Onn 3

ଅଧାପନ୍ତରିଆ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ, ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀଙ୍କ ଅଭିଯୋଗ

State

ଆଗରପଡ଼ା: କାର୍ଯ୍ୟାଦେଶ ପାଇବାର ୨ ବର୍ଷ ପରେ ମଧ୍ୟ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ନହେବାରୁ ଗ୍ରାମବାସୀ ମାନେ ବର୍ତ୍ତମାନ ବର୍ଷାଦିନରେ ଗମନାଗମନରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଠିକାଦାରଙ୍କ ଏହିପରି ମନମୁଖି କାର୍ଯ୍ୟକୁ ବିରୋଧ କରିବା ସହ ରାସ୍ତା ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ନିତ କରିବା ପାଇଁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ୨୦୨୧-୨୨ରେ ଅନ୍ତର୍ଭୁକ୍ତ ହୋଇଥିବା ୩କି.ମି ଓଲଡ଼ାଙ୍ଗ ରୁ ପନ୍ଦାଡ଼େ ଭାୟା ନୂଆପୋଖରୀ ରାସ୍ତା ଅଧାପନ୍ତରିଆ ଭାବେ ପଡ଼ିରହିଛି । ମୌସୁମୀ ବର୍ଷା ଯୋଗୁଁ ରାସ୍ତା ଏବେ କର୍ଦମାକ୍ତ ହୋଇ ଯାତାୟତରେ ନାନା ସମସ୍ୟା ଦେଖାଯାଇଛି । ଉକ୍ତ ରାସ୍ତା ବନ୍ତ ଓ ଆଗରପଡ଼ାକୁ ସଂଯୋଗ କରୁଥିବା ବେଳେ କେନ୍ଦୁଝର ଜିଲ୍ଲାର ସଢା ଓ ବିଦ୍ୟାଧରପୁର ଆଦି ସ୍ଥାନକୁ ମଧ୍ୟ ସଂଯୋଗ କରିଛି । ଯଦ୍ୱାରା ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ଏହି ରାସ୍ତାରେ ଯାତାୟାତ କରିଥାନ୍ତି । ସରକାରଙ୍କ ଆରଡ଼ି ବିଭାଗ ପକ୍ଷରୁ ଏହାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଅର୍ନ୍ତଭୁକ୍ତ ଠିକାଦାରଙ୍କୁ ରାସ୍ତା ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା ।

ହେଲେ ଠିକାଦାର କଚ୍ଛପ ଗତିରେ କାମ କରିବା ସହ ରାସ୍ତା କଡ଼ରେ ମାଟି ପକାଇ ରଖି ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ କରୁଛନ୍ତି । ଯଦ୍ୱାରା ଗ୍ରାମବାସୀଙ୍କ ସମେତ ଓଲଡ଼ାଙ୍ଗ ପ୍ରାଥମିକ ବିଦ୍ୟାଳୟ,ପନ୍ଦାଡ଼େ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ,ଅଙ୍ଗନବାଡ଼ି ସମେତ ଆଗରପଡ଼ା କଲେଜକୁ ଛାତ୍ରଛାତ୍ରୀଙ୍କ ଯାତାୟତରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରାସ୍ତାର ଅବସ୍ଥା ଯୋଗୁଁ ଉକ୍ତ ଗ୍ରାମକୁ ଜରୁରୀ ପରିସ୍ଥିତିରେ ଦମକଳ ଓ ଆମ୍ବୁଲାସ ଯିବା କାଠିକର ବ୍ୟପାର ହୋଇଛି । ତେଣୁ ରାସ୍ତାର ଗୁରୁତ୍ୱ କୁ ଉପଲବ୍ଧି କରି ଏହାକୁ ଯଥାଶିଘ୍ର ସଂପୁର୍ଣ୍ଣ କରିବା ପାଇଁ କାର୍ଯ୍ୟରତ ଠିକାଦାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଜିଲାପାଳଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି ।