Onn 3

ଆଗରପଡ଼ାରେ ଘୋଷଯାତ୍ରା

State

ଆଗରପଡ଼ା: ଜିଲ୍ଲାରେ ଅନ୍ୟତମ ସର୍ବପୁରାତନ ପ୍ରସିଦ୍ଧ ଘୋଷଯାତ୍ରା ଆଗରପଡ଼ା ଠାରେ ସ୍ୱତନ୍ତ୍ର ରୀତିନୀତି ଅନୁସାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରୁ ମନ୍ଦିରରେ ପୁଜାର୍ଚ୍ଚନା ବ୍ରାହ୍ମଣମାନଙ୍କ ଦ୍ୱାରା କରାଯାଇଥିଲା । ଅପରାହ୍ନରେ ଶ୍ରୀଜୀଉମାନଙ୍କୁ ପହଣ୍ଡିରେ ଅଣାଯାଇ ରଥାରୂଢ କରାଯାଇଥଥିଲା । ମନ୍ଦିର ମୁଖ୍ୟ କିଶୋରୀମୋହନ ସିଂହ ରୈାପ୍ୟ ଖଡ଼ିକାରେ ଛେରାପହଁରା କରିବା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ସନ୍ଧ୍ୟା ସୁଦ୍ଧା ରଥ ମାଉସୀମା ମନ୍ଦିର ନିକଟରେ ପହଂଚିବା ପରେ ପୁଣି ପହଣ୍ଡିରେ ଶ୍ରୀଜୀଉ ମାନେ ଭିତରକୁ ବିଜେ କରିଥିଲେ । ଘୋଷଯାତ୍ରା ପାଇଁ ସମଗ୍ର ଅଂଚଳରେ ଏକ ଅପୂର୍ବ ଧାର୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

ଭକ୍ତମାନଙ୍କ ଜୟ ଜଗନ୍ନାଥ ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା । ଶ୍ରୀମନ୍ଦିର ଅନ୍ୟତମ ପୃଷ୍ଠପୋଷକ ତଥା ସୁପ୍ରିମକୋର୍ଟ ଆଡ଼ଭୋକେଟ ଜଗତମୋହନ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଇଂ ଅନନ୍ତ ମୋହନ ସିଂହ, ଇଂ ପ୍ରଦୀପ୍ତ ସିଂହ, ଯୁବନେତା ସପନ ସିଂହ ପ୍ରମୁଖଙ୍କ ଦ୍ୱାରା ସମସ୍ତ କାର୍ଯ୍ୟ ସମାପନ ହୋଇଥିଲା । ବିଭିନ୍ନ ଅଂଚଳରୁ ବହୁ ଭକ୍ତମାନଙ୍କ ସମାଗମ ହୋଇଥିଲା । ଥାନା ଆଇଆଇସି ମୋନାଲିସା କରଙ୍କ ନେତୃତ୍ୱରେ ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲା । ଅଗ୍ନିଶମ ଅଧିକାରୀ ସଞ୍ଜୀବ ପ୍ରଧାନ ସହ ଅନ୍ୟ ଆଗ୍ନିକମାନେ ଉପସ୍ଥିତ ଥିଲେ ।