Onn 3

ଶରଧାବାଲିରେ ବଡ଼ଠାକୁର, ବାଟରେ ଅଟକିଲେ କାଳିଆ ସାଆନ୍ତ ଓ ଦେବୀ ସୁଭଦ୍ରା

State

ପୁରୀ : ଶରଧାବାଲିରେ ଲାଗିଲା ତାଳଧ୍ୱଜ। ବାଟରେ ଅକଟି ରହିଲେ ଦେବଦଳନ ଓ ନନ୍ଦିଘୋଷ। ଜନ୍ମବେଦୀ ଅଭିମୁଖେ ନବ ଦିନାତ୍ମକ ଘୋଷଯାତ୍ରାରେ ବାହାରି ଥିବା ଶ୍ରୀଜିଉଙ୍କ ୩ଟି ଯାକ ରଥ ଆଜି ସଂଧ୍ୟା ସୁଦ୍ଧା ଶରଧାବାଲିରେ ଲାଗି ପାରିନି। କେବଳ ବଳଭଦ୍ରଙ୍କ ତାଳଧ୍ୱଜ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚି ପାରିଛି। ସୁଭଦ୍ରାଙ୍କ ଦେବଦଳନ ରଥ ବଡ଼ଶଂଖ ନିକଟରେ ଲାଗିଥିବା ବେଳେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ମାଉସୀ ମାଆ ଛକରେ ରହିଛି। ଏ ଦୁଇ ରଥ ଶରଧାବାଲିରେ ପହଞ୍ଚି ନଥିବାରୁ ଆସନ୍ତାକାଲି ପୁଣି ହେବ ରଥଟଣା। ଭକ୍ତମାନେ ଆସନ୍ତାକାଲି ମଧ୍ୟ ବଡ଼ଦାଣ୍ଡରେ ରଥଟଣାର ସୁଯୋଗ ପାଇବେ।
ଆଜି ନୀଳକନ୍ଦରରୁ ଭକ୍ତଙ୍କ ଗହଣକୁ ଓହ୍ଲାଇ ଅସିଛନ୍ତି ମହାବାହୁ। ରତ୍ନବେଦୀରୁ ଜନ୍ମବେଦୀକୁ ଯାଉଛନ୍ତି। ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ ଆଜି ୫ ଲକ୍ଷରୁ ଅଧିକ ଲୋକଙ୍କ ଭିଡ଼ ହୋଇଥିଲା। ସଅଳ ପହଣ୍ଡି ଓ ରଥ ଟଣା ସତ୍ତ୍ୱେ ସନ୍ଧ୍ୟା ପୂର୍ବରୁ ଶରଧାବାଲିରେ ରଥ ପହଞ୍ଚିପାରି ନ ଥିଲା। ଆଜି ରଥରେ ରହିବା ପରେ କାଲି ଆଡ଼ପମଣ୍ଡପ ବିଜେ କରି ଜନ୍ମବେଦୀରେ ଲୀଳାଖେଳା କରିବେ ତିନିଠାକୁର। ସେପଟେ ଭାଇ-ଭଉଣୀଙ୍କ ସହିତ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିଥିବା ମହାପ୍ରଭୁ ଜଗନ୍ନାଥଙ୍କୁ ଚର୍ମ ଚକ୍ଷୁରେ ଦେଖି ଭକ୍ତ ଭାବ ବିହ୍ୱଳ ହୋଇପଡ଼ିଛି। ରଥ ଟାଣି ହାତ, ପାଦ ଓ ଶରୀରକୁ ମହାପ୍ରଭୁଙ୍କ ସେବାରେ ଲଗାଇ ଭକ୍ତ ଧନ୍ୟ ମଣିଛନ୍ତି।
ଆଜି ନିର୍ଦ୍ଧାରିତ ସମୟର ପ୍ରାୟ ଅଧଘଣ୍ଟା ଆଗରୁ ରଥ ପ୍ରତିଷ୍ଠା ପରେ ପରେ ଘଣ୍ଟ ଘଣ୍ଟା କାହାଳୀରେ କଂପି ଉଠିଲା ଶ୍ରୀମନ୍ଦିର। ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ପରେ ଟାହିଆ ହଲାଇ ଝୁଲି ଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସିଥିଲେ ବଡ଼ଭାଇ ବଳଭଦ୍ର। ପଛେ ପଛେ ମା ସୁଭଦ୍ରା। ଆଉ ଶେଷରେ ଟାହିଆର ଅପୂର୍ବ ଦୋଳନରେ ସୁନ୍ଦର ପଦ, ହୁନ୍ଦର ଗତିରେ ନନ୍ଦିଘୋଷ ରଥକୁ ବିଜେ କରିଥିଲେ ଜଗତ ଠାକୁର ଜଗନ୍ନାଥ।
ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯିବା ପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଅନୁଗାମୀଙ୍କ ସହ ପହଞ୍ଚିଥିଲେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ। ତାପରେ ଘୋଷଯାତ୍ରାର ଅନନ୍ୟ ପରମ୍ପରା ଛେରପହଁରା ନୀତି ସଂପାଦନ ପାଇଁ ଶ୍ରୀନଅରରୁ ସିଂହଦ୍ୱାର ଅଭିମୁଖେ ତାମଯାନରେ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ପ୍ରଥମେ ତାଳଧ୍ୱଜ, ତାପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଛେରପହଁରା ସହ ବନ୍ଦାପନା କରିଥିଲେ ଗଜପତି।
ଏହା ପରେ ଆସିଥିଲା ସେଇ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ। ଚାରମାଳ ଫିଟା, ଘୋଡ଼ା ଯୋଚା ଓ ସାରଥୀ ଲାଗିବା ପରେ ଅପରାହ୍ନ ପ୍ରାୟ ୩ଟା ଅର୍ଥାତ ନିର୍ଦ୍ଧାରିତ ସମୟର ୧ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ରଥ ଟଣା। ପ୍ରଥମେ ବଳଭଦ୍ରଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ ଭକ୍ତ। ଏହା ପରେ ମା ସୁଭଦ୍ରାଙ୍କ ଦେବଦଳନ ଆଉ ଶେଷରେ ଘର୍ଘର ନାଦରେ, ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିର ଦରିଆରେ ପୋତଟିଏ ଭଳି ଭକ୍ତିର ବଡ଼ଦାଣ୍ଡରେ ଗଡ଼ିଥିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ।
ସେପଟେ କଳା ଠାକୁରଙ୍କ ଛନ୍ଦ, ଠାଣି, ଭାବ, ବେଶ, ଅଭୂଷଣ ଦେଖି ତାଙ୍କରି ଭକ୍ତ ବା କାହିଁକି ବାଦ୍ ପଡ଼ିବେ। ନାନା ରଙ୍ଗ, ଭାବ ଆଉ ଭଙ୍ଗୀ ସହ ଭକ୍ତିରେ ଆଜି ମଜ୍ଜିଯାଇଥିଲେ ରାଜ୍ୟ, ଦେଶ ଆଉ ବିଦେଶରୁ ଧାଇଁ ଆସିଥିବା ଭକ୍ତ। ଭାବ ବିନୋଦିଆଙ୍କୁ ପାଖରେ ପାଇ କିଏ ନିଜକୁ ସମର୍ପି ଦେଇଥିଲେ ତ ଆଉ କିଏ ଲୁହ ଛଳ ଛଳ ଆଖିରେ ଦୁଃଖ ଜଣାଇଥିଲେ। ଜୟ ଶ୍ରୀଜଗନ୍ନାଥ ଧ୍ୱନୀ ଉଚ୍ଚାରଣ କରି ହାତ ମେଲାଇ ମହାପ୍ରଭୁଙ୍କୁ ଗୁହାରି କରିଥିଲେ ଶ୍ରଦ୍ଧାଳୁ। ଭକ୍ତ ଆଉ ଭଗବାନଙ୍କ ମିଳନର ଏହି ଅବର୍ଣ୍ଣନୀୟ ମୂହୁର୍ତ୍ତରେ ଜାତି, ଧର୍ମ, ବର୍ଣ୍ଣ ଆଉ ଭାଷାର ଭିନ୍ନତା ସତ୍ତ୍ୱେ ଆଜି ଏକାକାର ହୋଇଛନ୍ତି ସମସ୍ତେ। ଆଉ ଏହି ଅଗଣିତ ଭକ୍ତଙ୍କ ଭିଡ଼ ଭିତରେ କିଏ ପବନ ପୁତ୍ର ହନୁମାନ ବେଶରେ ତ ଆଉ କିଏ ଶିବ ଆଉ ପାର୍ବତୀଙ୍କ ବେଶରେ ସଜ୍ଜିତ ହୋଇ ବଡ଼ଦାଣ୍ଡରେ ଉଭା ହୋଇଥିଲେ। ଠାକୁରଙ୍କ ଆଗରେ ନୃତ୍ୟ ପରିବେଷଣ କରି ନୃତ୍ୟଶିଳ୍ପୀମାନେ ମଧ୍ୟ ଧନ୍ୟ ହୋଇଯାଇଥିବା ପ୍ରକାଶ କରିଛନ୍ତି। ଚତୁର୍ଦ୍ଧା ମୂର୍ତ୍ତିଙ୍କ ରଥାରୁଢ଼ବେଳେ ଜଳ ଜଳ ହୋଇ ଦିଶୁଥିଲା ଉତ୍କଳର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ମାହାରୀ, ଓଡ଼ିଶୀ ଏବଂ ଗୋଟିପୁଅ ନୃତ୍ୟ। ଭିଡ଼ ଭିତରେ ସୁଦୂର କଲମ୍ବିଆରୁ ଆସିଥିବା ନୃତ୍ୟଶିଳ୍ପୀ ବ୍ରିନ୍ଦାଙ୍କ ଭକ୍ତି ମଧ୍ୟ ବାରି ହୋଇପଡ଼ୁଥିଲା। ସେ ବି ୩ ରଥ ଆଗରେ ଘୁଙ୍ଗୁରି ବାନ୍ଧି ଓଡ଼ିଶୀ ଛାନ୍ଦରେ ନୃତ୍ୟ ପରିବେଷଣ କରିଛନ୍ତି ଆକର୍ଷଣୀୟ ଢଙ୍ଗରେ। କହିଛନ୍ତି, ଏଠିକୁ ଆସି ବହୁତ ଖୁସି। କେବଳ ଓଡ଼ିଶୀ କି ଗୋଟିପୁଅ ନୃତ୍ୟ ନୁହଁ, ଖୋଳ ମୃଦଙ୍ଗ ସହ ନାମ ସଂକୀର୍ତ୍ତନରେ ପୂରି ଉଠୁଥିଲା ସାରା ପରିବେଶ। ଦରିଆପାରିରୁ ଧାଇଁ ଆସିଥିବା ବିଦେଶୀ ଭକ୍ତଙ୍କ ମୁହଁରେ ବିଖରିତ ହେଉଥିଲା ରାମ କୃଷ୍ଣ ହରେ ରାମ।
ଅନ୍ୟପଟେ ରଥ ଟଣା ପୂର୍ବରୁ ହିଁ ବଡ଼ଦାଣ୍ଡରେ ଠାକୁରଙ୍କ ଦର୍ଶନ କରିବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧରଙ୍କଠୁ ଆରମ୍ଭ କରି କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀମାନେ ବି ପହଞ୍ଚିଥିଲେ। ମହାପ୍ରଭୁଙ୍କ ରଥ ଟାଣିଥିଲେ, ଆଖି ପୂରାଇ ଦର୍ଶନ ବି କରିଥିଲେ। ରାଜ୍ୟପାଳ ମହାପ୍ରଭୁଙ୍କ ପହଣ୍ଡି ଦେଖିବା ସହ ରଥଯାତ୍ରା ଅବସରରେ ବିଶ୍ୱର କୋଣ ଅନୁକୋଣରେ ଥିବା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ରଥଯାତ୍ରା ସମାଜରେ ଶାନ୍ତି, ମୈତ୍ରୀ ଓ ପ୍ରେମ ପ୍ରତିଷ୍ଠାରେ ସହାୟକ ହେଉ ବୋଲି ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନ କରିଥିବା କହିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁଙ୍କୁ ରଥରେ ଦର୍ଶନ କରିବା ସହିତ ରଥ ଦଉଡ଼ିକୁ ଛୁଇଁ ପ୍ରଣାମ କରିଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ ମହାବାହୁଙ୍କ ସମେତ ରାଜ୍ୟ କ୍ୟାବିନେଟର ଅନେକ ମନ୍ତ୍ରୀ, ବରିଷ୍ଠ ନେତା, ପିସିସି ସଭାପତି ଶରତ ପଟ୍ଟନାୟକ ରଥଯାତ୍ରାରେ ସାମିଲ ହୋଇଥିଲେ।
ଆଉ ସେପଟେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଜଳ ସ୍ଥଳ ଏବଂ ଆକାଶ ମାର୍ଗରୁ ପୁରୀ ଉପରେ ରହିଥିଲା ସୁରକ୍ଷା ବାହିନୀର କଡ଼ା ନଜର। ହେଲିକପ୍ଟର ଯୋଗେ ଆକାଶ ମାର୍ଗରୁ ବଡ଼ଦାଣ୍ଡ ଓ ପୂରା ସହର ଉପରେ ନଜର ରଖଯାଇଛି। ସୁରକ୍ଷା ଦାୟିତ୍ୱରେ ମୁତୟନ ହୋଇଛନ୍ତି ୧୮୦ ପ୍ଳାଟୁନ୍ ଫୋର୍ସ। ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୫୦ରୁ ଅଧିକ ସିସିଟିଭି ଲଗାଯାଇ ଲୋକଙ୍କ ଯାତାୟତ ଓ ଟ୍ରାଫିକ୍ ବ୍ୟବସ୍ଥାକୁ ମନିଟରିଂ କରାଯାଇଥିଲା ସେହିପରି ଯାତ୍ରୀମାନଙ୍କର ସୁବିଧା ଲାଗି ୧୧ଟି ସ୍ଥାନରେ ଖୋଲାଯାଇଛି ସୂଚନା କେନ୍ଦ୍ର। ଆଜିଠାରୁ ନୀଳାଦ୍ରି ବିଜେ ଯାଏଁ କଡ଼ା ସୁରକ୍ଷା ବଳୟ ଭିତରେ ରହିବ ଶ୍ରୀକ୍ଷେତ୍ର।
ସବୁ ବର୍ଷ ଭଳି ଏଥର ବି ରଥଯାତ୍ରାରେ ମାଧବଙ୍କ ଦର୍ଶନ ଅପେକ୍ଷା ମାନବ ସେବାକୁ ବ୍ରତ କରିଥିଲେ ବହୁ ବଦାନ୍ୟ ବ୍ୟକ୍ତି ଓ ଦାତବ୍ୟ ଅନୁଷ୍ଠାନ। ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରୀକ୍ଷେତ୍ର ଧାଇଁ ଆସିଥିବା ଅଗଣିତ ଭକ୍ତଙ୍କୁ ସକାଳୁ ସନ୍ଧ୍ୟା ଯାଏଁ ନିରବଚ୍ଛିନ୍ନ ଭାବେ ଯୋଗାଇ ଦେଇଥିଲେ ଭିନ୍ନ ଭିନ୍ନ ସେବା। କିଏ ଖାଦ୍ୟ, କିଏ ପାନୀୟ ତ ଆଉ ଶୃଙ୍ଖଳା ରକ୍ଷା, ଆମ୍ବୁଲାନ୍ସ, ସେବା ଶୁଶ୍ରୁସାରେ ହଜାଇ ଦେଇ ନିଜକୁ ଧନ୍ୟ ମନେ କରିଥିଲା। ପଚାରିଲେ ସେମାନଙ୍କ ମୁହଁରେ ଗୋଟିଏ କଥା ଥିଲା- ସେବା ହିଁ ଧର୍ମ, ସେବା ହିଁ ଇଶ୍ୱର। ମାନବ ସେବାରେ ମାଧବ ପ୍ରାପ୍ତି।
ଲକ୍ଷ ଲକ୍ଷ ଭକ୍ତଙ୍କ ଆତଯାତ ଭିତରେ ପୁରୀରେ ଆଜି ଅନୁଭୂତ ହେଉଥିଲା ପ୍ରଚଣ୍ଡ ତାତି ଆଉ ଅସହ୍ୟ ଗୁଳୁଗୁଳି। ଦିନ ୧୧ଟା ବେଳକୁ ସହରର ଆଦ୍ରତା ୭୯ ପ୍ରତିଶତ ଛୁଇଁଥିଲା। ତାରି ଭିତରେ ଭକ୍ତଙ୍କ ଉପରେ ଶୀତଳ ଜଳ ସିଞ୍ଚନ ସେବାରେ ଲାଗିଥିଲେ ଓଡ଼ିଶା ଅଗ୍ନିଶମ ବାହିନୀର ଆଗ୍ନିକ। ଏ କାମରେ ବହୁ ଘରୋଇ ସଂସ୍ଥାର ସ୍ୱେଚ୍ଛାସେବୀ ବି ନିଜକୁ ହଜାଇ ଦେଇଥିଲେ। ଦର୍ଶନ ଅପେକ୍ଷାରେ ଥିବା ଭକ୍ତ, ଆଉ ସେବାରେ ନିୟୋଜିତ କର୍ମଚାରୀଙ୍କୁ ମୁହଁରୁ ଓଦା କପଡ଼ାରେ ଝାଳ ପୋଛିଦେଇ, ସେମାନଙ୍କ ଶ୍ରମ ଲାଘବ କରୁଥିଲେ କିଛି ସ୍ୱେଚ୍ଛାସେବୀ। ସେହିଭଳି କିଏ ଦହିପାଣି ତ, ଆଉ କିଏ ଶ୍ରଦ୍ଧାଳୁଙ୍କୁ ଶୁଦ୍ଧ ପିଇବା ପାଣି ଟିକେ ଦେଇ ତୃପ୍ତ କରୁଥିଲା। ରଥଯାତ୍ରା ବେଳେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ସେବା ଥିଲା ଗହଳି ଭିତରେ ଅଚେତ ହୋଇ ଯାଉଥିବା କିମ୍ବା ଅସୁସ୍ଥ ହୋଇପଡୁଥିବା ଶ୍ରଦ୍ଧାଳୁଙ୍କ ତୁରନ୍ତ ଉଦ୍ଧାର ଓ ପ୍ରାଥମିକ ଚିକିତ୍ସା ଦେବା। ଏଥିରେ ସରକାରୀ ସ୍ୱାସ୍ଥ୍ୟକର୍ମୀ ଓ ସରକାରୀ ଆମ୍ବୁଲାନ୍ସକୁ ବାଦ ଦେଲେ ଶହ ସଂଖ୍ୟାରେ ଘରୋଇ ଆମ୍ବୁଲାନ୍ସ ସାଙ୍ଗକୁ ହଜାର ହଜାର ଭଲ୍ୟୁଣ୍ଟିୟର ଉଲ୍ଲେଖନୀୟ ଭୂମିକା ନେଉଥିଲେ। ଆଉ ଭିଡ଼ ଭିତରେ ଆମ୍ବଲାନସ୍ ପାଇଁ ବାଟ କଢାଇ ନେବାକୁ ଆଗେଇ ଆସୁଥିଲେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସମେତ ଅନ୍ୟ ଅନୁଷ୍ଠାନର ସ୍ୱେଚ୍ଛାସେବକ। ସେହିଭଳି କିଏ ବୟସ୍କ ଓ ଭିନ୍ନକ୍ଷମଙ୍କ ପାଇଁ ହ୍ୱିଲ୍ ଚେୟାର ସେବା ଯୋଗାଇ ଦେଉଥିଲେ ତ ଆଉ କିଏ ଖରା ତାପରୁ ରକ୍ଷା ପାଇଁ ଯୋଗାଇ ଦେଉଥିଲେ ଛତା ଓ ଟୋପି ସେବା।
ସେପଟେ ପୁରୀ ସମୁଦ୍ର କୂଳରେ ପ୍ରବଳ ଭିଡ଼କୁ ଲକ୍ଷ କରି ଶତାଧିକ ଲାଇଫ୍ ଗାର୍ଡ୍ ଓ ଅଭିଜ୍ଞ ଧୀବର ବି ଜନସାଧାରଣଙ୍କୁ ସେବା ଯୋଗାଇ ଅହରହ ପ୍ରସ୍ତୁତ ଥିଲେ।