Onn 3

ସ୍ଥାୟୀ ବିଶ୍ରାମାଗାର ନିର୍ମାଣ ହୋଇପାରୁନାହିଁ , ଖରାରେ ଯାତ୍ରୀ ଡହଳବିକଳ

State

ଆଗରପଡ଼ା: ଆଗରପଡ଼ା ଠାରୁ ବରପଦା ପର୍ଯ୍ୟନ୍ତ ଲମ୍ବିଥବା ରାସ୍ତାର ବିଭିନ୍ନ ଛକ ଜାଗାରେ ସ୍ଥାୟୀ ବିଶ୍ରାମାଗାର ନଥିବାରୁ ଯାତ୍ରୀମାନେ ଡ଼ହଡ଼ହ ଖରାରେ ଏଣେତେଣେ ବିଶ୍ରାମ ନେଉଥିବାର ଦେଖିବାକୁ ମିଳୁଛି । ଆଗରପଡ଼ା ଠାରୁ ଭଦ୍ରକ ପର୍ଯ୍ୟନ୍ତ ଲମ୍ବିଥବା ଏହି ବ୍ୟସ୍ତ ବହୁଳ ରାସ୍ତା ପାଶ୍ୱର୍ରେ ବିଭିନ୍ନ ସ୍ଥାନରେ ବିଶ୍ରାମାଗାର ମାନ ନିର୍ମାଣ ହୋଇଛି । ମାତ୍ର ଏହି ବିଶ୍ରାମାଗାର ଗୁଡ଼ିକ ଅବସ୍ଥା ଠିକ୍ ନଥିବାରୁ ଯାତ୍ରୀମାନେ ଏହା ମଧ୍ୟରେ ବସିବା ତ ଦୂରରକଥା,ଏହା ଭିତରକୁ ପଶିବାକୁ ଇଚ୍ଛା ପ୍ରକାଶ କରୁ ନାହାଁନ୍ତି । ଡ଼ହଡ଼ହ ଖରାରେ ଘଣ୍ଟା ଘଣ୍ଟା ଧରି ଖୋଲା ଆକାଶ ତଳେ ରହି ବସକୁ ଅପେକ୍ଷା କରୁଛନ୍ତି । ଭଦ୍ରକ, ବାଲେଶ୍ୱର ଓ କେଉଁଝର ଜିଲ୍ଲାର ସୀମାବର୍ତ୍ତୀ ସ୍ଥାନରେ ଆଗରପଡ଼ା ଅବସ୍ଥିତ ଥିବାରୁ ଏହି ସ୍ଥାନ ଦେଇ ବିଭିନ୍ନ ସ୍ଥାନକୁ ଯାତ୍ରୀବାହୀ ବସ ଗୁଡ଼ିକ ଚଳାଚଳ କରିଥାଏ ।

ତେଣୁ ବିଭିନ୍ନ ସ୍ଥାନକୁ ଯିବା ପାଇଁ ଲୋକମାନେ ଏଠାରେ ଅପେକ୍ଷା କରିଥାନ୍ତି । ମାତ୍ର ସେପରି ସ୍ଥଳେ ସ୍ଥାନୀୟ କଲେଜ ଛକ ଠାରେ ଆଜିଯାଏ ବିଶ୍ରାମାଗାର ନିର୍ମାଣ ହୋଇପାରି ନାହିଁ । ମହତାବ ଛକ ଠାରେ ଥିବା ବିଶ୍ରାମାଗାରଟି ରାସ୍ତା ପ୍ରଶସ୍ତିକରଣ ସମୟରେ ଭାଙ୍ଗି ଦିଆଯାଇଛି । ସିନେମା ହଲ ଛକ ବିଶ୍ରାମାଗାର ବ୍ୟବହାର ଯୋଗ୍ୟ ହୋଇପାରୁ ନାହିଁ । ଏଠାରୁ ୨ କିମି ଦୂରବର୍ତ୍ତୀ ବିଶଲକଣା, ଶେଉଳଗଡ଼ିଆ, ଜାମବଣୀ ଛକ ରେ ଥିବା ବିଶ୍ରାମାଗାର ଅବ୍ୟବହୃତ ଅବସ୍ଥାରେ ରହିଛି । ସେହିପରି ରାସ୍ତା ପ୍ରଶସ୍ତିକରଣ ବେଳେ କାଦବରାଙ୍ଗ ବଜାରରେ ଥିବା ବିଶ୍ରାମାଗାର କୁ ଭଙ୍ଗା ଯାଇଥିବା ବେଳେ ସେଠାରେ କିଛି ଉଦ୍ୟମି ଯୁବକଙ୍କ ପ୍ରଚେଷ୍ଟାରେ ଏକ ଅସ୍ଥାୟୀ ବିଶ୍ରମାଗାର ନିର୍ମାଣ କରାଯାଇଛି । ବୋଡ଼କମହାଜୀବ ଛକରେ ଥିବା ବିଶ୍ରାମାଗାର ଅର୍ଦ୍ଧ ନିର୍ମିତ ଅବସ୍ଥାରେ ରହିଛି । ବିଧାୟକଙ୍କ ଅନୁଦାନ ପାଣ୍ଠିରୁ ଏହା ନିର୍ମାଣ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସଂପୂର୍ଣ୍ଣ ହୋଇପାରି ନାହିଁ । ଅର୍ଥଶ୍ରାଦ୍ଧ କେବଳ ସାର ହୋଇଛି । ଯାହାଫଳରେ ବିଶ୍ରାମାଗାର ଗୁଡ଼ିକ ଯାତ୍ରୀଙ୍କ କୈାଣସି କାର୍ଯ୍ୟରେ ଲାଗିପାରୁ ନାହିଁ । କେବଳ ସଂଧ୍ୟା ପରେ ମଦ୍ୟପ ତଥା ଅସାମାଜିକ ଲୋକଙ୍କ ଏଠାରେ ଆଡ୍ଡା ଜମୁଥିବାର ପରିଲକ୍ଷିତ ହେଉଛି । ଯାତ୍ରୀମାନଙ୍କ ସୁବିଧା ପାଇଁ ବିଶ୍ରାମାଗାର ଗୁଡିକୁ ସୁବ୍ୟବହାର କରାଯିବା ସହ ସ୍ଥାୟୀ ବିଶ୍ରାମାଗାର ନିର୍ମାଣ କରିବାକୁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ହେଉଛି ।