Onn 3

ଗୋଚର ଜମିରୁ ମାଟି ଖନନ, ଅନ୍ୟତ୍ର ଚାଲାଣ

State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ତହସିଲ ଅଧିନରେ ଥିବା ବିଭିନ୍ନ ଗୋଚର ଜମିରୁ ମାଟି ମାଫିଆ ମାନେ ବେଆଇନଭାବେ ମାଟି ଖନନ କରି ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବାର ଅଭିଯୋଗ ହୋଇଛି । ଏହି ଘଟଣା ଉପରେ ତହସିଲ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ତ ଦୂରର କଥା ବରଂ ମାଟି ମାଫିଆ ମାନଙ୍କୁ ପରୋକ୍ଷରେ ସୁରକ୍ଷା ପ୍ରଦାନ କରାଯାଉଥିବା ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ବନ୍ଧକାଟିଆ ଗ୍ରାମପଂଚାୟତ ମସ୍ତରା ମଠ ନିକଟରେ ସ୍ଥାନୀୟ ବଳଦେବ ଜୀୟୁ ମନ୍ଦିରର ଅଚଳାଚଳ ସମ୍ପତି ରହିଛି । ଏହି ସମ୍ପତିରୁ ସ୍ଥାନୀୟ ଗ୍ରାମର କେତେକ ମାଟି ମାଫିଆ ଜେସିବି ମେସିନ ସାହାଯ୍ୟରେ ମାଟି ଖନନ କରି ଟ୍ରାକ୍ଟର ଯୋଗେ ଅନ୍ୟତ୍ର ମାଟି ଚାଲାଣ କରୁଥିବାର ଅଭିଯୋଗ ହୋଇଛି ।

ମାଟି ମାଫିଆ ମାନେ ଦୈନନ୍ଦିନ ସ୍ଥାନୀୟ ଅଂଚଳରେ ଥିବା ବିଭିନ୍ନ ନଦୀ ପଠା ଗୋଚର ଜମି ଓ କେନାଲ ଶଯ୍ୟାରେ ମେସିନ ସାହାଯ୍ୟରେ ମାଟି ଖନନ କରି ଠିକାଦାର ମାନଙ୍କୁ ଚଢାଦାମରେ ବିକ୍ରୟ କରି ବେଶ ମାଲାମାଲ ହେଉଥିବାର ଅଭିଯୋଗ ହୋଇଛି । ମାଟି ମାଫିଆ ବିରୁଦ୍ଧରେ ସ୍ଥାନୀୟ ଲୋକେ ନିଶ୍ଚିନ୍ତକୋଇଲି ତହସିଲକୁ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାର ଅଭିଯୋଗ ହୋଇଛି । ବରଂ ପ୍ରଶାସନ ତରଫରୁ ଏହି ମାଟି ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତେ ସୁରକ୍ଷା ପ୍ରଦାନ କରାଯାଉଥିବାର ଅଭିଯୋଗ ହୋଇଛି । ଅବାଧରେ ମାଟି ଖନନ ଯୋଗୁ ନଦୀବନ୍ଧ ପ୍ରତି ବିପଦର ଆଶଙ୍କା ସୃଷ୍ଟି ହେଉଛି । ପ୍ରଶାସନ ତରଫରୁ ତୁରନ୍ତ ମାଟି ମାଫିଆଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି ହୋଇଛି ।