Onn 3

ନଦୀ ପଠାରେ ଯୁବକକୁ ନିର୍ମମ ଭାବେ ହତ୍ୟା, ଦୁଇ ଅଟକ, ଛୁରୀ ଜବତ

Crime State

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ବୁହାଳୋ ଗ୍ରାମପଂଚାୟତ ଏରକଣା ସାମିଲ ପଙ୍କପାଳ ଗ୍ରାମର ଜଣେ ଯୁବକକୁ ସ୍ଥାନୀୟ ଚିତ୍ରୋତ୍ପଳା ନଦୀ ପଠାରେ ଯୋଜନାବଦ୍ଧଭାବେ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି । ଏହି ହତ୍ୟା ଘଟଣାରେ ନିଶ୍ଚିନ୍ତକୋଇଲି ଥାନା ପୋଲିସ ଦୁଇଜଣ ବ୍ୟକ୍ତିଙ୍କୁ ଧରିଆଣି ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛନ୍ତି । ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ବ୍ୟବହୃତ ଗୋଟିଏ ଛୁରୀକୁ ପୋଲିସ ଜବତ କରିଥିବାର ଜଣାଯାଇଛି । ଏରକଣାସାମିଲ ପଙ୍କପାଳ ଗ୍ରାମର ସନ୍ତୋଷ କୁମାର ଦାସଙ୍କୁ ଗତକାଲି ରାତ୍ରର ବିଳମ୍ବିତ ପ୍ରହରରେ ତାଙ୍କ ଘରଠାରୁ ଅନତୀ ଦୂରରେଥିବା ଚିତ୍ରୋତ୍ପଳା ନଦୀ ପଠାର ନାଗାମଠସ୍ଥିତ ଚଣ୍ଡି ମନ୍ଦିର ସମ୍ମୁଖରେ ନିର୍ମମଭାବେ ହତ୍ୟା କରାଯାଇ ତାଙ୍କ ଶବକୁ ନଦୀ ଶଯ୍ୟାକୁ ଫିଙ୍ଗି ଦିଆଯାଇଥିଲା ।

ତେବେ ତାଙ୍କ ଶରୀରର ଛାତି ଠାରୁ ମୁଣ୍ଡ ପର୍ଯ୍ୟନ୍ତ ଏକାଧିକ ସ୍ଥାନରେ ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରାଯିବା ସହ ମୁଣ୍ଡକୁ ପଥରରେ ଛେଚି ଦିଆଯାଇଥିବାର ଦେଖିବାକୁ ମିଳିଥିଲା । ତେବେ ତାଙ୍କର ସାର୍ଟ ଟିକୁ ମନ୍ଦିର ସମ୍ମୁଖରେ ଥିବା ଗଛରେ ଟାଙ୍ଗି ଦିଆଯାଇଥିଲା ବେଳେ ମନ୍ଦିର ସମ୍ମୁଖରେ ତାଙ୍କୁ ହତ୍ୟା କରାଯାଇଥିବା ସ୍ଥାନରେ ରକ୍ତ ଜମାଟ ବାନ୍ଧିଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଆଜି ସକାଳେ ନଦୀକୁ ଯାଇଥିଲା ବେଳେ କ୍ଷତ ବିକ୍ଷତ ଅବସ୍ଥାରେ ତାଙ୍କର ମରଶରୀର ପଡିଥିବାର ଦେଖିବାକୁ ପାଇଥିଲେ । ଏହି ଘଟଣା ପ୍ରଚାରିତ ହେବା କ୍ଷଣି ଘଟଣାସ୍ଥଳକୁ ଶହ ଶହ ଲୋକଙ୍କ ସୁଅ ଛୁଟିଥିଲା । ଏସମ୍ପର୍କରେ ତାଙ୍କର ପତ୍ନୀ ସସ୍ମିତା ଦାସ ନିଶ୍ଚିନ୍ତକୋଇଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ପୋଲିସ କେଶ ନଂ ୧୦୩/୨୦୨୩ରେ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ ନିମନ୍ତେ କଟକ ବଡ ଡାକ୍ତରଖାନାକୁ ପଠାଇଛନ୍ତି । ଅପରପକ୍ଷରେ ଏହି ଘଟଣାରେ ସମ୍ପୃକ୍ତ ଥିବା ବୁହାଳୋ ଗ୍ରାମର ଦିପକ କୁମାର ପ୍ରଧାନ ଓ ବାଲିଆପଦା ଗ୍ରାମର ଜୟନ୍ତ ଦାସଙ୍କୁ ପୋଲିସ ସନ୍ଦେହରେ ଅଟକ ରଖିଥିଲା ବେଳେ ଦିପକ ପାଖରୁ ଏକ ଛୁରୀକୁ ପୋଲିସ ଜବତ କରିଛନ୍ତି ।

ଅପରପକ୍ଷରେ ମୃତ ସନ୍ତୋଷ ନାମରେ ରାଜ୍ୟର ବହୁ ଥାନାରେ ଏକାଧିକ ଅପରାଧିକ ମାମଲା ଥିବାର ଜଣାଯାଇଛି । ତେବେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଖୁବ ଶୀଘ୍ର ଏହି ହତ୍ୟାକାଣ୍ଡର ପର୍ଦ୍ଦା ଫାର୍ସ କରାଯିବ ବୋଲି ଆଇଆଇସି ଚିନ୍ମୟୀ ସାହୁ ପ୍ରକାଶ କରିଛନ୍ତି । ତେବେ ଏହି ହତ୍ୟାକାଣ୍ଡ ପଛରେ ବହୁ ଲୁକାୟିତ ରହସ୍ୟ ରହିଥିବାର ସାଧାରଣରେ ଚାପାଗୁଞ୍ଜରଣ ପ୍ରକାଶ ପାଇଛି ।