Onn 3

ମହିଳାଙ୍କୁ ଅତ୍ୟନ୍ତ ଅଶାଳୀନ ଭାଷାରେ ଗାଳି ଗୁଲଜ ଓ ହତ୍ୟା ଧମକ ଅଭିଯୋଗ

Crime State

ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ବ୍ଳକ ସୁକରପଡା ଗ୍ରାମର ଜଣେ ବ୍ୟକ୍ତି ଜନୈକା ମହିଳାଙ୍କୁ ଅତ୍ୟନ୍ତ ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇଥିବାର ଥାନାରେ ଅଭିଯୋଗ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଦଳନ୍ତା ଗ୍ରାମର ସଞ୍ଜୟ ମଳିକଙ୍କ ପତ୍ନୀ ପୁଷ୍ପାଞ୍ଜଳୀ ମଳିକଙ୍କ ନାମରେ ନିଶ୍ଚିନ୍ତକୋଇଲି ବ୍ଲକ ସୁକରପଡା ଗ୍ରାମରେ ଚାଷ ଜମି ଓ ଘରବାରି ରହିଛି । ଦୀର୍ଘ ଦିନ ହେଲା ସେହି ଗ୍ରାମର ଅନାଦି ମଳିକଙ୍କ ପୁତ୍ର ସୁଶାନ୍ତ କୁମାର ମଳିକ ଜୋର ଜବରଦସ୍ତ ଏହି ଜମିକୁ ଚାଷ କରି ଆସୁଛନ୍ତି । ଏପରିକି ଚଳିତ ବର୍ଷ ସୁଶାନ୍ତ ଓ ସ୍ଥାନୀୟ ଗ୍ରାମର ଶରତ ମଳିକ ଏହି ଜମିକୁ ମିଳିତ ଭାବେ ଜବରଦସ୍ତ ଚାଷ କରିଥିବାର ଅଭିଯୋଗ ହୋଇଛି ।

ପୁଷ୍ପାଞ୍ଜଳୀ ଏହାର ବିରୋଧ କରିବାରୁ ସୁଶାନ୍ତ ତାଙ୍କୁ ଅତ୍ୟନ୍ତ ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିବାର ପୁଷ୍ପାଞ୍ଜଳୀ ନିଶ୍ଚିନ୍ତକୋଇଲି ଥାନାରେ ଆଜି ଲିଖିତ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଦୀର୍ଘ ଦିନ ହେଲା ସୁଶାନ୍ତ ପୁଷ୍ପାଞ୍ଜଳୀଙ୍କ ନାମରେ ଥିବା ଜମିରେ ଜୋର ଜବରଦସ୍ତ ଚାଷ କରିବା ସହ ତାଙ୍କ ଘରବାରିରେ ଥିବା ଗୁଆ, ନଡିଆ, ଆମ୍ବ କଦଳୀ ମଧ୍ୟ ନେଇ ଯାଉଛନ୍ତି । ତାଙ୍କୁ ସୁଶାନ୍ତ ଏ ବାବଦରେ କୌଣସି ପ୍ରାପ୍ୟ ଦେଉ ନାହାନ୍ତି । ତେବେ ଜଣେ ମହିଳାଙ୍କ ଜମିକୁ ଜବରଦସ୍ତ ଚାଷ କରିବା ଓ ତାଙ୍କୁ ହତ୍ୟା ଧମକ ଦେବା କେତେଦୂର ସମୀଚୀନ ଏହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସାଧାରଣରେ ଦାବି ହୋଇଛି । ଏସମ୍ପର୍କରେ ଆମ ପ୍ରତିନିଧି ନିଶ୍ଚିନ୍ତକୋଇଲି ଥାନା ଆଇଆଇସି ଚିନ୍ମୟୀ ସାହୁଙ୍କୁ ପଚାରିବାରୁ ଥାନାରେ ଅଭିଯୋଗ ହୋଇଥିବାର ସ୍ୱୀକାର କରିଥିଲେ । ଏହି ଅଭିଯୋଗ ଉପରେ ତଦନ୍ତ ପରେ ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମତୀ ସାହୁ ପ୍ରକାଶ କରିଛନ୍ତି ।