। ଆମେ ଶାସନ ପରିବର୍ତ୍ତନ ଉଦ୍ଦେଶ୍ୟରେ ନୁହେଁ, ଅନ୍ୟାୟରୁ ବଞ୍ଚିବାକୁ ନିଜ ସ୍ୱର ଉତ୍ତୋଳନ କରିଥିଲୁ ବୋଲି କହିଛନ୍ତି ୟେବଗେନୀ ।
ରୁଷରେ ଦେଖାଦେଇଥିବା ବିଦ୍ରୋହ ନିମନ୍ତେ ପୁଟିନ ପଶ୍ଚିମ ଦେଶଙ୍କୁ ଟାର୍ଗେଟ କରୁଥିବା ବେଳେ ସଫେଇ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ’ ବାଇଡେନ । ନିଜ ସଫେଇରେ ସେ କହିଛନ୍ତି, ରୁଷରେ ଦେଖାଦେଇଥିବା ବିଦ୍ରୋହ ତାହାର ଆଭ୍ୟନ୍ତରୀଣ ବ୍ୟାପାର । ତେଣୁ ପୁଟିନ ଏହାର ଦୋଷ ଅନ୍ୟମାନଙ୍କ ଉପରେ ଲଦିବା ଉଚିତ ନୁହେଁ। ଆମେ ଏଥିରେ ସାମିଲ ନାହୁଁ ବୋଲି ସ୍ପଷ୍ଟ କରିଦେଇଛୁ। ଆମର ଏଥିରେ କିଛି ବି କନେକ୍ସନ ନାହିଁ।
ରୁଷର ଘରୋଇ ମିଲିଟାରୀ ସଂସ୍ଥା ୱାଗନରର ବସ୍‌ ୟେଭ୍‌ଗେନି ପ୍ରିଗୋଝିନ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବିଦ୍ରୋହ ଘୋଷଣା କରିବା ପରେ ରୁଷ ସ୍ଥିତି ବିଗିଡ଼ିବାକୁ ଆରମ୍ଭ କରିଥିଲା। ପୁଟିନ ଏହାକୁ ଦମନ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ୱାଗନର ଗ୍ରୁପ୍‌ ନିଜ ଜିଦରେ ଅଟଳ ରହିଥିଲା । ଏପରିକି ସଂସ୍ଥାର ଯୋଦ୍ଧାମାନେ ରୁଷର ଦକ୍ଷିଣ ପ୍ରାନ୍ତରେ ଥିବା କିଛି ସହରକୁ ମଧ୍ୟ ନିୟନ୍ତ୍ରଣ କରି ସାରିଥିଲେ । ଏହାପରେ ସେମାନେ ମସ୍କୋମୁହାଁ ହୋଇଥିଲେ। ଏହାକୁ ନେଇ ଦେଶ ଭିତରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା।
ମାତ୍ର ରୁଷ ସେନା ଓ ୱାଗନର ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ବେଲାରୁଷର ରାଷ୍ଟ୍ରପତି ଲେକ୍ସଜାଣ୍ଡର ଲୁକାଶେଙ୍କୋ ମଧ୍ୟସ୍ଥିତି ସାଜିଥିଲେ। ସେ ୱାଗନର ମୁଖ୍ୟ ପ୍ରିଗୋଝିନଙ୍କୁ ବୁଝାଇବା ପରେ ରୁଷରେ ବିଦ୍ରୋହ ଥମିଛି। ଏବଂ ରୁଷରେ ପୁଣି ଥରେ ଶାନ୍ତି ଫେରିଛି।