Onn 3

ବାଲି ମାଫିଆଙ୍କ ଦାୟୀତ୍ୱ ହୀନତା ଯୋଗୁ ନଦୀରେ ବୁଡି ସପ୍ତମ ଶ୍ରେଣୀ ଛାତ୍ରର ମୃତ୍ୟୁ

Crime State

ନିଶ୍ଚିନ୍ତକୋଇଲି : ବାଲି ମାଫିଆଙ୍କ ଦାୟୀତ୍ୱ ହୀନତା ଯୋଗୁ ଆଜି ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ଗ୍ରାମପଂଚାୟତ ଅଣସରପୁର ଗ୍ରାମର ଜଣେ ସପ୍ତମ ଶ୍ରେଣୀ ଛାତ୍ର ଲୁଣାନଦୀରେ ବୁଡି ପ୍ରାଣ ହରାଇଛନ୍ତି । ଅଣସରପୁର ଗ୍ରାମର ମନୋଜ କୁମାର ସାହୁଙ୍କ ଜ୍ୟେଷ୍ଠପୁତ୍ର ସୌମ୍ୟ ରଞ୍ଜନ(୧୨) ସ୍ଥାନୀୟ ବିଦ୍ୟାଳୟର ସପ୍ତମ ଶ୍ରେଣୀରେ ଅଧ୍ୟୟନ କରନ୍ତି । ଆଜି ସକାଳେ ସୌମ୍ୟ ରଞ୍ଜନ ନିଜର ବଡ ବାପା ଅଜୟ ଓ ଦୁଇ ଭାଇଙ୍କ ସହ ସ୍ଥାନୀୟ କୁଳଗାଁଇଶାଳୋ ଠାରେ ଥିବା ଲୁଣାନଦୀ କୁ ଗାଧେଇବା ନିମନ୍ତେ ଯାଇଥିଲେ । ତେବେ ଏହି ସ୍ଥାନକୁ ବାଲି ମାଫିଆମାନେ ଜେସିବି ମେସିନ ସାହାଯ୍ୟରେ ଗଭୀର କରି ଖୋଳିଦେଇଥିବା କାରଣରୁ ସ୍ଥାନଟି ଗଭୀର ହୋଇପଡିଥିଲା ।

ଏହି ସ୍ଥାନରେ ସୌମ୍ୟରଞ୍ଜନ ଗାଧୋଉଥିଲା ବେଳେ ତାଙ୍କର ଗୋଡ ଖସି ଯାଇଥିଲା । ଫଳରେ ସେ ପାଣିରେ ବୁଡି ଯାଇଥିଲେ । ତାଙ୍କର ଅନ୍ୟ ଦୁଇ ଭାଇ ମଧ୍ୟ ପାଣିରେ ବୁଡି ଯାଇଥିଲେ । ତାଙ୍କର ବଡ ବାପା ନଦୀକୁ ଡେଇଁ ଦୁଇ ଜଣଙ୍କୁ ଉଦ୍ଧାର କରିଥିଲା ବେଳେ ସୌମ୍ୟକୁ ଉଦ୍ଧାର କରିପାରିନଥିଲେ । ଖବର ପାଇ ନିଶ୍ଚିନ୍ତକୋଇଲି ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ନଦୀରୁ ସୌମ୍ୟକୁ ମୂମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଏସମ୍ପର୍କରେ ତାଙ୍କର ପିତା ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା ବେଳେ ପୋଲିସ ତାଙ୍କର ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ କଟକ ବଡ ଡାକ୍ତରଖାନାକୁ ପଠାଇଛି ।