Onn 3

ସୁଧୁରୁନି ଗ୍ରାମ୍ୟ ସଡ଼କ ଅବସ୍ଥା, ଅସରାଏ ବର୍ଷାରେ ରାସ୍ତା ଶୋଚନୀୟ

State

ଆଗରପଡ଼ା:ବର୍ଷ ପରେ ବର୍ଷ ବିତିଗଲେ ସୁଦ୍ଧା ନିର୍ମାଣ ହୋଇପାରୁନାହିଁ ସ୍ଥାୟୀ ରାସ୍ତା ଯଦ୍ୱାରା ଅସରାୟ ବର୍ଷା ହେଲେ ଲୋକେ ବିପଦ ସଙ୍କୁଳ ପରିସ୍ଥିତିରେ କାଦୁଅ ପଚପଚ ରାସ୍ତାରେ ଯାତାୟାତ କରୁଛନ୍ତି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ବ୍ଲକ ବଡ଼ବର୍ଚ୍ଚିକୟାଁ ପଞ୍ଚାୟତ ସ୍ଥିତ ଜୟସିଙ୍ଗପୁର ଗାଁ ଠାରେ । ସ୍ୱାଧିନତାର ୭୫ ବର୍ଷ ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧିମାନଙ୍କ ନଜର ଆଡ଼ୁଆଳରେ ରହିଯାଇଛି ଏହି ଗାଁ । ଏହି ଗାଁ କୁ ଆଜିଯାଏ ଭଲ ରାସ୍ତାଟିଏ ନିର୍ମାଣ ହୋଇନପାରିବା ବଡ ଦୁôôଃଖ ଓ ଅନୁତାପର ବିଷୟ ଅଟେ । ସବୁଦିନିଆ ରାସ୍ତାଟିଏ ନଥିବାରୁ ଗାଁ ଲୋକମାନେ ନାନାଦି ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି । ଏହି ଗାଁରେ ପାଖାପାଖି ୩ଶହ ଲୋକ ବସବାସ କରିଥାନ୍ତି । ରାସ୍ତା ସମସ୍ୟା ଯୋଗୁଁ ପ୍ରତିବର୍ଷ ବର୍ଷା ସମୟରେ ପିଲାମାନେ ଶିକ୍ଷାଲାଭ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ଆମ୍ବୁଲାନ୍ସ ରାସ୍ତା ଦୁରାବସ୍ଥା ପାଇଁ ଆସିପାରୁ ନଥିବାରୁ ଗୁରୁତର ରୋଗୀମାନେ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ପହଞ୍ଚିବାକୁ ଅହେତୁକ ବିଳମ୍ବ ଘଟୁଛି । ଦମକଳ ମଧ୍ୟ ଆସିପାରୁ ନଥିବାରୁ ଅଗ୍ନିକାଣ୍ଡ ପରି ଦୁର୍ଘଟଣା ଆୟତ୍ତ କରିବା ଅସମ୍ଭବ ହୋଇପଡ଼ୁଛି । ଏଥିଯୋଗୁଁ ବ୍ୟାପକ ଭାବେ ଧନ ଜୀବନ ହାନୀ ଘଟୁଛି । କାଦବରାଙ୍ଗ ସ୍ଥିତ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାକୁ ଏହି ଗାଁ ରାସ୍ତା ଟି ସଂଯୋଗ କରୁଛି ଏବଂ ସଂଯୋଗ କରୁଥିବା ମାଟି ରାସ୍ତା ପୁରାପୁରି ନଷ୍ଟ ହୋଇଯାଇଛି ।

ଖାଲଖମାରେ ଭର୍ତ୍ତି ଏହି ରାସ୍ତାଟି ଅତି ସଂକୀର୍ଣ୍ଣ ଥିବାରୁ ସଂଧ୍ୟା ପରେ ଆସିବା ମାନେ ବିପଦକୁ ଡ଼ାକିବା ସଦୃଶ ହୋଇଛି । ସେହିପରି ବନ୍ତ ବ୍ଲକ କାଦବରାଙ୍ଗ ପଞ୍ଚାୟତ ଅଧିନ ୨ନଂ, ୩ନଂ ଓ ୪ନଂ ୱାର୍ଡ଼ ଅର୍ନ୍ତଗତ ବାଙ୍କତିରା ଓ ତୁମ୍ଭାପଦୀ ଦୁଇଟି ଗାଁ । ଏହି ୨ଟି ଗାଁ ସ୍ୱାଧିନତାର ୭୫ବର୍ଷ ପରେ ମଧ୍ୟ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧିଙ୍କ ନଜର ଆଡ଼ୁଆଳରେ ରହିଯାଇଛି । ସାମାନ୍ୟ ମୌଳିକ ସୁବିଧା ସୁଯୋଗ ପାଇବାରୁ ସେମାନେ ବଞ୍ଚିତ ହୋଇଆସୁଛନ୍ତି,ଯାହାକି ବଡ଼ ଦୁଃଖ ଓ ଅନୁତାପର ବିଷୟ । ଏହି ଦୁଇ ଗ୍ରାମର ଲୋକ ସଂଖ୍ୟା ପାଖାପାଖି ୧୮୦୦ । ମାତ୍ର ଏଠାକୁ ଭଲ ରାସ୍ତାଟିଏ ନାହିଁ । ଅସରାୟ ବର୍ଷାରେ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡ଼ୁଛି । ବାଙ୍କତିରା ସ୍କୁଲ ଠାରୁ ଏକ ମୋରମ ରାସ୍ତା ଏହାକୁ ସଂଯୋଗ କରୁଛି । ଏହି ରାସ୍ତାକୁ ଖରା ଦିନିଆ ରାସ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ । ଅନ୍ୟ ଦିନମାନଙ୍କରେ ଦୁଇ ଚକିଆ ଯାନ ଯିବା ଦୂରେ ଥାଉ, ଖାଲି ପାଦରେ ଚାଲି ଯିବା ମଧ୍ୟ ବିପଦ ଶଂକୁଳ । ଚାରିଚକିଆ ଯାନ ଯିବା, ରାସ୍ତା ସଂକୀର୍ଣ୍ଣତା ପାଇଁ ଆଦୈା ସମ୍ଭବ ନୁହେଁ । ଏଠାରୁ ଛାତ୍ରଛାତ୍ରୀ ଏହି ରାସ୍ତାଦେଇ ପ୍ରତିଦିନ ବାଙ୍କତିରା ସ୍କୁଲକୁ ,ଆଗରପଡ଼ା କଲେଜକୁ, କୋମଳମତୀ ଶିଶୁ ବାଙ୍କତିରା ଅଙ୍ଗନବାଡ଼ି କେନ୍ଦ୍ର କୁ ଅଧ୍ୟୟନ ପାଇଁ ଆସିଥାନ୍ତି । ସାମାନ୍ୟ ବର୍ଷା ହେଲେ ଏହି ରାସ୍ତାରେ ଖାଲ ସୃଷ୍ଟି ହୋଇ ଆଣ୍ଠୁଏ ଲେଖାଏ ପାଣି ଜମା ହୋଇ ଯାଉଛି । ଯଦ୍ୱାରା ଗମନା ଗମନରେ ଘୋର ଅସୁବିଧା ସୃଷ୍ଟି ହେଉଛି । ଏହି ରାସ୍ତାଟି ବନ୍ତ ବ୍ଲକ ଓଡ଼ଙ୍ଗ ପଂଚାୟତ ଅର୍ନ୍ତଗତ ସରମରା ଗାଁକୁ ମଧ୍ୟ ସଂଯୋଗ କରୁଛି । ରାସ୍ତା ଅବସ୍ଥା ଯୋଗୁଁ ଦମକଳ ଓ ଆମ୍ବୁଲାନ୍ସ ଆସି ପହଂଚୁଥିଲେ ମଧ୍ୟ ଏହାର ସୁବିଧା ଗ୍ରାମବାସୀ ପାଇ ପାରୁନାହାନ୍ତି । ଏହି ପରି ଅସମ୍ଭବ ପରିସ୍ଥିତରେ ଏହି ଗ୍ରାମର ଲୋକେ କାଳାତିପାତ କରୁଛନ୍ତି ।

ରାସ୍ତା ଅବସ୍ଥା ଯୋଗୁଁ ଗ୍ରାମବାସୀମାନେ ପ୍ରତିଦିନ ବ୍ଲକ ଓ ତହସିଲ ଆଦି କାର୍ଯ୍ୟାଳୟକୁ ଅଧିକ ଦୂରବର୍ତ୍ତୀ ରାସ୍ତାଦେଇ ଯାଆଆସ କରୁଛନ୍ତି । ଅଡ଼ାଳପଙ୍କ ଓ ବରପଦା ଦେଇ ଗଲେ ଅଧିକ ଖର୍ଚ୍ଚାନ୍ତ ହେବାସହ ଅଯଥାରେ ସମୟ ଅପଚୟ ହେଉଛି । ଗତ ୬ବର୍ଷ ମଧ୍ୟରେ ଭକ୍ତ ରାସ୍ତାରେ ସାଂସଦଙ୍କ ପାଣ୍ଠିରୁ ୨ଲକ୍ଷ, ବିଧାୟକ ପାଣ୍ଠିରୁ ୨ଲକ୍ଷ,ତିତିଲି ଅନୁଦାନରୁ ୩ଲକ୍ଷ,ଅମ୍ପନ ଅନୁଦାନରୁ ୧.୫ଲକ୍ଷ,ରାସ୍ତା ଏବଂ ପୋଲ କାର୍ଯ୍ୟର ରକ୍ଷଣାବେକ୍ଷଣ ବାବଦରେ ୫ଲକ୍ଷ ଖର୍ଚ୍ଚ ଆଦି ବିଭିନ୍ନ ଅନୁଦାନରେ ଏହି ରାସ୍ତା ମରାମତି ହେଇଥିଲେ ସୁଦ୍ଧା ସ୍ଥାୟୀ ରାସ୍ତାଟିଏ ହୋଇପାରୁନାହିଁ । ବିଭିନ୍ନ ସମୟରେ ଗ୍ରାମବାସୀ ମାନେ ରାସ୍ତା ବାବଦରେ ସ୍ୱର ଉତ୍ତୋଳନ କଲେ ମଧ୍ୟ କିଛି ସୁଫଳ ପାଇପାରୁନଥିବା ଅଭିଯୋଗ କରିଥାନ୍ତି । ଗତବର୍ଷ ଅକ୍ଟୋବର ମାସରେ ଗ୍ରାମବାସୀଙ୍କ ଅଭିଯୋଗ ପରେ ଉକ୍ତ ଗାଁକୁ ଏମଜିଏନଆରଇଜିଏସ ଯୋଜନାରେ ୫ ଲକ୍ଷ ଟଙ୍କା ମଂଜୁର କରାଯାଇ ରାସ୍ତା ନିର୍ମାଣ ହୋଇଥିଲା କିନ୍ତୁ ସ୍ଥାୟୀ ରାସ୍ତାଟିଏ ନିର୍ମାଣ ହୋଇ ପାରୁନଥିବାରୁ ରାସ୍ତାତାର ପୂର୍ବ ଅବସ୍ଥାକୁ ଫେରି ଆସିଲାଣି । ରେଣୁ ଉଭୟ ରାସ୍ତାକୁ ସ୍ଥାୟୀ ରାସ୍ତାରେ ପରିଣତ କରିବାପାଇଁ ଉଭୟ ଗ୍ରାମର ବାସିନ୍ଦା ଦାବି କରିଛନ୍ତି ।