Onn 3

ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ମନୁଷ୍ୟକୃତ ଘନ ଘନ ବିଦ୍ୟୁତ୍ କାଟ, ଲୋକେ ହନ୍ତସନ୍ତ

State

ନିଶ୍ଚିନ୍ତକୋଇଲି: ସମଗ୍ର ନିଶ୍ଚିନ୍ତକୋଇଲି ବ୍ଳକ ଅଂଚଳରେ ଟାଟା ପାୱାର ତରଫରୁ ଯୋଜନାବଦ୍ଧ ଭାବେ ମନୁଷ୍ୟକୃତ ଘନ ଘନ ବିଦ୍ୟୁତକାଟ କରାଯିବାକୁ ନେଇ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ଟାଟା ପାୱାର ଏଭଳି ଅଘୋଷିତ ଘନ ଘନ ବିଦ୍ୟୁତ କାଟକୁ ନେଇ ଗଣ ଆନ୍ଦୋଳନ ନିମନ୍ତେ ଲୋକେ ସଜବାଜ ହେଉଥିବାର ଜଣାଯାଇଛି । ନିଶ୍ଚିନ୍ତକୋଇଲି ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଅଧିନରେ ସମଗ୍ର ନିଶ୍ଚିନ୍ତକୋଇଲି ବ୍ଳକର ୪୧ ପଂଚାୟତର ଶହ ଶହ ଉପଭୋକ୍ତା ନିର୍ଭର କରୁଛନ୍ତି । ଏହି ବିଦ୍ୟୁତ ବିଭାଗକୁ ନିଶ୍ଚିନ୍ତକୋଇଲି , ଅସୁରେଶ୍ୱର ଓ ଓରିକଂଟା ଇତ୍ୟାଦି ୩ଟି ବିଭାଗରେ ବିଭକ୍ତ କରାଯାଇଛି । ଟାଟା ପାୱାର ବିଦ୍ୟୁତ ଉପଭୋକ୍ତାଙ୍କ ଉପରେ ଜଙ୍ଗଲିରାଜ ଚଳାଇ ଜୋର ଜବରଦସ୍ତ ବିଦ୍ୟୁତ ବିଲ ଆଦାୟ କରୁଥିବାର ଅଭିଯୋଗ ହୋଇଛି । ଏପରିକି ଏହି ସଂସ୍ଥା ଉପଭୋକ୍ତାଙ୍କ ବକେୟା ବିଲକୁ ମଧ୍ୟ ଜୁଲମ କରି ଆଦାୟ କରୁଥିବାର ଅଭିଯୋଗ ହୋଇଛି । ଏହି ସଂସ୍ଥା କେତେକ ଅସାମାଜିକ ବ୍ୟକ୍ତିଙ୍କୁ ସାଙ୍ଗରେ ନେଇ ଗରିବ ଉପଭୋକ୍ତାଙ୍କ ଘର ଉପରେ ଘନ ଘନ ଚଢାଉ କରୁଥିବାର ଅଭିଯୋଗ ହୋଇଛି । ଏପରିକି ଏହି ସଂସ୍ଥା କୁ ଉପଭୋକ୍ତାମାନେ ପ୍ରତିମାସରେ ବିଦ୍ୟୁତ ବିଲ ନ ଦେଲେ ଉପଭୋକ୍ତାଙ୍କ ଠାରୁ ଚକ୍ରବୃଦ୍ଧି ହାରରେ ସୁଧ ନିଆଯାଉଥିବାର ଅଭିଯୋଗ ହୋଇଛି ।

ସେହିପରି ଭାବେ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ଏହି ବ୍ଲକ ଅଂଚଳରେ ନୂତନ ବିଦ୍ୟୁତ ଖୁଂଟ ସ୍ଥାପନ , ନୂତନ ବିଦ୍ୟୁତ ସଂଯୋଗୀକରଣ , ଓହଳିଥିବା ବିଦ୍ୟୁତ ତାରକୁ ମରାମତି କରାଯିବା,ପୁରୁଣା ବିଦ୍ୟୁତ ଖୁଂଟକୁ ମରାମତି କରାଯିବା ନିମନ୍ତେ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଥିଲେ ମଧ୍ୟ ଏହାର ଦୁରୁପଯୋଗ ହୋଇଥିବାର ଅଭିଯୋଗ ହୋଇଛି । ବିଭାଗୀୟ ଅଧିକାରୀ ଠିକାଦାରଙ୍କ ସହ ଅସାଧୁ ମେଂଟ କରି ଏହି ଅର୍ଥର ସଦୁପଯୋଗ ନ କରି ରାଧେ ରାଧେ ତୋର ଅଧେକୁ ମୋର ଅଧେ ନୀତିରେ ଚଳୁ କରି ଦେଇଥିବାର ଅଭିଯୋଗ ହୋଇଛି । ଏହି ଅଂଚଳରେ ସମ୍ପ୍ରତି ବହୁ ସ୍ଥାନରେ ବିଦ୍ୟୁତ ଖୁଂଟ ,ତାର ଓ ବିଦ୍ୟୁତ ଟ୍ରାନ୍ସଫର୍ମର ବିପଦ ସଙ୍କୁଳ ଅବସ୍ଥାରେ ରହିଥିବାର ଅଭିଯୋଗ ହୋଇଛି । ବହୁ ସମୟରେ ଏହି ବିପଦ ସଙ୍କୁଳ ବିଦ୍ୟୁତ ଖୁଂଟରୁ ତାର ଛିଣ୍ଡି ବହୁ ଧନ ଜୀବନ ହାନୀ ଘଟିଥିବାର ନଜିର ରହିଛି । ନିକଟରେ ନିଶ୍ଚିନ୍ତକୋଇଲି ଗ୍ରାମପଂଚାୟର ଓଥକା ନିକଟରେ ଥିବା ୮ ନମ୍ବର କେନାଲରେ ଛିଣ୍ଡିପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ଟି ମିଁଷି ମୃତ୍ୟୁ ବରଣ କରିଥିଲା ବେଳେ ଅନୁରୂପ ଭାବେ କଟିକଟା ଗ୍ରାମପଂଚାୟତ ପଶ୍ଚିମଖଣ୍ଡଭୋଳ ଗ୍ରାମରେ ମଧ୍ୟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ଟି ଗାଈ ମଧ୍ୟ ନିକଟରେ ମୃତ୍ୟୁବରଣ କରିଥିବାର ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ସେହିପରି ଭାବେ ଅସୁରେଶ୍ୱରରେ ମଧ୍ୟ ଖୁଂଟରେ ଚଢି ବିଦ୍ୟୁତ କାର୍ଯ୍ୟ କରୁଥିବା ବେଳେ ସଂସ୍ଥାର ବେପରୁଆ କାର୍ଯ୍ୟ ଯୋଗୁ ଜଣେ କର୍ମଚାରୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜୀବନ୍ତ ଜଳି ଯାଇଥିବା ଘଟଣା କାହାରିକୁ ଅଛପା ନାହିଁ । କଟକ-ଚାନ୍ଦବାଲି ରାସ୍ତାର କେନ୍ଦୁପାଟଣା ଛକରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତି ନିକଟରେ ମୃତ୍ୟୁବରଣ କରିଥିଲେ । ଏହି ପରି ଭାବେ ଟାଟା ପାୱାର ହୀନତା ଓ କର୍ତବ୍ୟରେ ଚରମ ଅବହେଳା କାରଣରୁ ବହୁ ଧନଜୀବନ ହାନୀ ଘଟୁଥିବାର ଅଭିଯୋଗ ହୋଇଛି । ତେବେ ସମଗ୍ର ରାଜ୍ୟରେ ଅସହ୍ୟ ରୌଦ୍ରଚାପ ଓ ଗୁଳୁଗୁଳି ହେତୁ ଧନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଲୋକେ ତାତିରୁ ରକ୍ଷା ପାଇବା ନିମନ୍ତେ ତ୍ରାହି ତ୍ରାହି ଡାକୁଛନ୍ତି । ଏପରିସ୍ଥଳେ ସ୍ଥାନୀୟ ଅସୁରେଶ୍ୱର,ନିଶ୍ଚିନ୍ତକୋଇଲି ଓ ଓରିକଂଟା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ବେପରୁଆ ଭାବେ ମନୁଷ୍ୟକୃତ ଘନ ଘନ ବିଦ୍ୟୁତକାଟ କରାଯାଉଥିବାର ଉପଭୋକ୍ତା ମହଲରେ ଅଭିଯୋଗ ହୋଇଛି । ବିଦ୍ୟୁତ କାଟ ଯୋଗୁ କୋମଳମତି ଶିଶୁ , ରୋଗାଗ୍ରସ୍ତ ବ୍ୟକ୍ତି , ବୃଦ୍ଧ ବୃଦ୍ଧା ମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖିନ ହେଉଥିବାର ଅଭିଯୋଗ ହୋଇଛି । ତେବେ ବିଭିନ୍ନ ଆଳ ଦେଖାଇ ସଂସ୍ଥା ତରଫରୁ ଘନ ଘନ ବିଦ୍ୟୁତକାଟ କରାଯିବା ଘଟଣାକୁ ନେଇ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି ।

ଏହି ସଂସ୍ଥା ଲୋକଙ୍କୁ ଜୋର ଜୁଲମ କରି ଯେପରି ବିଦ୍ୟୁତ ବିଲ ଆଦାୟ କରୁଛି ସେହିପରି ଉପଯୁକ୍ତ ସେବା ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବାର ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହୋଇଛି । ଅପରପକ୍ଷରେ ସ୍ଥାନୀୟ ଅଂଚଳରେ ଆକାଶରେ ମେଘ ଘୋଟିଲା ମାତ୍ରେ ବିଦ୍ୟୁତ ବିଭାଗ କର୍ମଚାରୀମାନେ ମନମୁଖି ଭାବେ ବିଦ୍ୟୁତ କାଟ କରି ନିରବରେ ବସି ଯାଉଥିବାର ଅଭିଯୋଗ ହୋଇଛି । ଘନ ଘନ ବିଦ୍ୟୁତ କାଟ ହେତୁ ଅପରାଧିକ ମାମଲା ଅହେତୁକ ଭାବେ ବୃଦ୍ଧି ପାଉଥିଲା ବେଳେ ସରକାରୀ ଓ ବେସକାରୀ ଦପ୍ତର ମାନଙ୍କରେ ବିଭିନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବାର ଅଭିଯୋଗ ହୋଇଛି । ସୂଚନା ଥାଊକୁ ସ୍ଥାନୀୟ ଅଂଚଳରେ ବଡ ବଡ ବ୍ୟବସାୟୀ ଓ ବିଭିନ୍ନ କାରଖାନା ମାନଙ୍କରେ ବିଦ୍ୟୁତ କର୍ମଚାରୀମାନଙ୍କୁ ହାତବାରିସ କରି ବିଦ୍ୟୁତ ଓ ବିଦ୍ୟୁତ ବିଲ ମଧ୍ୟ ହଡପ କରୁଥିବା ଅଭିଯୋଗ ହୋଇଛି । ତେବେ ବଦ୍ୟୁତ କର୍ମଚାରୀମାନେ ବଡ ବଡିଆଙ୍କୁ ବିଦ୍ୟୁତ ହଡପରେ ସୁରକ୍ଷା ଦେଉଥିଲା ବେଳେ ସାଧାରଣ ଗରିବ ଉପଭୋକ୍ତାଙ୍କ ଉପରେ ଜୋର ଜୁଲମ କରାଯିବା କେତେଦୂର ସମୀଚୀନ ଏହା ତଦନ୍ତ ସାପେକ୍ଷ ବୋଲି ଉପଭୋକ୍ତା ମହଲରେ ଦାବି ହୋଇଛି । ତେବେ ସରକାର ଘନ ଘନ ବିଦ୍ୟୁତ କାଟ ଉପରେ ନଜର କରିବା ସହ ନିରବଚ୍ଛୀନ୍ନ ବିଦ୍ୟୁତ ସେବା ଯୋଗାଇ ଦେବା ଏବଂ ଟାଟା ପାୱାର ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସାମାଜିକ କର୍ମୀ ଅମୀୟ କୁମାର ବିଶ୍ୱାଳ, ସଞ୍ଜୟ କୁମାର ବେହେରା, ପୂର୍ବତନ ସରପଂଚ ଦିଲିପ କୁମାର ରାଉତ , ରମେଶ ଚନ୍ଦ୍ର ସ୍ୱାଇଁ ପ୍ରମୁଖ ଦୃଢ ଦାବି କରିଛନ୍ତି । ଆମ ପ୍ରତିନିଧି ମତାମତ ନେବା ନିମନ୍ତେ ନିଶ୍ଚିନ୍ତକୋଇଲି ବିଦ୍ୟୁତ ବିଭାଗୀୟ ସହକାରୀ ଯନ୍ତ୍ରୀଙ୍କୁ ଅନୀଲ କୁମାର ନାୟକ ଙ୍କୁ ପଚାରିବାରୁ ସେ କୁହନ୍ତି ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ ଗତ କିଛି ଦିନ ହେଲା କାଳ ବୈଶାଖି ଯୋଗୁ ବହୁ ସ୍ଥାନରେ ବିଦ୍ୟୁତ ଖୁଂଟ ଉପୁଡି ଯାଇଛି ଓ ତାର ଛିଣ୍ଡି ଯାଇଛି । ତେଣୁ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ବ୍ୟାଘାତ ସୃଷ୍ଟି ହେଉଥିବାର ପ୍ରକାଶ କରିଛନ୍ତି ।